କନକ ବ୍ୟୁରୋ : ମେଗା ପାନୀୟ ଜଳ ପ୍ରକଳ୍ପରେ ଶ୍ରମିକମାନଙ୍କ ଜୀବନ ସହ ଖୋଲାଖୋଲି ଖେଳ ଚାଲିଛି । ସରକାରୀ କାମ ପାଇଁ ଜୀବନକୁ ବାଜି ଲଗାଇ ଶହ ଶହ ଶ୍ରମିକ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି । ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ଶାଳିଆ ଡ୍ୟାମ୍‌ରେ ଦୁଇଟି ଠିକା ସଂସ୍ଥା ଦ୍ୱାରା ୫ଟି ମେଗା ପ୍ରକଳ୍ପର କାମ ଜାରି ରହିଛି, କିନ୍ତୁ ଏଠାରେ ଶ୍ରମ ଆଇନକୁ ସମ୍ପୂର୍ଣ୍ଣ ଫୁ’ କରି ଦିଆଯାଇଛି । ଶ୍ରମିକମାନେ ପ୍ରାୟ ୧୦୦ ଫୁଟ୍ ଉପରେ କିମ୍ବା ମାଟି ତଳେ ବିପଦସଙ୍କୁଳ ଅବସ୍ଥାରେ କାମ କରୁଥିଲେ ମଧ୍ୟ ସେମାନଙ୍କ ପାଖରେ ସର୍ବନିମ୍ନ ସୁରକ୍ଷା ଉପକରଣ ନାହିଁ । ନା ମୁଣ୍ଡରେ ହେଲ୍‌ମେଟ୍‌ ଅଛି, ନା ହାତରେ ଗ୍ଲୋବ୍ସ, ନା ଅଛି ସେଫ୍ଟି ବେଲ୍ଟ । ପେଟ ପାଟଣା ପାଇଁ ବାହାର ରାଜ୍ୟରୁ ଆସିଥିବା ଏହି ଶ୍ରମିକମାନେ ବିନା ସୁରକ୍ଷାରେ କାମ କରିବାକୁ ବାଧ୍ୟ ହେଉଛନ୍ତି ।

Advertisment

ଆଶ୍ଚର୍ଯ୍ୟର ବିଷୟ ହେଉଛି, ଶହ ଶହ କୋଟି ଟଙ୍କାର ଏହି ପ୍ରକଳ୍ପ ସ୍ଥଳରେ କୌଣସି ସୁରକ୍ଷା ଅଧିକାରୀ ନାହାନ୍ତି । ବିଭାଗୀୟ ବାବୁ କିମ୍ବା ଠିକା ସଂସ୍ଥାର ମାଲିକଙ୍କର ଶ୍ରମିକଙ୍କ ଜୀବନ ପ୍ରତି ତିଳେମାତ୍ର ଦରଦ ନାହିଁ । କେବଳ ଗଣମାଧ୍ୟମର କ୍ୟାମେରା ଦେଖିଲେ ସୁପରଭାଇଜରମାନେ ତରବରିଆ ଭାବେ ଶ୍ରମିକଙ୍କୁ ସୁରକ୍ଷା ସାମଗ୍ରୀ ପିନ୍ଧିବାକୁ ନିର୍ଦ୍ଦେଶ ଦେଉଛନ୍ତି, ଯାହା କେବଳ ଲୋକଦେଖାଣିଆ ଅଟେ ।

ଅଧିକ ପଢ଼ନ୍ତୁ--ଚିଲିକା ଖାଉଛି ପଟୁମାଟି : ପ୍ରତିବର୍ଷ ଚିଲିକା ଗର୍ଭରେ ପଶୁଛି ୮ ଲକ୍ଷ ଟନର ପଟୁମାଟି

ଏହି ମେଗା ଜଳ ପ୍ରକଳ୍ପ ଦ୍ବାରା ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ବେଗୁନିଆପଡ଼ା ଓ ଖୋର୍ଦ୍ଧାର ଟାଙ୍ଗୀ ଅଞ୍ଚଳକୁ ବିଶୁଦ୍ଧ ପାଣି ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ହେଲେ ପ୍ରକଳ୍ପର ଅବଧି ସରିଥିଲେ ମଧ୍ୟ କାମ ଆଗେଇ ପାରୁନି । କାର୍ଯ୍ୟରେ ଅହେତୁକ ବିଳମ୍ବ ଏବଂ ଶ୍ରମିକଙ୍କ ସୁରକ୍ଷାରେ ଚରମ ଅବହେଳା ନେଇ କମ୍ପାନି କର୍ତ୍ତୃପକ୍ଷ କିମ୍ବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ମୁହଁ ଖୋଲୁନାହାନ୍ତି । ସରକାରୀ ବ୍ୟବସ୍ଥାର ଏଭଳି ଖାମଖିଆଲି ମନୋଭାବ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।