କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ଯଶପ୍ରୀତ ବୁମରା ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଖେଳିନଥିଲେ ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ବିଶେଷ କରି ଏମିତି ସମୟରେ ଯେତେବେଳେ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ତାଙ୍କୁ ଭାରତୀୟ ବୋଲିଂ ଆକ୍ରମଣର ମେରୁଦଣ୍ଡ ବୋଲି ବିବେଚନା କରାଯାଉଛି । ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବରିଷ୍ଠ ଦ୍ରୁତ ବୋଲର ରବିବାର ମୈଦାନକୁ ଓହ୍ଲାଇ ନଥିଲେ । ଏହାପୂର୍ବରୁ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲା । ଏହାପରେ ବୁମ୍ରାଙ୍କୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।
ତୃତୀୟ ଟି-ଟ୍ୱେଣ୍ଟି ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ କରିଥିଲେ ଯେ, ବୁମରା ବ୍ୟକ୍ତିଗତ କାରଣରୁ ଚୟନ ପାଇଁ ଉପଲବ୍ଧ ନଥିଲେ । ସେହିପରି ଅକ୍ଷର ପଟେଲ ମଧ୍ୟ ଅସୁସ୍ଥ ହେବା କାରଣରୁ ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ । ପରେ ବିସିସିଆଇ ସ୍ପଷ୍ଟ କରିଛି ଯେ, ବୁମରା ଏକ ପାରିବାରିକ କାରଣରୁ ମୁମ୍ବାଇ ଫେରିଯାଇଛନ୍ତି, ଯେଉଁଥିପାଇଁ ତାଙ୍କୁ ସିରିଜ୍ ଅଧାରୁ ହିଁ ଦଳ ଛାଡ଼ିବାକୁ ପଡ଼ିଛି ।
ରିପୋର୍ଟ ଅନୁଯାୟୀ, ବୁମରାଙ୍କୁ ଘରକୁ ଫେରିବାକୁ ପଡ଼ିଛି କାରଣ ତାଙ୍କର ଜଣେ ଅତି ନିକଟତମ ପରିବାର ଲୋକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସ୍ଥିତି ଏମିତି ହେଲା ଯେ ତାଙ୍କର ତୁରନ୍ତ ଉପସ୍ଥିତି ଜରୁରୀ ହୋଇପଡ଼ିଥିଲା । ଏବେ ସିରିଜ୍କୁ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପୂର୍ଣ୍ଣ ରୂପେ ପରିସ୍ଥିତି ଉପରେ ନିର୍ଭର କରିବ । ଡିସେମ୍ବର ୧୭ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚତୁର୍ଥ ଟି-ଟ୍ୱେଣ୍ଟି ।
ବୁମରାଙ୍କ ଅନୁପସ୍ଥିତି ସତ୍ତ୍ୱେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ସିରିଜ୍ରେ ୨-୧ରେ ଲିଡ୍ ହାସଲ କରିଛି । କଟକରେ ପ୍ରଥମ ଟି-ଟ୍ୱେଣ୍ଟି ଜିତିବା ପରେ ଭାରତକୁ ମୁଲ୍ଲାପୁରରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ୫୧ ରନ୍ର ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, ଯାହାଫଳରେ ଧର୍ମଶାଳା ମୁକାବିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା । ଘରୋଇ ଦଳର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଦକ୍ଷିଣ ଆଫ୍ରିକାକୁ ୧୧୭ ରନ୍ରେ ଅଟକାଇବା ପରେ ବିଜୟ ଲକ୍ଷ୍ୟକୁ ମାତ୍ର ୧୫.୫ ଓଭରରେ ୭ ୱିକେଟ୍ ବାକି ଥାଇ ହାସଲ କରିନେଇଥିଲା । ଏବେ ସମସ୍ତଙ୍କ ନଜର ବୁଧବାର, ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍ ଉପରେ କେନ୍ଦ୍ରିତ ହୋଇଛି। ବୁମରା ସିରିଜ୍ର ଶେଷ ପର୍ଯ୍ୟାୟ ପାଇଁ ଫେରିବେ କି ନାହିଁ, ତାହା ଏବେ ବି ଅନିଶ୍ଚିତ ହୋଇ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/12/17/jasprit-bumrah-2025-12-17-09-54-47.jpg)