କନକ ବ୍ୟୁରୋ : ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ସମ୍ପର୍କିତ ମାମଲାରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ଉଭୟଙ୍କୁ ଜାମିନ ମିଳିବ ନାହିଁ । ଏହି ଟିପ୍ପଣୀ ଦେବା ସହ ସୁପ୍ରିମକୋର୍ଟ ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ମାମଲାକୁ ଅନ୍ୟ ଅଭିଯୁକ୍ତଙ୍କ ସହ ତୁଳନା କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଜାମିନ ଆବେଦନର ଯାଞ୍ଚ ଅଲଗା ଅଲଗା ଭାବେ କରିବାକୁ ହେବ , କାରଣ ସାତ ଜଣଯାକ ଅଭିଯୁକ୍ତ ଅପରାଧ ମାମଲାରେ ଏକାଭଳି ସ୍ଥିତିରେ ନାହାନ୍ତି ।

Advertisment

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଜାଣିଶୁଣି ସାମୂହିକ କିମ୍ବା ସମାନ ଦୃଷ୍ଟିକୋଣରୁ ବଞ୍ଚିବାକୁ ଚେଷ୍ଟା କରାଯାଇଛି । ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ବିରୋଧରେ ପ୍ରାଥମିକ ଦୃଷ୍ଟିରୁ ଅଭିଯୋଗ ପ୍ରମାଣିତ ହେଉଥିବା ନେଇ କୋର୍ଟ ସନ୍ତୁଷ୍ଟ ଅଛନ୍ତି । ଅପିଲକାରୀଙ୍କ ଉପରେ ଆଇନଗତ ସର୍ତ୍ତ ଲାଗୁ ହେଉଛି । ସେମାନଙ୍କୁ ଜାମିନରେ ମୁକ୍ତ କରିବାର କୌଣସି ଯଥାର୍ଥତା ନାହିଁ । ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କୁ ବାଦ୍ ଦେଇ ବାକି ଅଭିଯୁକ୍ତ ଗୁଲଫିସା ଫାତିମା, ମୀରାନ ହାଇଦର, ଶିଫା-ଉର୍-ରେହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦାବ ଅହମ୍ମଦଙ୍କ ଜାମିନ ମଞ୍ଜୁର କରିଛନ୍ତି ।

ଅଧିକ ପଢ଼ନ୍ତୁ---ମହାରାଷ୍ଟ୍ର ରାଜନୀତିରେ ମହାନାଟକ ; ମେଣ୍ଟରୁ ଦୂରଉଛନ୍ତି ଅଜିତ ପାୱାର

ଦିଲ୍ଲୀ ଦଙ୍ଗାର ମାଷ୍ଟରମାଇଣ୍ଡ ହେବାର ରହିଛି ଅଭିଯୋଗ

ସୂଚନା ଅନୁସାରେ ଉମର ଖାଲିଦ, ଶରଜିଲ ଇମାମ, ଗୁଲଫିସା ଫାତିମା, ମୀରାନ ହାଇଦର, ଶିଫା-ଉର୍-ରେହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦାବ ଅହମ୍ମଦଙ୍କ ଉପରେ ଫେବୃଆରୀ ୨୦୨୦ର ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ହୋଇଥିବା ଅଭିଯୋଗ ରହିଛି । ସେମାନଙ୍କ ବିରୋଧରେ UAPA ଏବଂ ଅନ୍ୟ କେତେକ ଧାରାରେ ମାମଲା ରୁଜୁ ହୋଇଛି । ଏହି ହିଂସା ନାଗରିକତା ସଂଶୋଧନ ଆଇନ ଏବଂ ପ୍ରସ୍ତାବିତ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (NRC) ବିରୋଧରେ ଚାଲିଥିବା ପ୍ରଦର୍ଶନ ସମୟରେ ଭିତରେ ଉଗ୍ର ରୂପ ନେଇଥିଲା । ଏଥିରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

ଅଭିଯୁକ୍ତମାନଙ୍କ ଜାମିନକୁ ବିରୋଧ କରି ଦିଲ୍ଲୀ ପୁଲିସ ବାରମ୍ବାର ଏହି ଯୁକ୍ତି ବାଢ଼ିଥିଲା ଯେ ହିଂସା ହଠାତ୍ ହୋଇନଥିଲା, ବରଂ ଏହା ଏକ ସୁପରିକଳ୍ପିତ ଏବଂ ପୂର୍ବ ପ୍ରସ୍ତୁତ ଷଡ଼ଯନ୍ତ୍ରର ଅଂଶ ଥିଲା । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ ପୁଲିସ ଦାବି କରିଛି ଯେ ଏହି ଦଙ୍ଗା ଶାସନ ପରିବର୍ତ୍ତନ ପାଇଁ ଏକ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଭାରତକୁ ଅସ୍ଥିର କରିବା ଏବଂ ସମଗ୍ର ବିଶ୍ୱରେ ଦେଶକୁ ବଦନାମ କରିବା ।