women hockey Photograph: (Kanak News)
କନକ ବ୍ୟୁରୋ: ମହିଳା ହକି ଇଣ୍ଡିଆ ଲିଗ୍ର ଦ୍ଵିତୀୟ ସଂସ୍କରଣରେ ଏସ୍ଜି ପାଇପର୍ସ ବିଜେତା ହୋଇଛି । କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଏହି ଦଳ ୩-୨ (୨-୧) ସୁଟ୍ଆଉଟ୍ରେ ଶ୍ରାଚୀ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରିଥିଲା । ମ୍ୟାଚ୍ର ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା । ହେଲେ ଦ୍ବିତୀୟ କ୍ବାର୍ଟରର ପ୍ରଥମ ମିନିଟ୍ରେ ସୁଶୀଳା ଚାନୁଙ୍କ ଏକ ଚମତ୍କାର ପାସ୍କୁ ଲାଲ୍ରେମ୍ସିଆମି (୧୬ ମିନିଟ୍) ଗୋଲ୍ରେ ପରିଣତ କରି ଟାଇଗର୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହେବା ପରେ ଚତୁର୍ଥ କ୍ବାର୍ଟରରେ ପ୍ରୀତି ଦୁବେ (୫୩ ମିନିଟ୍) ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲେ।
ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନ ହେବାରୁ ମ୍ୟାଚ୍ ୧-୧ରେ ଶେଷ ହେବାରୁ ଫଳାଫଳ ସୁଟ୍ଆଉଟ୍କୁ ଯାଇଥିଲା। ଏଥିରେ ପାଇପର୍ସ ଅଧିନାୟିକା ନବନୀତ କୌର, ଜୁଆନା କାଷ୍ଟେଲାରୋ ଓ ଲୌରା ରିଏରା ଏବଂ ଟାଇଗର୍ସର ସୁଖବୀର କୌର ଓ ଲାଲରେମସିଆମି ସଫଳତା ସହ ଗୋଲ୍ ଦେଇଥିଲେ। ହେଲେ ପାଇପର୍ସ ଗୋଲି ବଂଶାରୀ ସୋଲାଙ୍କି ୩ଟି ଗୋଲ୍ ଅଟକାଇ ଦଳକୁ ବିଜେତା କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପାଇପର୍ସ ବଂଶାରୀ ପ୍ରତିଯୋଗିତାର ଶ୍ରେଷ୍ଠ ଗୋଲି, ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋ ଉଦୀୟମାନ ଖେଳାଳି ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଥିଲେ।
ଆହୁରି ପଢ଼ନ୍ତୁ... ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନିକିଆ: ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି
ଟାଇଗର୍ସର ଅଗଷ୍ଟିନା ଗୋର୍ଜେଲାନି (୫ ଲକ୍ଷ) ସର୍ବୋଚ୍ଚ ଗୋଲ୍ ସ୍କୋରର୍, ପାଇପର୍ସର ଅଧିନାୟିକା ନବନୀତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ବାବଦରେ ୨୦ ଲକ୍ଷ ଟଙ୍କା ହାତେଇଥିଲେ। ସେହିପରି ବିଜେତା ଓ ଉପବିଜେତା ଦଳକୁ ହକି ଇଣ୍ଡିଆ ଯଥାକ୍ରମେ ଦେଢ଼ କୋଟି ଓ ୧ କୋଟି ଟଙ୍କାର ରାଶି ପ୍ରଦାନ କରିଥିଲା। ତୃତୀୟସ୍ଥାନରେ ଥିବା ରାଞ୍ଚି ରୟାଲ୍ସକୁ ମିଳିଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥିଲା।
Follow Us