କନକ ବ୍ୟୁରୋ : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅସ୍ବାଭାବିକ ମୃତ୍ୟୁ ଉପରୁ ଶୀଘ୍ର ପରଦା ଉଠୁ ବୋଲି ଚାହିଁ ବସିଛନ୍ତି ତାଙ୍କ ପ୍ରଶଂସକ । ହେଲେ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଏବେ ଧିମେଇଗଲାଣି । ହ୍ୟୁମାନଙ୍କ ମୃତ୍ୟୁ ବିବାଦକୁ ନେଇ କଟକ ମର୍କତନଗର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା , ହେଲେ ଏବେ ଏହା ଧିମେଇଯାଇଛି । କାରଣ ମର୍କତନଗର ଥାନାର ତଦନ୍ତକାରୀ ଅଫିସର ତଥା ଆଇଆଇସି ସତ୍ୟବ୍ରତ ଭୂତିଆଙ୍କ ଲାଲବାଗ ଥାନାକୁ ବଦଳି ହୋଇଯାଇଛି । ଫଳରେ ତଦନ୍ତର ଗତି ଆହୁରି ମନ୍ଥର ହେବାର ଆଶଙ୍କା କରାଯାଉଛି । ସେପଟେ ଏମ୍ସ ପକ୍ଷରୁ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ମେଡିକାଲ ରିପୋର୍ଟ ଏଯାବତ୍ ପୁଲିସର ହସ୍ତଗତ ହୋଇନାହିଁ । କେବେ ଏମ୍ସ କର୍ତ୍ତୃପକ୍ଷ ମର୍କତନଗର ଥାନାକୁ ରିପୋର୍ଟ ପ୍ରଦାନ କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । 

Advertisment

ଗତ ଡିସେମ୍ବର ୨୧ ତାରିଖରେ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା ମର୍କତନଗର ଥାନାରେ ଏତଲା ଦେବାପରେ ପୁଲିସ ୯ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ସେମାନଙ୍କୁ ଜେରା କରିବା ପାଇଁ ୨ ଦିନ ମଧ୍ୟରେ ସମସ୍ତକୁ ନୋଟିସ୍‌ ହୋଇଥିଲା ।  ହେଲେ ଏପର୍ଯ୍ୟନ୍ତ ପୁଲିସ କୌଣସି ଅଭିଯୁକ୍ତଙ୍କୁ ନୋଟିସ୍‌ କରିନାହିଁ । ଏତଲାର ୧୫ ଦିନ ବିତିଯାଇଥିଲେ ବି କାହାରିକୁ ଜେରା କରାଯାଇ ନାହିଁ । ତଦନ୍ତରେ ବିଳମ୍ବ ହେବାରୁ ଏହା ବାଟବଣା ହେବା ସହ ଅଭିଯୁକ୍ତମାନେ ଖସିଯିବାର ସମ୍ଭାବନା ରହିଛି । 

ଅଧିକ ପଢ଼ନ୍ତୁ---ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ; ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କୁ ମିଳିଲାନି ବେଲ୍

ମାନସିକ ନିର୍ଯ୍ୟାତନା, ଟଙ୍କା ହଡ଼ପ ଏବଂ ବିଷକ୍ରିୟା ସନ୍ଦେହ । ଏହି ତିନୋଟି ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ମାତ୍ର ତଦନ୍ତ ପ୍ରକ୍ରିୟା ଏଠାରୁ ଆଗେଇ ନାହିଁ । ହ୍ୟୁମାନଙ୍କ ମୋବାଇଲ୍ ସିଡିଆର୍ ଏବଂ ହ୍ବାଟ୍ସଆପ୍ ରେକର୍ଡରୁ ଅଭିଯୁକ୍ତଙ୍କୁ ଜେରା କରିବାର ଥିଲା , ତାହା ହୋଇନାହିଁ । ଟଙ୍କା ହଡ଼ପ ଅଭିଯୋଗ ନେଇ ହ୍ୟୁମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଓ ଆର୍ଥିକ କାରବାରର ଯାଞ୍ଚ କରାଯିବାର ଥିଲା । ତାହା ବି ପୁଲିସ କରିନଥିବା କୁହାଯାଉଛି । ଫଳରେ ତଦନ୍ତ ପ୍ରକ୍ରିୟା ଆହୁରି ବିଳମ୍ବ ହେବାର ଆଶଙ୍କା କରାଯାଉଛି ।