କନକ ବ୍ୟୁରୋ : କିଛି ଲୋକ କୁକୁର ପାଳିବାକୁ ବହୁତ ପସନ୍ଦ କରନ୍ତି । ପ୍ରାୟତଃ ଅନେକ ଘରେ ପୋଷା କୁକୁର ଥିବେ , ଏହି ପୋଷା ଜୀବ ମାଲିକଙ୍କ ସହ ଖେଳିବାଠାରୁ ଆରମ୍ଭ କରି ଏକାଠି ବାହାରକୁ ବୁଲିବାକୁ ଯିବା , ମାଲିକଙ୍କ ହାତ,ଗୋଡ଼ ଚାଟିବା ଭଳି କାର୍ଯ୍ୟକଳାପ କରିଥା’ନ୍ତି । ଯାହା ଏକ ସାଧାରଣ କଥା । କାରଣ କୁକୁରଟି ମାଲିକଙ୍କୁ ଏତେ ଭଲପାଇ ଯାଇଥାଏ ଯେ ସେ ଆଦରରେ ଗେଲ କରି ଭଲପାଇବା ଜାହିର କରେ । କିନ୍ତୁ ଆପଣ କେବେ ଭାବିଛନ୍ତି କି କୁକୁରର ସାଧାରଣ ଚାଟିବା ମଧ୍ୟ ଘାତକ ହୋଇପାରେ ? ଆପଣ ଆଗକୁ ଅନେକ ଘଟଣା ଶୁଣିଥିବେ ଯେ କୁକୁର କାମୁଡ଼ିଲେ କିମ୍ବା ରାମ୍ପୁଡ଼ିଲେ ରେବିସ୍ ଭଳି ମାରାତ୍ମକ ରୋଗ ମଣିଷକୁ ହୋଇଯାଏ । ଏହି ରୋଗରେ ତୁରନ୍ତ ଚିକିତ୍ସା କଲେ ତ ଠିକ୍ କିନ୍ତୁ ଅବହେଳା କଲେ ମଣିଷର ଜୀବନ ଅତି ଦୟନୀୟ ଅବସ୍ଥାରେ ଚାଲିଯାଏ । ହେଲେ ଏବେ କୁକୁରର ଚାଟିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଛି ।
ଆଗକୁ ପଢ଼ନ୍ତୁ : କେବେ ମମତା ପାଇଁ ଖେଳନାକୁ କରିଥିଲା ମା’ , ଏବେ କୋଟି କୋଟି ଟଙ୍କାରେ କିଣାହେବ ପଞ୍ଚ୍
ୟୁକେରେ ରହୁଥିବା ୫୨ ବର୍ଷୀୟା ମହିଳା ମନଜିତ୍ ସାଙ୍ଘାଙ୍କ ସହିତ ଘଟିଛି ଏଭଳି ଦୁଃଖଦ ଘଟଣା । ଗତବର୍ଷ ଜୁଲାଇ ମାସରେ ମନଜିତ୍ ସବୁଦିନ ପରି କାମରୁ ଫେରିଥିଲେ କିନ୍ତୁ ଅସୁସ୍ଥ ଅନୁଭବ କରି ଶୋଇପଡ଼ିଥିଲେ । ପରଦିନ ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା ହାତ,ଗୋଡ଼ ବରଫ ଭଳି ଥଣ୍ଡା ହୋଇଯାଇଥିଲା ଏବଂ ଓଠ ମଧ୍ୟ ନୀଳ ପଡ଼ି ନିଶ୍ବାସ ନେବାରେ ଅସୁବିଧା ହେଉଥିଲା । ପରିବାର ତାଙ୍କର ଏଭଳି ଅବସ୍ଥା ଦେଖି ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । ଡାକ୍ତର ସେଠାରେ ମହିଳାଙ୍କୁ ସେପ୍ସିସ୍ ରୋଗ ହୋଇଛି ବୋଲି କହିଥିଲେ । ଏହା ଏକ ବିପଦଜନକ ଅବସ୍ଥା ଯେଉଁଥିରେ ସଂକ୍ରମଣ ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ । ଅବସ୍ଥା ଏତେ ଗମ୍ଭୀର ଥିଲା ଯେ ଡାକ୍ତରମାନଙ୍କୁ ତାଙ୍କ ଆଣ୍ଠୁ ତଳର ଦୁଇଟି ଗୋଡ଼ ଏବଂ ଦୁଇଟି ହାତ କାଟିବାକୁ ପଡ଼ିଥିଲା । ଚିକିତ୍ସା ସମୟରେ ସେ ୬ ଥର ହୃଦଘାତର ଶିକାର ହୋଇଥିଲେ । ଡାକ୍ତର ଏହି ସମସ୍ୟାକୁ ଗମ୍ଭୀର ବୋଲି କହିବା ସହ ପୋଷା କୁକୁର କୌଣସି କଟା ସ୍ଥାନକୁ ଚାଟିଲେ ଏଭଳି ସଂକ୍ରମଣ ହୁଏ ବୋଲି କହିଥିଲେ । କୁକୁର ଲାଳରେ ଥିବା ଜୀବାଣୁ କ୍ୟାପନୋସାଇଟୋଫାଗା କାନିମୋର୍ସସ୍ ସାଧାରଣତଃ କୁକୁରମାନଙ୍କ ପାଇଁ କ୍ଷତିକାରକ ନୁହେଁ । କିନ୍ତୁ ମଣିଷଙ୍କ କ୍ଷେତ୍ରରେ ଏହା ଗମ୍ଭୀର ସଂକ୍ରମଣ ଏବଂ ସେପ୍ସିସ୍ ସୃଷ୍ଟି କରିପାରେ ।
ସେପ୍ସିସ୍ ଯେକୌଣସି ସଂକ୍ରମଣ ଦ୍ୱାରା ଆରମ୍ଭ ହୋଇପାରେ । ଯେମିତିକି ଫୁସଫୁସ ସଂକ୍ରମଣ, ମୂତ୍ରନଳୀ ସଂକ୍ରମଣ, ପେଟ କିମ୍ବା ଅନ୍ତନଳୀ ସଂକ୍ରମଣ, ଚର୍ମ ସଂକ୍ରମଣ ଏବଂ ମସ୍ତିଷ୍କ କିମ୍ବା ମେରୁଦଣ୍ଡ ସଂକ୍ରମଣ । ଅଧିକାଂଶ କ୍ଷେତ୍ରରେ ଜୀବାଣୁ ସଂକ୍ରମଣ ହିଁ ଏହାର ପ୍ରମୁଖ କାରଣ । ଏହା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ସେପ୍ସିସର ଲକ୍ଷଣ ହେଉଛି ଉଚ୍ଚ ଜ୍ୱର କିମ୍ବା ଶରୀରର ତାପମାତ୍ରା କମିଯିବା , ଦ୍ରୁତ ହୃଦସ୍ପନ୍ଦନ, ଦ୍ରୁତ ନିଶ୍ୱାସ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା, କମ୍ ପରିସ୍ରା, ଅତ୍ୟଧିକ ଥକ୍କାପଣ, ଚର୍ମରେ ଲାଲ କିମ୍ବା କଳା ଦାଗ, ନିମ୍ନ ରକ୍ତଚାପ, ଥଣ୍ଡା ଲାଗିବା କିମ୍ବା ଥରିବା ଭଳି ଲକ୍ଷଣଗୁଡ଼ିକ ହଠାତ୍ ଦେଖାଗଲେ ତୁରନ୍ତ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି କୌଣସି ସ୍ଥାନରେ ଆଘାତ ଲାଗିଛି ତେବେ କୁକୁର ହେଉ କିମ୍ବା ଅନ୍ୟ କୌଣସି ପୋଷା ଜୀବ ଚାଟିବାକୁ ଦିଅନ୍ତୁ ନାହିଁ । ଛୋଟ କ୍ଷତକୁ ବି ତୁରନ୍ତ ସଫା କରି ଘୋଡ଼ାଇ ଦିଅନ୍ତୁ । ଜ୍ୱର, ଥଣ୍ଡା କିମ୍ବା ହଠାତ୍ ଦୁର୍ବଳତାକୁ ଅଣଦେଖା କରନ୍ତୁ ନାହିଁ । ପାଳିତ ପଶୁମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/03/02/dog-2026-03-02-16-58-01.jpg)