Cricket Yearender Photograph: (Kanak News)
କନକ ବ୍ୟୁରୋ: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ମଧ୍ୟ ଅନେକ ଭାରତୀୟ କିମ୍ବଦନ୍ତୀ ଖେଳାଳି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି, ଯେଉଁଥିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ବଡ଼ ଖେଳାଳିଙ୍କ ନାମ ମଧ୍ୟ ସାମିଲ ଅଛି । ବିରାଟ ଏବଂ ରୋହିତ ୨୦୨୪ରେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ, କିନ୍ତୁ ଚଳିତ ବର୍ଷ ଉଭୟ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଏହି ତାଲିକାରେ କିଛି ଏମିତି ଖେଳାଳି ମଧ୍ୟ ଅଛନ୍ତି, ଯେଉଁମାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ସୁଯୋଗ ମିଳିନଥିଲା । ତେବେ ଆସନ୍ତୁ ପୁରା ତାଲିକା ଉପରେ ନଜର ପକାଇବା ।
ରୋହିତ-କୋହଲିଙ୍କ ଟେଷ୍ଟ ଅବସର
ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ରୋହିତ-କୋହଲି ଯୁଗର ଅନ୍ତ ଚଳିତ ବର୍ଷ ଘଟିଛି । ୭ ମେ ୨୦୨୫ରେ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାର ୩ ଦିନ ପରେ ଅର୍ଥାତ ୧୦ ମେ ୨୦୨୫ରେ ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ । ସୂଚନାଯୋଗ୍ୟ ଯେ, ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଓ କୋହଲି ଟି-୨୦ ଫର୍ମାଟରୁ ଅବସର ନେଇସାରିଥିଲେ । ବର୍ତ୍ତମାନ ଉଭୟ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି ।
ଭାଙ୍ଗି ଯାଇଥିଲା ଟିମ୍ ଇଣ୍ଡିଆର ଓ୍ୱାଲ୍
ଭାରତୀୟ ଟେଷ୍ଟ ଦଳର ଓ୍ୱାଲ୍ କୁହାଯାଉଥିବା ଚେତେଶ୍ୱର ପୂଜାରା ଅନେକ ଥର ନିଜର ଚମତ୍କାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆକୁ ଗୁରୁତ୍ୱପୂର୍ଣ୍ଣ ବିଜୟ ଦେଇଛନ୍ତି । ଡାହାଣହାତୀ ଏହି ବ୍ୟାଟ୍ସମ୍ୟାନ୍ ବିଦେଶ ମାଟିରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି, କିନ୍ତୁ ୨୦୨୫ରେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ୨୪ ଅଗଷ୍ଟ ୨୦୨୫ରେ ଅବସର ଘୋଷଣା କରିଥିଲେ । ୨୦୧୦ରେ ଭାରତୀୟ ଦଳ ପାଇଁ ପଦାର୍ପଣ କରିଥିବା ପୂଜାରା ୧୦୩ଟି ଟେଷ୍ଟ ମ୍ୟାଚରେ ୭୧୯୫ ରନ୍ କରିଛନ୍ତି, ଯେଉଁଥିରେ ୧୯ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ସାମିଲ ଅଛି।
ଆହୁରି ପଢ଼ନ୍ତୁ... ଇତିହାସ ରଚିଲା ଝାଡ଼ଖଣ୍ଡ: ପ୍ରଥମଥର ପାଇଁ ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି
ତାଙ୍କ ବ୍ୟତୀତ ଦୀର୍ଘ ଦିନ ଧରି ଦଳରୁ ବାହାରେ ଥିବା ରିଦ୍ଧିମାନ ସାହା ୧ ଫେବୃଆରୀ ୨୦୨୫ରେ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ସେ ଟିମ୍ ଇଣ୍ଡିଆ ପାଇଁ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୦୨୧ରେ ଖେଳିଥିଲେ । ସେହିପରି ଶେଷ ଦିନିକିଆ ମ୍ୟାଚ୍ ସେ ୨୦୧୪ରେ ଖେଳିଥିଲେ । ଏହା ପରଠାରୁ ତାଙ୍କୁ ସୁଯୋଗ ମିଳୁନଥିଲା ଏବଂ ସେ ଅବସର ନେବାକୁ ମନସ୍ଥ କରିଥିଲେ।
ପୀୟୁଷ ଚାୱଲା ମଧ୍ୟ କହିଲେ 'ଗୁଡ ବାଏ'
ଭାରତର ଦୁଇ ଥରର ବିଶ୍ୱ ବିଜେତା ଲେଗ୍ ସ୍ପିନର ପୀୟୁଷ ଚାୱଲା ୬ ଜୁନ୍ ୨୦୨୫ରେ କ୍ରିକେଟର ତିନୋଟି ଯାକ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୧୨ ମସିହାରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପୀୟୁଷ ଚାୱଲା ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖି ଅବସର ଘୋଷଣା କରିଥିଲେ । ସୂଚନା ଥାଉ କି, ସେ ତିନୋଟି ଯାକ ଫର୍ମାଟ ମିଶାଇ ୧୦୦୦ରୁ ଅଧିକ ୱିକେଟ୍ ନେଇଛନ୍ତି । ନିଜର ଶେଷ ମ୍ୟାଚ୍ ୨୦୧୨ ସୁଦ୍ଧା ସେ ଭାରତ ପାଇଁ ୩ଟି ଟେଷ୍ଟ, ୨୫ଟି ଦିନିକିଆ ଏବଂ ୭ଟି ଟି-୨୦ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ମୋଟ ୪୩ଟି ୱିକେଟ୍ ସାମିଲ ଥିଲା ।
ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ବରୁଣ ଆରୋନ୍ ୧୦ ଜାନୁଆରୀ ୨୦୨୫ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବରୁଣ ନଭେମ୍ବର ୨୦୧୪ରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେହିପରି, ଏହି ଖେଳାଳି ଜଣକ ଶେଷ ଥର ପାଇଁ ନଭେମ୍ବର ୨୦୧୫ରେ ଭାରତର ଟେଷ୍ଟ ଦଳରେ ନଜର ଆସିଥିଲେ ।
Follow Us