କନକ ବ୍ୟୁରୋ: କଡ଼ ଲେଉଟାଉଛି ଗଞ୍ଜାମ ଜିଲ୍ଲା ରାଜନୀତି । ନିଜ ଜିଲ୍ଲାକୁ ଯାଉନାହାନ୍ତି ନବୀନ ପଟ୍ଟନାୟକ । ବିଜେଡି ଜିଲ୍ଲା ସଭାପତିଙ୍କୁ ହତ୍ୟା ମାମଲାରେ ଜାମିନ ମିଳୁନି । ସେପଟେ ବାରମ୍ବାର ଗଞ୍ଜାମ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ଆଲୋଚନା ଚାଲିଛି ଏକପାଖିଆ ରାଜନୀତି ଆଡକୁ ମୁହାଁଉଛି କି ଗଞ୍ଜାମ ?

Advertisment
  • ବଦଳିବ କି ଗଞ୍ଜାମ ଗଣିତ?
  • ଜେଲ୍‌ରେ ଜିଲ୍ଲା ବିଜେଡି ସଭାପତି
  • ଆସୁନାହାନ୍ତି ନବୀନ, ଆସୁଛନ୍ତି ମୋହନ 

ଗଞ୍ଜାମ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି । ବଢୁଛି ବିଜେପି, ଦ୍ୱନ୍ଦ୍ୱରେ ଶଙ୍ଖ ଶିବିର। ହିଞ୍ଜିଳିରୁ ବିଜୟ ପରେ ଗଞ୍ଜାମରେ ରାଜନୈତିକ ମଞ୍ଚ ବାନ୍ଧିନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ସଭାପତି ଥାଇ ବି ଜିଲ୍ଲା ରାଜନୀତିର ଗୋଟି ଯେମିତି ନବୀନଙ୍କ ହାତରେ ନାହିଁ। ସେପଟେ ଗଞ୍ଜାମରେ ବିଜେଡି ରାଜନୀତି ବୁଝିବାକୁ ଯେମିତି ନେତାଙ୍କ ବି ଆଗ୍ରହ ନାହିଁ । ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଜେଲରେ ଅଛନ୍ତି । ଫଳରେ ଦଳ କାହା ନେତୃତ୍ୱରେ ଆଗକୁ ବଢିବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ଆହୁରି ପଢ଼ନ୍ତୁ : ଭାରତର ଫାର୍ମା ହବ୍ ହେବ ଓଡ଼ିଶା: ଶସ୍ତାରେ ମିଳିବ ଔଷଧ

  • ଗଞ୍ଜାମକୁ ୪ ଥର ଆସିଲେଣି ମୋହନ
  • ବିଜେପି ଲିଙ୍କ୍‌ରେ ବିଜେଡି ନେତା?  

ସୁଭଦ୍ରାର ଦ୍ଵିତୀୟ କିସ୍ତି ଶୁଭାରମ୍ଭ ହେଉ କି ନୂଆ ପ୍ରକଳ୍ପର ଶୁଭ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪ ଥର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଲେଣି । ଜିଲ୍ଲାକୁ ୫୦ ହଜାର କୋଟିରୁ ଅଧିକ ଅନୁଦାନ ମିଳିଛି । ଏଭଳି ସ୍ଥିତିରେ ବିଜେଡି ବ୍ୟାକଫୁଟରେ ଥିଲା ବେଳେ ଦଳର  କିଛି ଛାମୁଆ ନେତା ଏବେ ବିଜେପି ଲିଙ୍କରେ ଅଛନ୍ତି । ତେଣୁ ଏହା ଜିଲ୍ଲା ରାଜନୀତିକୁ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।

ନଭେମ୍ବରରେ ଗଞ୍ଜାମ ଆସିଥାନ୍ତେ ନବୀନ ।  ହେଲେ ନୂଆପଡା ଯାଇ ନିଜ ଜିଲ୍ଲାକୁ ଆସିଲେନି ବିଜେଡି ସୁପ୍ରିମୋ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ଆସୁଥିଲା ବେଳେ ପୁଣି ଜାନୁଆରୀରେ ବିଶାଳ ରାଜନୈତିକ କାର୍ଯ୍ୟକ୍ରମ ଥିବା ଆଭାସ ମିଳିଛି ।