କନକ ବ୍ୟୁରୋ : ଆସନ୍ତା ବିଧାନସଭା ଅଧିବେଶନରେ ସରକାର ଆଣିବେ ପେଶା ବିଲ୍ । ଏହାଦ୍ୱାରା ଆଦିବାସୀ ଅଧିକ ସଶକ୍ତ ହେବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ରାଉରକେଲା ଆସିବାର କାର୍ଯ୍ୟକ୍ରମ ଆପତତଃ ଚୂଡାନ୍ତ ହୋଇଛି । ସେ ଜନଜାତି ଗୌରବ ଦିସବକୁ ଉଦଘାଟନ କରିବେ । ତେଣୁ ଏହାକୁ ବିଜେପିର ଆଦିବାସୀ ଭୋଟବ୍ୟାଙ୍କ ସହ ଯୋଡି ଦେଖାଯାଉଛି ।
ଜନଜାତି ଗୌରବ ଦିବସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀଙ୍କର । ବିଶିଷ୍ଟ ଆଦିବାସୀ ନେତା ବିର୍ସାମୁଣ୍ଡାଙ୍କ ଜନ୍ମଦିନରେ ଆଦିବାସୀ ଗୌରବ ଦିବସ ପାଳନ କରି ପୁଣି ଆଦିବାସୀ ଭୋଟ ଉପରେ ନଜର ପକାଇଛି ବିଜେପି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଓ ୧୩ ତାରିଖରେ ଝାଡଖଣ୍ଡ ନିର୍ବାଚନ ସହ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଯୋଡାଯାଉଛି । ଏକ ବର୍ଷ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହ ଆଦିବାସୀଙ୍କ ସହ ଜଡିତ ପେଶା ଆଇନକୁ ଯୋଡି ବି ଦେଖାଯାଉଛି । ରାଜ୍ୟରେ ପେଶା ଆଇନକୁ ଖୁବଶୀଘ୍ର ଲାଗୁ କରାଯିବ । ଏଥିପାଇଁ ଶୀତ ବିଧାନସଭାରେ ବିଲ ଆସିବ । ପେଶା ଆଇନର ଉଦ୍ଦେଶ୍ୟ ହେଲା ଆଦିବାସୀ ଓ ଗ୍ରାମସଭାକୁ ଅଧିକ ସଶକ୍ତ କରିବା । ଏହାପୂର୍ବରୁ ସଚେତନତା ସଭା କରାଯିବ । ଆସନ୍ତା ୧୫ ତାରିଖରୁ ୭ ହଜାର ୬ ଶହ ୬୭ ଟି ଗ୍ରାମ ସଭା କରିବ । ଗ୍ରାମସଭାର ମୁଖ୍ୟ ପୁରୋଧା ହେବେ ସରପଞ୍ଚ । ପିଇଓମାନେ ସେହି ସଭାକୁ ପରିଚାଳନା କରିବେ । ଗ୍ରାମସଭା ପାଇଁ ଟ୍ରେନର ଅଛନ୍ତି ।
ରାଜ୍ୟରେ ବିଜେପି ସରକାର ଆସିଲେ ପେଶା ଆଇନ ଲାଗୁ କରିବା ନେଇ ପ୍ରତିଶୃତି ଦେଇଥିଲେ ବିଜେପି ନେତୃତ୍ୱ । ସରକାର ଆସିବା ପରେ ଓଡ଼ିଶାରେ ପ୍ରାୟ ୩୪ ପ୍ରତିଶତ ଜନଜାତି ଲୋକଙ୍କ ଲାଗି ପେଶା ଆଇନ ଲାଗୁ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।