PESA Law Photograph: (Kanak News)
କନକ ବ୍ୟୁରୋ : ଆସନ୍ତା ଅଧିବେଶନରେ ହେବ । ଏଇ ବର୍ଷ ହେବ । ପେସା ଆଇନକୁ ନେଇ ଏମିତି ପ୍ରତିଶ୍ରୁତି ଦେଇଚାଲିଛନ୍ତି ଓଡ଼ିଶା ସରକାର । ବିଜେଡି ସରକାରକୁ ଏକଦା ତାଚ୍ଛଲ୍ୟ କରୁଥିବା ବିଜେପି ଶାସନକୁ ଆସିବା ପରେ ବି ବଦଳିନି ଚିତ୍ର । ଏ ଭିତରେ ମଙ୍ଗଳବାର ହେମନ୍ତ ସୋରେନ୍ ସରକାର ଝାଡ଼ଖଣ୍ଡରେ ଲାଗୁ କରିଛନ୍ତି ପେସା ଆଇନ । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଓଡ଼ିଶାରେ କେବେ ?
ଝାଡଖଣ୍ଡ ସରକାର ପେସା ଆଇନରେ ମୋହର ମାରିବା ପରେ ଓଡ଼ିଶାରେ ପୁଣି ତେଜିଲା ସ୍ୱର । ୧୯୯୬ରୁ ଗଡ଼ୁଥିବା ପେସା ଆଇନ ବା ପଞ୍ଚାୟତ ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ ଆଇନ ଓଡ଼ିଶାରେ ଲାଗୁ ହେବ କେବେ ? ପୂର୍ବ ସରକାର ଓ ବର୍ତ୍ତମାନର ସରକାରର ପଞ୍ଚାୟତିରାଜ ମନ୍ତ୍ରୀମାନେ ବାରମ୍ବାର ଦେଇଛନ୍ତି ପ୍ରତିଶ୍ରୁତି । ୨୦୨୩ରେ ପ୍ରସ୍ତୁତ ଚିଠା ନିୟମ ବିଧାନସଭାକୁ ଆସିବା ରାସ୍ତାରେ କିଏ ସାଜିଛି କଣ୍ଟା ? ଲୋକସେବା ଭବନର ଫାଇଲ ଭିତରେ କିଏ ରୁନ୍ଧି ଦେଇଛି ପେସାର ଭାଗ୍ୟ ? ଓଡ଼ିଶା ଜନସଂଖ୍ୟାର ଏକ ବଡ଼ ଭାଗ ଆଦିବାସୀ ହୋଇଥିବାରୁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ପେସା ଆଇନର ପ୍ରମୁଖ ଦିଗ
- ପାରମ୍ପରିକ ଶାସନ ବ୍ୟବସ୍ଥାକୁ ଚିହ୍ନଟ କରିବା
- ପ୍ରାକୃତିକ ସମ୍ପଦ (ଲଘୁ ଖଣିଜ ପଦାର୍ଥ, ଜଳଭଣ୍ଡାର) ପରିଚାଳନା କରିବା
- ପ୍ରଥାକୁ ସୁରକ୍ଷା ଦେବା
- ବିକାଶ ଯୋଜନା ଏବଂ ପ୍ରକଳ୍ପ ଅନୁମୋଦନରେ ଗ୍ରାମସଭାଗୁଡ଼ିକୁ ସାମିଲ କରିବା
ଅଧିକ ପଢ଼ନ୍ତୁ : ଜନ ଜାତୀୟ ଗୌରବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : କହିଲେ ପେସା ଆଇନ ଲାଗୁ ହେବା ପୂର୍ବରୁ ନିଆଯିବ ଲୋକଙ୍କ ମତ
ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ବି ପେସା ଆଇନ ନେଇ ଆଲୋଚନା ହୋଇଛି । ପରବର୍ତ୍ତୀ କ୍ୟାବିନେଟରେ ପେସା ଆଇନ ଉପରେ ବିଚାର ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଜାତୀୟ ପେସା ମହୋତ୍ସବ ଅବସରରେ ବାର୍ତ୍ତା ଦେଇ କହିଛନ୍ତି ପେସା ଅଞ୍ଚଳରେ ଗ୍ରାମସଭା ହେବା ବାଧ୍ୟତାମୂଳକ । ହେଲେ ଝାଡ଼ଖଣ୍ଡ ସରକାରଙ୍କ ପଦକ୍ଷେପ ପରେ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
ଥରେ ପେସା କାର୍ଯ୍ୟକାରୀ ହେଲେ ଗ୍ରାମସଭାଗୁଡ଼ିକୁ ଜମି ବିଚ୍ଛିନ୍ନତାକୁ ରୋକିବା, ଗ୍ରାମ ବଜାରକୁ ନିୟନ୍ତ୍ରଣ କରିବା, ଜଳାଶୟ ପରିଚାଳନା କରିବା ଏବଂ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ମତ ରଖିବା ପାଇଁ ସଶକ୍ତ କରିବ ।
Follow Us