କନକ ବ୍ୟୁରୋ : ବିହାରରେ ବିଧାନସଭା ନିର୍ବାଚନ ନେଇ ଆଜି ଦିନକୁ ସୁପର ଶନିବାର କୁହାଯାଉଛି । ଏନଡିଏ ସମେତ ମହାଗଠବନ୍ଧନର ବଡ଼ ନେତାମାନେ ମାରାଥନ ପ୍ରଚାର କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ପ୍ରିୟଙ୍କା ଆଜି ଦୁଇଟି ନିର୍ବାଚନୀ ରାଲିରେ ଯୋଗଦେବାର ଥିଲେ ମଧ୍ୟ ବର୍ଷା ଯୋଗୁ ଗୋଟିଏ ରାଲି ବାତିଲ ହୋଇଛି ।

Advertisment

ପ୍ରଚାରରେ କମ୍ପୁଛି ବିହାର । ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ମଝିରେ ଆଉ ମାତ୍ର ତିନିଦିନ । ଏନଡିଏ ଏବଂ ମହାଗଠବନ୍ଧନର ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବିହାରରେ ପ୍ରଚାର କରିଛନ୍ତି । ବେଗୁସରାଇର ବଛୱାଡ଼ାରେ ପ୍ରିୟଙ୍କା ଗାନ୍ଧୀ  ନିର୍ବାଚନୀ ରାଲିରେ ଯୋଗଦେଇଥିଲେ । ଏନଡିଏ ସରକାରକୁ ସମାଲୋଚନା କରି ନୂଆ ବିହାର ଗଠନ ପାଇଁ ମହାଗଠବନ୍ଧନକୁ ଜିତାଇବାକୁ ଲୋକଙ୍କୁ ନିବେଦନ କରିଥିଲେ ପ୍ରିୟଙ୍କା ।

ଅଧିକ ପଢ଼ନ୍ତୁ : ମହାଗଠବନ୍ଧନ ରାସ୍ତାରେ ଏନଡିଏ । ତେଜସ୍ୱୀଙ୍କ ପ୍ରତି ଘରୁ ସରକାରୀ ଚାକିରିକୁ ଏନଡିଏର ୧ କୋଟି ଚାକିରି ପ୍ରଲୋଭନ, ମାଳ ମାଳ ମାଗଣା ଯୋଜନା, କାହାକୁ ବିଶ୍ୱାସ କରିବେ ବିହାର ଭୋଟର

ଏନଡିଏ ପକ୍ଷରୁ ଅମିତ ଶାହ ଏବଂ ଜେ.ପି ନଡ୍ଡା ଆଜି ବିହାରର ଏକାଧିକ ସ୍ଥାନରେ ପ୍ରଚାର କରିଥିଲେ । ନୀତୀଶ କୁମାର ମଧୁବନୀ, ଦରଭଙ୍ଗା ଓ ଶିବହରରେ ପ୍ରଚାର କରିଥିବା ବେଳେ ଜେଡିୟୁ ପକ୍ଷରୁ ନୀତୀଶଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଛଡ଼ାଯାଇଛି । ଭିଡିଓରେ ନୀତୀଶ କୁମାର କହିଛନ୍ତି, ୨୦୦୫ରେ ତାଙ୍କ ସରକାର ଆସିବା ପରେ ରାଜ୍ୟରେ ଆଇନଶୃଙ୍ଖଳାରେ ଉନ୍ନତି ଘଟିଛି । ସବୁ ବର୍ଗର ଲୋକଙ୍କ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଡବଲ-ଇଞ୍ଜିନ ସରକାର ଦ୍ୱାରା ବିକାଶ ଜାରି ରଖିବା ପାଇଁ ପୁଣି ଏନଡିଏକୁ ଭୋଟ୍ ଦେବାକୁ ନୀତୀଶ କୁମାର ଅନୁରୋଧ କରିଛନ୍ତି ।

ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଆଜି ୧୬ଟି ନିର୍ବାଚନୀ ରାଲିରେ ଯୋଗଦେଇଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ମହାଗଠବନ୍ଧନ ପାଇଁ ପ୍ରଚାର କରିଥିଲେ ।