କ୍ଲିନ୍‌ ସ୍ୱିପ୍‌ କରିନେବ କି ଦକ୍ଷିଣ ଆଫ୍ରିକା ? ଭାରତୀୟ ବୋଲର ବି କରୁଛନ୍ତି ସଂଘର୍ଷ

୩୦ ବର୍ଷର ରେକର୍ଡ ଭାଙ୍ଗି ଦକ୍ଷିଣ ଆଫ୍ରିକା କ୍ଲିନ୍‌ ସ୍ୱିପ୍‌ କରିପାରେ ବୋଲି ଆଶଙ୍କା ହେଲାଣି । କାରଣ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରୁଛି ।

Ind vs South Africa

Ind vs South Africa Photograph: (Kanak News)

କନକ ବ୍ୟୁରୋ : ଘରୋଇ ମୈଦାନ୍‌ରେ ବି ଫାଇଦା ଉଠାଇପାରୁ ନାହାନ୍ତି ଭାରତୀୟ କ୍ରିକେଟର । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟିଂ ଅର୍ଡର ଫେଲ୍‌ ମାରିବା ପରେ ଏବେ ବୋଲିଂରେ ବି ସଂଘର୍ଷ କରୁଛନ୍ତି ଭାରତୀୟ ବୋଲର । ଏବେ ୩୦ ବର୍ଷର ରେକର୍ଡ ଭାଙ୍ଗି ଦକ୍ଷିଣ ଆଫ୍ରିକା କ୍ଲିନ୍‌ ସ୍ୱିପ୍‌ କରିପାରେ ବୋଲି ଆଶଙ୍କା ହେଲାଣି । କାରଣ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରୁଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଟିମ୍‌ ଇଣ୍ଡିଆକୁ ଅକଲରେ ପକାଇଛି ଦକ୍ଷିଣ ଆଫ୍ରିକା । 

ଗୁଆହାଟୀରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଉପରେ ଘୋଟି ଆସିଛି ପରାଜୟର କଳା ବାଦଲ । ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଉପରେ ନିଜର ସ୍ଥିତି ମଜଭୁତ କରିଛି । ପ୍ରଥମ ଇନିଂସରେ ପ୍ରୋଟିଆଜ୍‌ ଦଳ ୪୮୯ ରନ୍ କରିଥିବା ବେଳେ ଘରୋଇ ଭାରତୀୟ ଦଳ ମାତ୍ର ୨୦୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ନିଜର ଦ୍ୱିତୀୟ ଇନିଂସରେ ଦମଦାର୍‌ ବ୍ୟାଟିଂ କରିଛି ଓ ବିଜୟ ଆଡ଼କୁ ଅଗ୍ରସର ହେଉଛି । 
ଚଳିତ ଟେଷ୍ଟ୍ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ବାରମ୍ବାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । କେବଳ ଯଶସ୍ୱୀ ଜୟସ୍ୱାଲ୍‌ଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟର ଏକ ଅର୍ଦ୍ଧଶତକ ବି ହାସଲ କରିପାରି ନାହାନ୍ତି । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଯଶସ୍ୱୀ ୫୮ ରନ୍ କରିଥିଲେ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ସେନୁରନ୍ ମୁଥୁସ୍ୱାମୀ ଶତକୀୟ ପାଳି ଖେଳିଥିଲେ ଏବଂ ମାର୍କୋ ଯାନସେନ୍ ୯୩ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । 

ଅଧିକ ପଢ଼ନ୍ତୁ--ମାଓବାଦୀଙ୍କୁ ଘାରିଲାଣି ଏନ୍‌କାଉଣ୍ଟର ଭୟ ; ଆତ୍ମସମର୍ପଣ ପାଇଁ ଫେବ୍ରୁଆରି ୧୫ ଯାଏଁ ମାଗଲେ ସମୟ

ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜ୍‌ରେ ଟିମ୍ ଇଣ୍ଡିଆ ପାଖରେ ଆଉ ମାତ୍ର ଗୋଟିଏ ଇନିଂସ ବାକି ଅଛି । ଯଦି ଏଥିରେ କୌଣସି ଭାରତୀୟ ବ୍ୟାଟର  ଶତକ ହାସଲ ନକରନ୍ତି, ତେବେ ଗତ ୩୦ ବର୍ଷ ମଧ୍ୟରେ ଘରୋଇ ମାଟିରେ ଖେଳାଯାଇଥିବା କୌଣସି ଟେଷ୍ଟ ସିରିଜ୍‌ରେ ଏହା ପ୍ରଥମ ଘଟଣା ହେବ ଯେଉଁଠି ଏକ ସିରିଜ୍‌ରେ କୌଣସି ଭାରତୀୟ ଖେଳାଳି ଶତକ ମାରିପାରିବେନି । ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତ ଗତ ବର୍ଷ ନଭେମ୍ବରରେ ନ୍ୟୁଜିଲାଣ୍ଡଠାରୁ ଘରୋଇ ମାଟିରେ ୦-୩ରେ ସିରିଜ୍ ହାରିଥିଲା । ଏବେ ବର୍ଷକ ଭିତରେ ପୁଣି ଥରେ କ୍ଲିନ୍ ସୁଇପ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସିରିଜ୍‌ରେ ଭାରତ ୦-୧ରେ ପଛୁଆ ଅଛି, ତେଣୁ ଯଦି ଦ୍ୱିତୀୟ ଟେଷ୍ଟ ଡ୍ର ମଧ୍ୟ ହୁଏ, ତେବେ ବି ଦକ୍ଷିଣ ଆଫ୍ରିକା ସିରିଜ୍ ଜିତିଯିବ ।

ଟେଷ୍ଟ ସିରିଜ୍ ପରେ ନଭେମ୍ବର ୩୦ରୁ ଉଭୟ ଦେଶ ମଧ୍ୟରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ପରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ବି ଘୋଷଣା ହୋଇ ସାରିଛି । ଦୀର୍ଘ ଦିନ ପରେ ପୁଣି ରୋହତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ପାଇବେ ଦର୍ଶକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe