କନକ ବ୍ୟୁରୋ : ଇଣ୍ଟରନେଟର ଦୁନିଆରେ ଯଦି କୌଣସି ଭିଡିଓ ୟୁଜର୍ସଙ୍କୁ ଭଲ ଲାଗିଗଲା ତା’ହେଲେ ତାହା ଭାଇରାଲ୍ ତାଲିକାରେ ସାମିଲ ହେବାଟା ଥୟ । ଯେମିତିକି କିଛି ଦିନ ତଳେ ଏକ ପେଙ୍ଗୁଇନର ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବେ ଠିକ୍ ସେମିତି ଏକ କୁନି ମାଙ୍କଡ଼ ସୋସିଆଲ୍ ମିଡିଆରେ ହଇଚଇ ମଚାଇଛି । ୟୁଜର ଏହି ମାଙ୍କଡ଼ର ଜୀବନୀ ସହିତ ନିଜକୁ ତୁଳନା କରୁଛନ୍ତି । ଭିଡିଓ ଏବଂ ଏହାର କାହାଣୀ ଭାଇରାଲ୍ ହେବା ଦିନଠୁ ଲୋକେ କୁନି ମାଙ୍କଡ଼ଟିକୁ କରୁଣାର ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି । ଏହି କାହାଣୀର ଆରମ୍ଭ ହୁଏ ୨୦୨୫ ରୁ , ଯେତେବେଳେ ଜାପାନ ଚିଡ଼ିଆଖାନାରେ ଜନ୍ମ ନିଏ କୁନି ମାଙ୍କଡ଼ ପଞ୍ଚ୍ । ହେଲେ ଦୁର୍ଭାଗ୍ୟବଶତଃ ତା'ର ମା’ ପ୍ରଥମ କରି ଜନ୍ମ ଦେଇଥିବାରୁ ହେଉ କିମ୍ବା ମାନସିକ ଚାପ ଯୋଗୁଁ ସନ୍ତାନକୁ ଆଦରିବା ପରିବର୍ତ୍ତେ ନିଜଠାରୁ ଦୂରେଇ ଦେଇଥିଲେ । ମା’ କୋଳରେ ଜାକିଜୁକି ଶୋଇପଡୁଥିବା କୁନି ପିଲାଟି ମମତା, ସ୍ନେହ ଟିକିଏ ପାଇବା ପାଇଁ ଯେମିତି ବ୍ୟାକୁଳ ହୋଇପଡୁଥିଲା । କୁହନ୍ତି ମା’କ୍ଷୀର ଶିଶୁ ପାଇଁ ଅମୃତ ସମାନ କିନ୍ତୁ ଅଭାଗା ପଞ୍ଚ୍ ଭାଗ୍ୟରେ ମା’କ୍ଷୀର ଖାଇବା ତ ଦୂରର କଥା ମା’ ସ୍ନେହ ବି ମିଳିଲାନି । ମା’ର ମମତା ନପାଇ ଧୀରେ ଧୀରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲା ପଞ୍ଚ୍ ।
ଆଗକୁ ପଢ଼ନ୍ତୁ : ମାର୍ଚ୍ଚ ୩ ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ : ଗ୍ରହଣରେ ରୋଷେଇ କଲେ କି ଖାଇଲେ କ’ଣ ହୁଏ ? କ’ଣ କୁହେ ବିଶ୍ବାସ ଓ ବିଜ୍ଞାନ ?
ପଞ୍ଚ୍ କୁ ବିଷାଦଗ୍ରସ୍ତ ଅବସ୍ଥାରେ ଦେଖି ଚିଡ଼ିଆଖାନାର କର୍ମଚାରୀ ତା’ ଉପରେ ଦୟା କଲେ ଏବଂ ସେମାନେ ତାକୁ ଏକ 'ଓରାଙ୍ଗଉଟାନ୍' ଖେଳନା ଖେଳିବାକୁ ଦେଇଥିଲେ । ଛନ୍ଦକପଟ ବିହୀନ ଶିଶୁ ତ ଭଗବାନଙ୍କ ସ୍ବରୂପ ଏବେ ସେ ମଣିଷ ହେଉ କି ମାଙ୍କଡ଼ , ସେ କାହିଁକି ଜାଣିବ ଯେ ଖେଳନାଟି ନିର୍ଜୀବ ବୋଲି । ଜନ୍ମକଲା ମା’ ଯେତେବେଳେ ପର କରିଦେଲା ପଞ୍ଚ୍ ଖେଳନାକୁ ହିଁ ସତସତିକା ମା’ ଭାବି ଚାରିଆଡ଼େ ଧରି ବୁଲିଲା । ଏକାଠି ଖାଇବା,ବୁଲିବା,ଶୋଇବା,ଖେଳିବା ସବୁ ... ଯେମିତି ନିର୍ଜୀବ ଖେଳନାଟି ପଞ୍ଚ୍ କୁ ବଞ୍ଚିବାର ନୂଆରାସ୍ତା ଦେଖାଇଦେଲା । ପଞ୍ଚ୍ ର ଏହି କାହାଣୀ ଯେତେବେଳେ ପୂରା ବିଶ୍ବ ଜାଣିଲା ପ୍ରତିଟି ଆଖିରୁ ଲୁହ ଏବଂ ପାଟିରୁ ଆହାଃ ପଦେ ବାହାରିଲା । ମା’ର ମମତା ବିନା ଜୀବନ କେତେ କଷ୍ଟଦାୟକ ଏହାର ସତ ପୂରା ଦୁନିଆକୁ ଚିତ୍କାର କରି କହିଥିଲା କଥା କହିପାରୁନଥିବା ଏ କୁନି ମାଙ୍କଡ଼ । ତେବେ ବର୍ତ୍ତମାନ ଏହି କାହାଣୀ ଏମିତି ଏକ ମୋଡ଼ରେ ପହଞ୍ଚିଛି ସମସ୍ତେ କୁନି ମାଙ୍କଡ଼କୁ କିଣିବା ପାଇଁ ଜାପାନର ଚିଡ଼ିଆଖାନାରେ ପହଞ୍ଚିଛନ୍ତି । ଜଣେ ଇଣ୍ଟରନେଟ୍ ଇନଫ୍ଲୁଏନ୍ସର୍ ମାଙ୍କଡ଼ଟିକୁ କିଣିବା ପାଇଁ ୨ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି । ଟ୍ରିଷ୍ଟାନ୍ ଟେଟ୍ ନାମକ ଜଣେ ବ୍ରିଟିଶ-ଆମେରିକୀୟ ଧନୀ ବ୍ୟକ୍ତି ମାଙ୍କଡ଼ଟିକୁ କିଣିବା ପାଇଁ ଚିଡ଼ିଆଖାନାକୁ ପ୍ରସ୍ତାବ ଦେଇଛନ୍ତି । ଯଦି ପଞ୍ଚ୍ ଅନ୍ୟତ୍ର ଯିବାକୁ ଅରାଜି ହୁଏ ତେବେ ଚିଡ଼ିଆଖାନା ଭିତରେ ହିଁ ସବୁ ସୁବିଧା ଉପଲବ୍ଧ କରାଇବାକୁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
ପଞ୍ଚ୍ର ଏହି କାହାଣୀ ସମାଜକୁ ଏକ ବଡ଼ ଶିକ୍ଷା ଦିଏ ଯେ ସ୍ନେହ , ପ୍ରେମ,କରୁଣା,ଭଲପାଇବା ଏବଂ ସୁରକ୍ଷାର ଆବଶ୍ୟକତା କେବଳ ମଣିଷକୁ ହିଁ ନୁହେଁ ଦୁନିଆର ପ୍ରତିଟି ଜୀବ ପାଇଁ ଅପରିହାର୍ଯ୍ୟ । ଗୋଟିଏ ନିର୍ଜୀବ ଖେଳନା କେମିତି ଏକୁଟିଆ ବେଳର ସାହାରା ସାଜେ ତାହାର ଝଲକ କୁନି ମାଙ୍କଡ଼ର ଆଖିରୁ ସ୍ପଷ୍ଟ ବାରି ହେଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/24/monkey-2026-02-24-17-24-12.jpg)