new cs Photograph: (kanak news)
କନକ ବ୍ୟୁରୋ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଜାନୁଆରି ପହିଲାରୁ କିଏ ଧରିବେ ରାଜ୍ୟ ପ୍ରଶାସନର ମଙ୍ଗ? ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ପୁଣି ବଢ଼ିବ ନା ନୂଆ କାହାକୁ ଏହି ପଦବିରେ ବସାଯିବ? ପୁଣି ଓଡ଼ିଆ-ଅଣଓଡ଼ିଆ ପ୍ରସଙ୍ଗ ସାମନାକୁ ଆସିବ କି? ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦବି ପାଇଁ ଏମିତି ପ୍ରଶ୍ନବାଚୀ ଏବେ କ୍ଷମତା କରିଡର୍ରେ ଚର୍ଚ୍ଚା ସୃଷ୍ଟି କରିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି । ତେଣୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚର୍ଚ୍ଚା, ଆଉ ଲବି ଆରମ୍ଭ ହେଲାଣି ।
ରାଜ୍ୟରେ ବିଜେପି ସରକାର ଆସିଲା ପରେ ଗତବର୍ଷ ଜୁଲାଇ ୧ରେ ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ । ସେତେବେଳେ ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିଲେ । ତେବେ ମୁଖ୍ୟ ଶାସନ ସଚିବ ପଦବି ପାଇଁ ଯେଉଁ ନାମ ସବୁ ଚର୍ଚ୍ଚା ହେଉଥିଲା, ସେଥିରେ ମନୋଜ ଆହୁଜା ଆଦୌ ନଥିଲେ। କିନ୍ତୁ ତାଙ୍କୁ ଡେପୁଟେସନ୍ରୁ ଫେରାଇ ଆଣି ହଠାତ୍ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଗଲା। ବହୁ ବର୍ଷ ବ୍ୟବଧାନ ପରେ ଜଣେ ଅଣଓଡ଼ିଆ ଆଇଏଏସ୍ ଅଧିକାରୀ ମୁଖ୍ୟ ଶାସନ ସଚିବ ହୋଇଥିଲେ। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏଥିପାଇଁ କିଛି ମାତ୍ରାରେ ସମାଲୋଚିତ ବି ହୋଇଥିଲେ। ତେବେ ୨୦୨୪ ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିଥିଲେ ବି, ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବଢ଼ାଇ ଦେଇଥିଲେ। ତେଣୁ ଏବେ ଚର୍ଚ୍ଚା ହେଉଛି, ମନୋଜ ଆହୁଜାଙ୍କ ପରେ କିଏ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ?
ଆହୁରି ପଢ଼ନ୍ତୁ : କାହିଁକି ଅଧାରୁ ସିରିଜ୍ ଛାଡିଲେ ବୁମ୍ରା ? ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ ନଥିଲା
ବିଜେଡି ସରକାର ସମୟରେ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ର ଆଉ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବି ବଢ଼ିଥିଲା। ସୁରେଶ ମହାପାତ୍ରଙ୍କର ଦୁଇଟି ପର୍ଯ୍ୟାୟରେ ଗୋଟିଏ ବର୍ଷ ଆଉ ପ୍ରଦୀପ ଜେନାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। କିନ୍ତୁ ମନୋଜ ଆହୁଜାଙ୍କ କ୍ଷେତ୍ରରେ ଏକାଥରେ ଗୋଟିଏ ବର୍ଷ ବୃଦ୍ଧି ପରେ ଏବେ ପୁଣି ଥରେ ତାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଯିବ ବୋଲି କ୍ଷମତା କରିଡର୍ରେ ଚର୍ଚ୍ଚା ହେଉଛି।
ଏହା ସ୍ପଷ୍ଟ ଯେ ଓଡ଼ିଶାର ମୁଖ୍ୟ ଶାସନ ସଚିବ କିଏ ହେବ, ସେହି ନିଷ୍ପତ୍ତି ଏଠି ସରକାରୀ ଦଳ କି ସରକାରଙ୍କ ହାତରେ ନାହିଁ। ନୂଆଦିଲ୍ଲୀରୁ ହିଁ ସିଧାସଳଖ ଏହି ନିଷ୍ପତ୍ତି ନିଆଯିବ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ପାଖରେ ଏ ନେଇ କେହି ଲବି କରୁନାହାନ୍ତି କି ସେ ସମ୍ପର୍କିତ ଆଲୋଚନା ବି ହେଉ ନାହିଁ। ତେବେ ଯଦି ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାନଯାଏ, ତେବେ ପରବର୍ତ୍ତୀ ବରିଷ୍ଠ ଅଧିକାରୀଙ୍କ ତାଲିକାରେ ୧୯୯୦ ବ୍ୟାଚ୍ର ଆଉ ଦୁଇ ଜଣ ଅଫିସର ଅଛନ୍ତି। ସେମାନେ ହେଲେ ସଞ୍ଜୀବ ଚୋପ୍ରା ଓ ଜି ଶ୍ରୀନିବାସ। ଉଭୟ ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି। ଏମାନଙ୍କ ଭିତରୁ କାହାକୁ ଓଡ଼ିଶାକୁ ଫେରାଇ ଆଣି ମୁଖ୍ୟ ଶାସନ ସଚିବ କରାଯିବାର ସମ୍ଭାବନା କମ୍।
ଆହୁରି ପଢ଼ନ୍ତୁ : ନକଲି ଫୋନ୍ ପେ’, ଅସଲି ଠକେଇ : ଠକକୁ ଗିରଫ କଲା ପୁଲିସ
ସେହିପରି ବରିଷ୍ଠତା ଭିତ୍ତିରେ ୧୯୯୧ ବ୍ୟାଚର ତିନି ଜଣ ଅଧିକାରୀ ଅଛନ୍ତି । ସେମାନଙ୍କ ଭିତରୁ ଜଣେ ହେଲେ ଉନ୍ନୟନ କମିସନର ଅନୁ ଗର୍ଗ ଏବଂ ଆଉ ଜଣେ ହେଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଦୁଇ ଜଣ ଯାକ ଏବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବାକୁ ପ୍ରମୁଖ ଦାବିଦାର ଅଛନ୍ତି । ତେଣୁ ଯଦି ଏହି ଦୁଇ ଜଣଙ୍କ ନାମ ବିଚାରକୁ ନିଆଯାଏ, ତେବେ ଅନୁ ଗର୍ଗ ପ୍ରଥମ ପସନ୍ଦ ହୋଇପାରନ୍ତି । ବର୍ତ୍ତମାନର ସରକାରରେ ଶୀର୍ଷ ସ୍ତରରେ ଅନୁଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି । ତେଣୁ ଯଦି ସରକାର ଏହି ନିଷ୍ପତ୍ତି ନିଅନ୍ତି, ତେବେ ଅନୁ ଗର୍ଗ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ।
Follow Us