୨୦୧୦ ମସିହା ଆଜିର ଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରଚିଥିଲେ ଇତିହାସ । ଦିନିକିଆ କ୍ରିକେଟରେ ହାସଲ କରିଥିଲେ ପ୍ରଥମ ଦ୍ୱି-ଶତକ । କେମିତି ଥିଲା ସେଦିନର ମ୍ୟାଚ୍?

150

କନକ ବ୍ୟୁରୋ: ସେ ହେଉଛନ୍ତି କ୍ରିକେଟର ଭଗବାନ, ତାଙ୍କ ବ୍ୟାଟ ଚାଲିଲେ ରନର ପାହାଡ ଛିଡା ହୋଇଥାଏ । ଯେତେବେଳେ ବ୍ୟାଟ ଧରି ସେ ମୈଦାନକୁ ଓହ୍ଲାନ୍ତି ଚାରିଆଡେ ଖାଲି ଗୋଟିଏ ହିଁ ଶବ୍ଦ ସଚିନ… ସଚିନ… ସଚିନ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ପରିଚୟ ପାଇଁ କେବଳ ନାଁ ହିଁ ଯଥେଷ୍ଟ । ସଚିନ ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଖାଇଥିଲେ । ଏମିତି ବି ସମୟ ଥିଲା ଯେତେବେଳେ ସଚିନ ଆଉଟ ହୋଇଯାଉଥିଲେ, ସେତେବେଳେ ଦର୍ଶକ ଟିଭି ବନ୍ଦ କରିଦେଉଥିଲେ । କାରଣ ସେତେବେଳେ କ୍ରିକେଟ ଜଗତ ଉପରେ ରାଜ କରୁଥିଲେ ସଚିନ ।

କ୍ରିକେଟରେ ସଚିନଙ୍କ ନାଁରେ ଅନେକ ବଡ ବଡ ରେକର୍ଡ ରହିଛି । ସବୁଠୁ ଅଧିକ ରନ ହେଉ କି ଶତକ, ସମସ୍ତଙ୍କଠାରୁ ଆଗରେ ରହିଛନ୍ତି ଏହି ଦକ୍ଷ କ୍ରିକେଟର । ସଚିନ ଏମିତି କିଛି ରେକର୍ଡ କରିଛନ୍ତି ଯାହା ପୂର୍ବରୁ କୌଣସି ବି କ୍ରିକେଟର କରିନାହାନ୍ତି । ୧୧ ବର୍ଷ ତଳେ ଅର୍ଥାତ ଆଜିର ଦିନରେ ସଚିନ ଦିନିକିଆରେ ହାସଲ କରିଥିଲେ ପ୍ରଥମ ଦ୍ୱିଶତକ । ସଚିନ ଏମିତି ଏକ ରେକର୍ଡ କରି ସୃଷ୍ଟି କରିଥିଲେ ଇତିହାସ । ଆଉ ହୋଇଥିଲେ ଦିନିକିଆରେ ଦ୍ୱିଶତକ କରିବାରେ ପ୍ରଥମ ପୁରଷ କ୍ରିକେଟର ।

୨୦୧୦ ମସିହା ଫେବୃଆରୀ ୨୪ ତାରିଖ । ମଧ୍ୟପ୍ରଦେଶର ଗ୍ୱାଲିୟର କ୍ରିକେଟ ଷ୍ଟାଡିୟମ । ମ୍ୟାଚ ଥାଏ ଭାରତ ବନାମ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ସଚିନ ରଚିଥିଲେ ଇତିହାସ । ଆଉ ଦେଖିଥିଲା ସାରା ବିଶ୍ୱ । ୩ ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତ ଜିତି ଏହି ସିରିଜରେ ନିଜ ପଲ୍ଲା ଭାରି କରି ସାରିଥିଲା । ଦ୍ୱିତୀୟ ମ୍ୟାଚ ଆରମ୍ଭ ହେଲା ଆଉ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ତେଣୁ ଭାରତ ପକ୍ଷରୁ ଓପନିଂ ଆସିଥିଲେ ସଚିନ ଓ ସେହୱାଗ । ମ୍ୟାଚ ଆରମ୍ଭରୁ ହିଁ ଭାରତକୁ ବଡ ଝଟକା ଲାଗିଥିଲା । କାରଣ ୩ ଓଭର ବେଳକୁ ପର୍ନେଲଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ ସେହୱାଗ । ହେଲେ ନିଜ ବ୍ୟାଟିଂ ଜାରି ରଖିଲେ ସଚିନ । ଏହାପରେ ଦିନେଶ କାର୍ତ୍ତିକ, ୟୁସୁଫ ପଠାନ ଆସି ଆଉଟ ହୋଇ ଚାଲିଯାଇଥିଲେ । ହେଲେ ସେମତି ଖଣ୍ଟ ଭଳି ଛିଡା ହୋଇ ବିସ୍ଫୋରକ ଖେଳୁଥାନ୍ତି ସଚିନ ତେନ୍ଦୁଲକର । ଗ୍ରାଉଣ୍ଡର ସବୁ ଦିଗକୁ ଛକା ଚୌକା ବର୍ଷା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

ସବୁଠାରୁ ବଡ କଥା ହେଉଛି ଏହି ମ୍ୟାଚରେ ସଚିନ ଆରମ୍ଭରୁ ଆସି ପୂରା ୫୦ ଓଭର ଖେଳିଥିଲେ । ଆଉ ୨୫ ଚୌକା, ୩ଟି ଛକା ବଳରେ ହାସଲ କରିଥିଲେ କ୍ରିକେଟ ଇତିହାସର ପ୍ରଥମ ଦ୍ୱିଶତକ ।

ଶେଷରେ ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ମ୍ୟାଚ ବିଜୟୀ କରାଇବାରେ ସଚିନଙ୍କ ବିଶାଳ ରନ ସହ ବୋଲର ମାନଙ୍କ ମଧ୍ୟ ଅନେକ ଅବଦାନ ରହିଥିଲା । କାରଣ ଏବି ଡିଭିଲୟର୍ସ, ଜ୍ୟାକ କାଲିସ, ହର୍ସେଲ ଗିବସଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରି ମାତ ଦେବା ସହଜ କଥା ନଥିଲା । ଏହି ମ୍ୟାଚ ପ୍ରତିଟି କ୍ରିକେଟ ପ୍ରେମୀଙ୍କ ପାଇଁ ସ୍ମରଣୀୟ ମ୍ୟାଚ ହୋଇ ରହିଛି । କାରଣ ସଚିନ ଏହି ଦିନ ଏଭଳି ରେକର୍ଡ କରି ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଥିଲେ ।