କନକ ବ୍ୟୁରୋ: ସେ ମୈଦାନକୁ ଆସିଲେ, ବିପକ୍ଷ ଦଳଙ୍କ ଛାତି ହୁଏ ଧକ ଧକ୍ । ତାଙ୍କ ବ୍ୟାଟ ଚାଲିଲେ ଲାଇନ ଲେନ୍ଥ ହରାନ୍ତି ବୋଲର । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା । ଯାହାଙ୍କ ନାଁରେ ରହିଛି ବିସ୍ଫୋରକ ରେକର୍ଡ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଡିସେମ୍ବର ୧୩ ତାରିଖ ଅତ୍ୟନ୍ତ ଖାସ୍ ଅଟେ। ୨୦୧୭ ମସିହାରେ ଆଜିର ଦିନରେ ରୋହିତ ତାଙ୍କ କ୍ୟାରିୟରରେ ରେକର୍ଡ ତୃତୀୟ ଥର ପାଇଁ ଦ୍ୱିଶତକ ହାସଲ କରିଥିଲେ । ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ରୋହିତ ଅଧିନାୟକ ଭାବେ ଏହି ରେକର୍ଡ କରିଥିଲେ ।

Advertisment

ଶ୍ରୀଲଙ୍କା ଦଳ ସେତେବେଳେ ଭାରତ ଗସ୍ତରେ ଆସିଥିଲା ଏବଂ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିଲେ । ରୋହିତଙ୍କ ୨୦୮ ରନର ଚମତ୍କାର ଅପରାଜିତ ପାଳି ବଳରେ ଭାରତ ୪ ୱିକେଟ୍ ହରାଇ ୩୯୨ ରନର ବିଶାଳ ସ୍କୋର କରିଥିଲା, ଯାହାର ଜବାବରେ ଶ୍ରୀଲଙ୍କା ଦଳ ୮ ୱିକେଟ୍ ହରାଇ ମାତ୍ର ୨୫୧ ରନ୍ ହିଁ କରିପାରିଥିଲା ଏବଂ ୧୪୧ ରନରେ ମ୍ୟାଚ୍ ହାରିଯାଇଥିଲା ।

ରୋହିତ ତାଙ୍କର ୧୫୩ ବଲର ତୁଫାନୀ ପାଳିରେ ୧୩ଟି ଚୌକା ଏବଂ ୧୨ଟି ଛକା ମାରିଥିଲେ । ଏହି ସମୟରେ ରୋହିତ ସୁରଙ୍ଗା ଲକମଲଙ୍କ ଏକ ଓଭରରେ ୪ଟି ଛକା ମାରିଥିଲେ, ଯାହା ଭାରତୀୟ ପାଳିର ୪୪ତମ ଓଭର ଥିଲା ।

ଆହୁରି ପଢ଼ନ୍ତୁ... ଯେବେ ସୁରକ୍ଷା ଭେଦ କରିଥିଲେ ଆତଙ୍କୀ: ୪୫ ମିନିଟ୍ ଯାଏଁ ରଚିଥିଲେ ଆତଙ୍କ , ପାର୍ଲାମେଣ୍ଟ ଆକ୍ରମଣକୁ ୨୪ ବର୍ଷ

ଏହାପୂର୍ବରୁ ରୋହିତ ୧୩ ନଭେମ୍ବର ୨୦୧୪ରେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଇତିହାସର ସର୍ବୋଚ୍ଚ ସ୍କୋର ୨୬୪ ରନ୍ କରିଥିଲେ। ଏହା ବ୍ୟତୀତ ୨ ନଭେମ୍ବର ୨୦୧୩ରେ ସେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନର ପାଳି ଖେଳିଥିଲେ ।

ରୋହିତଙ୍କ ତିନୋଟି ଦ୍ୱିଶତକକୁ ମିଶାଇ ଦିନିକିଆରେ ମୋଟ ୧୦ ଦ୍ୱିଶତକ ଲାଗିଛି । ତେବେ ଦ୍ବିଶତକ କରିବାର ରେକର୍ଡ ରୋହିତଙ୍କ ବ୍ୟତୀତ ଅନ୍ୟ ୪ ଭାରତୀୟ କ୍ରିକେଟରଙ୍କ ନାଁରେ ବି ରହିଛି । ସେମାନେ ହେଲେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଶୁବମନ ଗିଲ୍, ଇଶାନ କିଷାନ ।

ରୋହିତ ୧୩ ନଭେମ୍ବର ୨୦୧୪ରେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ୧୭୩ ବଲରେ ୨୬୪ ରନର ପାଳି ଖେଳିଥିଲେ ଯାହା ଦିନିକିଆ ଇତିହାସର ସର୍ବୋଚ୍ଚ ସ୍କୋର ଅଟେ। ରୋହିତ ତାଙ୍କର ପ୍ରଥମ ଦ୍ୱିଶତକ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାଇଥିଲେ। ରୋହିତ ଦିନିକିଆରେ ଦ୍ୱିଶତକ ଲଗାଇଥିବା ଦ୍ୱିତୀୟ ଅଧିନାୟକ ଅଟନ୍ତି। ଦିନିକିଆରେ ଅଧିନାୟକ ଭାବେ ପ୍ରଥମ ଦ୍ୱିଶତକ ଭାରତର ପୂର୍ବତନ ଓପନର୍ ସେହ୍ୱାଗଙ୍କ ନାମରେ ରହିଛି, ଯିଏକି ଇନ୍ଦୋରରେ ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୧୯ ରନର ପାଳି ଖେଳିଥିଲେ ।

ରୋହିତ ଶର୍ମା ବର୍ତ୍ତମାନ ଟେଷ୍ଟ ଆଉ ଟି-୨୦ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ସେ ଦିନିକିଆ କ୍ରିକେଟ ଜାରି ରଖିଛନ୍ତି । କୁହାଯାଉଛି କି ସେ ୨୦୨୭ ଦିନିକିଆ ବିଶ୍ୱକପ ଯାଏଁ ଦଳରେ ରହିବେ । ସେ ଦିନିକିଆରେ ଭାରତ ପାଇଁ ୨୭୯ ମ୍ୟାଚ ଖେଳି ୧୧ ହଜାର ୫୧୬ ରନ୍ କରିଛନ୍ତି । ଯେଉଁଥିରେ ୩୩ ଶତକ ୬୧ ଅର୍ଦ୍ଧଶତକ ସାମିଲ ଅଛି ।