କନକ ବ୍ୟୁରୋ: ଶୁକ୍ରବାର ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ନାମରେ ଏକ ଷ୍ଟାଣ୍ଡ୍ ଉଦଘାଟିତ ହୋଇଛି । ଏହାକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ରୋହିତ ଶର୍ମା ନିଜ ପରିବାର ସହ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କ ପିତାମାତା ଏବଂ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ରୋହିତ ଶର୍ମାଙ୍କ ନାଁରେ ଷ୍ଟାଡିୟମରେ ଷ୍ଟାଣ୍ଡ୍ ଉଦଘାଟନ ପରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି । ଏହା ମୁମ୍ବାଇ ଖେଳାଳିଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା । ଏଥିପାଇଁ ରୋହିତ ଶର୍ମା ତାଙ୍କ ପିତାମାତାଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କୁ ଷ୍ଟାଣ୍ଡ ଉଦଘାଟନ କରିବା ପାଇଁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ ।  

Advertisment

ରୋହିତ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, "ଏହା ଏକ ଅବିଶ୍ୱସନୀୟ ଅନୁଭବ ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଏହି ଷ୍ଟାଣ୍ଡ୍‌ ପଛରେ ଏକ ଟ୍ରେନ୍‌ ଟ୍ରାକ୍ ଅଛି । ମୋର ସେହି ଦିନଗୁଡ଼ିକ ମନେ ପଡ଼ିଯାଉଛି, ଯେତେବେଳେ ଆମେ ଟ୍ରେନ୍‌ରେ ଏହି ଷ୍ଟାଡିୟମ ଦେଖିବାକୁ ଆସୁଥିଲୁ । ଏହି ଷ୍ଟାଡିୟମର ଏକ ଝଲକ୍‌ ପାଇବାକୁ ଆଗ୍ରହୀ ଥିଲୁ । ଏହା ଏକ ସ୍ୱତନ୍ତ୍ର ଅନୁଭବ ଥିଲା । ମୋ ନାଁରେ ଷ୍ଟାଣ୍ଡ୍‌ ଉଦଘାଟନ ହେବା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ । ଏହି ସମୟରେ ମୋ ପରିବାର, ବାପା, ମାଆ, ଭାଇ, ସ୍ତ୍ରୀ ଏଠାରେ ଅଛନ୍ତି । ମୁଁ ସେମାନଙ୍କ ତ୍ୟାଗ ପାଇଁ କୃତଜ୍ଞ ।"

ଭିଡିଓରେ ରୋହିତ ଶର୍ମା ତାଙ୍କ ବାପା ଏବଂ ମାଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହିତ, ରୋହିତ ଶର୍ମା ଷ୍ଟାଣ୍ଡର ଉଦଘାଟନ କରୁଥିବା ଦେଖାଯାଉଛି । ଏହି କାର୍ଯ୍ୟକ୍ରମରେ ରୋହିତ ଶର୍ମାଙ୍କ ବ୍ୟତୀତ ପୂର୍ବତନ ଭାରତୀୟ ଅଧିନାୟକ ଅଜିତ ୱାଡେକର ଏବଂ ପୂର୍ବତନ ବିସିସିଆଇ ସଭାପତି ଶରଦ ପାୱାରଙ୍କ ନାମରେ ବି ଷ୍ଟାଣ୍ଡ ଉଦଘାଟନ କରାଯାଇଛି ।