କନକବ୍ୟୁରୋ : ସେପଟେ ଭୁବନେଶ୍ବର ଜନତା ମଇଦାନରେ ଜନ ଜାତୀୟ ଗୌରବ ଦିବସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ  ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ଏହି ଦିବସ ପାଳିତ ହୋଇଛି ।  ଜନତା ମଇଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର । ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ। ପେସା ଆଇନ କିପରି କାର୍ଯ୍ୟକାରୀ  ହେବ ସେ ନେଇ ବିସ୍ତୁତ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। କିନ୍ତୁ ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖା ଯାଇଥିଲା। ଆଦିବାସୀ ସଂସ୍କୃତି କୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା ।

 ଜନଜାତିୟ ଗୌରବ ଦିବସ ଅବସରରେ ୧୫୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଆଦିବାସୀ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଏହି ପ୍ରକଳ୍ପ ସବୁ କୁ ଉତ୍ସର୍ଗୀକୃତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହିଅବସରରେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବ। ଏହା ସହ ଜଙ୍ଗଲ ଆଇନ କାର୍ଯ୍ୟକାରିତା ର ସ୍ଥିତି ମଧ୍ୟ ଜାଣିପାରିବେ ସରକାର ।