କନକ ବ୍ୟୁରୋ: ଟି-ଟ୍ୱେଣ୍ଟି ପରେ ଅଚାନକ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଥିଲେ ଦୁଇ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମା । ଏହାକୁ ଏଯାଏଁ ହଜମ କରିପାରୁନାହାନ୍ତି ପ୍ରଶଂସକ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଭୟଙ୍କ ପ୍ରଦର୍ଶନ ଆଶାନୁରୂପକ ନଥିଲା । ଏଣୁ ସେମାନଙ୍କୁ ବିସିସିଆଇ ଅବସର ନେବାକୁ ବାଧ୍ୟ କଲା ବୋଲି ଆକଳନ କରୁଛନ୍ତି ଫ୍ୟାନ୍ସ । ଏଭଳି ଅନେକ ଆଲୋଚନା ଭିତରେ ପ୍ରଥମ ଥର ପାଇଁ ରୋହିତ ଓ ବିରାଟ କୋହଲିଙ୍କ ଟେଷ୍ଟ ଅବସର ନେଇ ମୁହଁ ଖୋଲିଛି ବିସିସିଆଇ । ଏଥିନେଇ ସୃଷ୍ଟି ହୋଇଥିବା କଳ୍ପନାଜଳ୍ପନା, ଅଙ୍କକଷା ଓ ବିତର୍କ ଉପରେ ବିରାମ ଲଗାଇବାକୁ ଯାଇ ବୋର୍ଡର ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି ଯେ ଅବସର ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ ଥିଲା । ଆମେ ସେମାନଙ୍କୁ ଅବସର ନେବାକୁ କେବେବି କହିନଥିଲୁ। 

Advertisment

କୋହଲି ଓ ରୋହିତଙ୍କୁ ଅବସର ନେବାକୁ ବିସିସିଆଇ ବାଧ୍ୟ କରିଥିବା ଖବରକୁ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି ରାଜୀବ ଶୁକ୍ଳା । ସମସ୍ତ ନକାରାତ୍ମକ ଚର୍ଚ୍ଚାକୁ ଦୂର କରିବାକୁ ଯାଇ ସେ ଆହୁରି କହିଛନ୍ତି, ମୁଁ ଏଠାରେ ପ୍ରଥମ ଓ ଶେଷ ଥର ପାଇଁ ସ୍ପଷ୍ଟ କରିଦେବାକୁ ଚାହେ ଯେ ଆମେ ରୋହିତ ଓ କୋହଲିଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛୁ । ହେଲେ ସେମାନଙ୍କ ନିଷ୍ପତ୍ତି ସେମାନେ ନିଜେ ନେଇଥିଲେ । ବିସିସିଆଇ ନୀତିଗତ ଭାବେ କୌଣସି ଖେଳାଳିଙ୍କୁ କେବେ ଓ କେଉଁ ଫର୍ମାଟ୍‌ରୁ ଅବସର ନେବା କଥା କହେ ନାହିଁ । ଏହି ନିଷ୍ପତ୍ତି ଖେଳାଳିମାନଙ୍କର ନିଜସ୍ୱ ହୋଇଥାଏ । ଉଭୟ ଜଣେ ଜଣେ ମହାନ ଖେଳାଳି । ଭଲ କଥା ହେଲା ସେମାନଙ୍କୁ ଦିନିକିଆ କ୍ରିକେଟ୍‌ରେ ଦେଖିବାକୁ ମିଳିବ । ଭାରତୀୟ ଟେଷ୍ଟ୍ ଦଳ ଏବେ ପରିବର୍ତ୍ତନ ବେଳାରେ ରହିଛି । ଆଗାମୀ ସମୟରେ ଦଳ ନିଶ୍ଚିତ ଭାବେ ତା’ର ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବ । 

ଏବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତେନ୍ଦୁଲକର ଓ ଆଣ୍ଡରସନ ଟ୍ରଫି ଜାରି ରହିଛି । ଏହି ୫ ଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଲର୍ଡସ୍‌ ଟେଷ୍ଟରେ ଭାରତ ଜିତିବା ପରିସ୍ଥିତିରେ ରହିଥିଲା । ଏହାପରେ ବି ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଏହାପରେ ପୁଣି ଥରେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କଥା ମନେ ପଡ଼ିଛି । ଏଣୁ ରାଜୀବ ଶୁକ୍ଲା ସେମାନଙ୍କ ଅବସରକୁ ନେଇ ଏବେ ସ୍ପଷ୍ଟୀକରଣ ରଖିଛନ୍ତି ।