କନକ ବ୍ୟୁରୋ: ବର୍ଷ ୧୯୮୯, ନଭେମ୍ୱର ୧୫ ତାରିଖ । ଭାରତ-ପାକିସ୍ତାନ ମଧ୍ୟରେ ଥାଏ ଟେଷ୍ଟ ସିରିଜ । ପ୍ରଥମ ମ୍ୟାଚ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହେଉଥାଏ । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର କରିଦେଇଥାଏ । ଆଉ ଭାରତ ବ୍ୟାଟିଂ କରିବାକୁ ଆସି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।  ଓ୍ୱାସିମ ଆକ୍ରାମ, ଓ୍ୱାକର ୟୁନିସ ଆଉ ଇମ୍ରାନ ଖାନଙ୍କ ଭଳି ବୋଲରଙ୍କ ଆଗରେ ତିଷ୍ଠି ପାରୁନଥିଲେ ଭାରତୀୟ ଖେଳାଳି । ରବି ଶାସ୍ତ୍ରୀ, ଆଝାରୁଦ୍ଦିନ, ଶ୍ରୀକାନ୍ତଙ୍କ ଭଳି ବଡ଼ ବଡ଼ ଖେଳାଳି ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ । ଆଉ ସେହି ସମୟରେ ଜଣେ ୧୬ ବର୍ଷର ଖେଳାଳି ହେଲମେଟ୍, ଗ୍ଲୋବସ, ଲେଗାର୍ଡ ପାନ୍ଧି ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ । ବୟସରେ ବହୁତ ସାନ ଥିବା ପିଲାଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦର୍ଶକ ଭାବୁଥିଲେ ଭୁଲରେ ଷ୍ଟାଡିୟମ ଭିତରକୁ କେହି ଆସିଯାଇନି ତ । ହେଲେ ପିଚ୍ ଉପରେ ଛିଡ଼ା ହୋଇ ଛୋଟ ପିଲାଟି ଓ୍ୱାକର ୟୁନିସଙ୍କ ଭଳି ବୋଲରଙ୍କୁ ସାମ୍ନା କରିଥିଲେ । 

Advertisment

ଆହୁରି ପଢନ୍ତୁ... ୧୫ ଛକା, ୧୧ ଚୌକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ

ଆଉ ସେହି କମ୍ ବୟସର ଖେଳାଳି ଆଜି ସାରା ବିଶ୍ୱରେ କ୍ରିକେଟର ଭଗବାନ ଭାବରେ ପରିଚିତ । ଆଜ୍ଞା ହଁ ସେହି ଛୋଟ ଖେଳାଳି ଜଣକ ହେଉଛନ୍ତି ମହାନ କ୍ରିକେଟର ସଚିନ ତେନ୍ଦୁଲକର । ଆଜିର ଦିନରେ ପାକିସ୍ତାନ ବିପକ୍ଷରେ କ୍ରିକେଟରେ ଡେବ୍ୟୁ କରିଥିଲେ ମାଷ୍ଟରବ୍ଲାଷ୍ଟର । ଆଉ ସେହି ଦିନଠାରୁ କ୍ରିକେଟରେ ଆରମ୍ଭ ହୋଇଥିଲା ସଚିନ ଯୁଗ । କେବେ ଅଟକିନଥିଲା ସଚିନଙ୍କ ବ୍ୟାଟ୍ । ଆଉ କରିଚାଲିଥିଲେ ରେକର୍ଡ ପରେ ରେକର୍ଡ । ମାତ୍ର ୧୭ ବର୍ଷ ବୟସରେ ସେ ହାସଲ କରିଥିଲେ ନିଜ କ୍ୟାରିୟରର ପ୍ରଥମ ଶତକ ।

ପାକିସ୍ତାନ ବିପକ୍ଷରେ ସଚିନ ଖେଳିଥିବା ତାଙ୍କର ପ୍ରଥମ ମ୍ୟାଚ ଡ୍ର’ ହୋଇଯାଇଥିଲା । ଏହି ମ୍ୟାଚରେ ସଚିନ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ ବି ତାଙ୍କ ବୟସ ଜାଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ଅନ୍ୟ ୩ଟି ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସଚିନ୍ । ୩୬ ବର୍ଷ ପୂର୍ବେ ଟେଷ୍ଟରେ କ୍ୟାରିୟର ଆରମ୍ଭ କରିଥିବା ଏହି ଖେଳାଳି ଏବେ କ୍ରିକେଟ ଜଗତରେ ମହା ନାୟକ ପାଲଟିଯାଇଛନ୍ତି । ୨୦୧୩ ସମିହା ନଭେମ୍ୱର ୧୩ ତାରିଖରେ ସଚିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇ ଯାଇଥିଲେ । 

ଆହୁରି ପଢ଼ନ୍ତୁ... IND vs SA Kolkata Test: ଇତିହାସ ପୃଷ୍ଠାରେ ଲେଖାହେଲା ବୁମରାହଙ୍କ ନାଁ, ଏହି ମହାନ କ୍ରିକେଟରଙ୍କ ହେଲେ ସମକକ୍ଷ

ସଚିନ ତାଙ୍କ ୨୪ ବର୍ଷର କ୍ରିକେଟ କ୍ୟାରିୟର ଭିତରେ ୨୦୦ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ମଧ୍ୟରେ ସେ ୧୫ ହଜାର ୯୨୧ ରନ କରିଥିଲେ । ଏଥିରେ ୬୮ଟି ଅର୍ଦ୍ଧଶତକ, ୫୧ଟି ଶତକ ଓ ୬ଟି ଦ୍ବିଶତକ ସାମିଲ ଅଛି । କେବଳ ଟେଷ୍ଟ ନୁହେଁ ଦିନିକିଆ ଓ ଟି-୨୦ରେ ମଧ୍ୟ ବଡ଼ ବଡ଼ ରେକର୍ଡର ପାହାଡ଼ ଛିଡ଼ା କରିଛନ୍ତି ଏହି ଖେଳାଳି । ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ଏହି ଖେଳାଳି କ୍ରିକେଟରେ ସର୍ବୋମୋଟ ୧୦୦ ଶତକ ହାସଲ କରିଛନ୍ତି । ଯାହାକୁ ଭାଙ୍ଗିବା ଜଣେ ସାଧାରଣ ଖେଳାଳି ପକ୍ଷେ ଅସମ୍ଭବ । 

କେବଳ ଏହି ରେକର୍ଡ ନୁହେଁ ନିଜ କ୍ରିକେଟ କ୍ୟାରିୟର ଭିତରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି ସଚିନ୍ । ସେଥିପାଇଁ ତ ତାଙ୍କୁ କୁହାଯାଏ କ୍ରିକେଟର ଭଗବାନ ।