ଉତ୍କଳ କମଳା ବିଳାସ ଦୀର୍ଘିକା , ମରାଳ ମାଳିନୀ ନୀଳାମ୍ବୁ ଚିଲିକା 

କନକ ବ୍ୟୁରୋ : ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ସୌନ୍ଦର୍ଯ୍ୟମୟୀ ଚିଲିକା ଧିରେ ଧିରେ ପୋତି ହେଉଛି । ପ୍ରତିଦିନ ଚିଲିକାକୁ ପ୍ରବେଶ କରୁଥିବା ପଟୁ ମାଟି ଦ୍ବାରା ହ୍ରଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଲାଣି । ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି । ଚିଲିକା ମୁହାଣ ଓ ଏହାର ପାର୍ଶ୍ବବର୍ତ୍ତୀ ଗାଁଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେଉଛି । ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ପଙ୍କ ଉଦ୍ଧାର ଓ ଅନ୍ତନାଳୀ ଖୋଳା କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ସେତେଟା ସଫଳତା ମିଳିପାରିନାହିଁ । ଚିଲିକାର ଆର୍ଦ୍ରଭୂମି ଆୟତନ ଧୀରେ ଧୀରେ ହ୍ରାସ ପାଇବା ସହ ଜୀବଜଗତର ଏହି ମୂଲ୍ୟବାନ ପ୍ରାକୃତିକ ସମ୍ପଦ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଚିଲିକା ପୋତି ହେଉଥିବା ସମ୍ପର୍କରେ ରାଜ୍ୟ ସରକାର ଅବଗତ ରହିଛନ୍ତି । ହ୍ରଦର ଗଭୀରତା ସର୍ବନିମ୍ନ ୦.୩୮ ମିଟରରୁ ସର୍ବାଧିକ ୬.୨୦ ମିଟର ରହିଛି । ପ୍ରତିବର୍ଷ ହ୍ରଦ ଗର୍ଭକୁ ଏହାର ନଦୀ, ଉପନଦୀ ଓ ନାଳ ଦ୍ବାରା ପ୍ରାୟ ୮ ଲକ୍ଷ ଟନ୍‌ର ପଟୁମାଟି ପ୍ରବେଶ କରି କିଛି ମାତ୍ରାରେ ପୋତି ଦେଉଛି । ଏଥିସହ ଜଳବାୟୁ ପରିବର୍ତ୍ତନ, ଅଦିନିଆ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବ ଦ୍ବାରା ପଟୁମାଟି ଚିଲିକା ଗର୍ଭକୁ ପ୍ରବେଶ କରୁଛି । ତେଣୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପ୍ରତି ମାସରେ ୩୩ଟି ନିରୀକ୍ଷଣ କେନ୍ଦ୍ର ମାଧ୍ୟମରେ ୧୭ଟି ମାପକକୁ ନେଇ ଚିଲିକାରେ ଥିବା ଜଳର ମାନ ପରୀକ୍ଷଣ କରୁଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏକ ଲିଖିତ ଉତ୍ତରରେ କହିଥିଲେ । ସେଥିରୁ ଜଣାପଡ଼ିଥିଲା ଯେ ପ୍ରତିବର୍ଷ ଚିଲିକାରେ ପଶୁଛି ୮ ଲକ୍ଷ ଟନ୍‌ର ପଟୁମାଟି । ୫ ବର୍ଷରେ ୩.୨୬ ଲକ୍ଷ କ୍ୟୁବିକ୍‌ ମିଟର ଖନନ ହେଉଥିବା ବେଳେ ଡିପିଆର୍‌ ପ୍ରସ୍ତୁତ କରିବ ଆଇଆଇଟି ମାଡ୍ରାସ ।

Advertisment

୧୯୪୫ ମସିହାରେ ଚିଲିକାର ଆର୍ଦ୍ରଭୂମିର ଆୟତନ ୨୯୪୬ ବର୍ଗ କିଲୋମିଟର ଥିଲା । ବର୍ତ୍ତମାନ ତାହା ୧୧୬୫ କିମିରେ ସୀମିତ ରହିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଆହୁରି କମ୍‌ ବୋଲି ଜଣାପଡ଼ିଛି । ଚିଲିକାର ଜୈବ ବିବିଧତା ଓ ଆର୍ଦ୍ରଭୂମିର ଗୁରୁତ୍ବକୁ ଦେଖି ୧୯୮୧ ମସିହାରେ ଚିଲିକାକୁ ‘ରାମସାର୍‌’ ସ୍ଥଳୀ ଘୋଷଣା କରାଯିବା ପରେ ସିଡିଏ କର୍ତ୍ତୃପକ୍ଷ ଏହାର ଚତୁଃପାର୍ଶ୍ବରେ ବୃକ୍ଷରୋପଣ ଏବଂ ଆର୍ଦ୍ରଭୂମିର ସଂରକ୍ଷଣ ଦିଗରେ ପଦକ୍ଷେପ ନେଇଥିଲେ । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଚିଲିକାର ଆୟତନ ଧୀରେ ଧୀରେ କମିବା ସହ ବିଭିନ୍ନ ପ୍ରଜାତିର ପ୍ରାଣୀ ବିଲୁପ୍ତ ହେବାକୁ ବସିଲେଣି । ସିଡିଏ ଦ୍ବାରା ବିଭିନ୍ନ ଆର୍ଥିକ ବର୍ଷରେ ପଙ୍କ ଉଦ୍ଧାର ଓ ଅନ୍ତନାଳୀ ଖୋଳା କାର୍ଯ୍ୟକ୍ରମ ହେଉଛି । କେବଳ ସେତିକି ନୁହେଁ ଅନ୍ତନାଳୀର ପୁନରୁଦ୍ଧାର ମଧ୍ୟ ହେଉଛି । ଚିଲିକାର ସୁରକ୍ଷା ଓ ଏହାର ପରିସଂସ୍ଥାର ପୁନରୁଦ୍ଧାର କରିବାକୁ ସିଡିଏ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ମାଡ୍ରାସର ବୈଷୟିକ ପରାମର୍ଶକ୍ରମେ ଦୀର୍ଘମିଆଦି କାର୍ଯ୍ୟକ୍ରମ ଖସଡ଼ା (ଡିପିଆର୍‌) ପ୍ରସ୍ତୁତ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଡିପିଆର୍‌ ପ୍ରସ୍ତୁତ ପରେ ଚିଲିକାର ପୁନରୁଦ୍ଧାରକୁ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।