Railways Budget Photograph: (kanak news)
କନକ ବ୍ୟୁରୋ: ବନ୍ଦେ ଭାରତ ଏକ୍ସପ୍ରେସ୍ । ମହଙ୍ଗା ହେଲେ ବି ନିର୍ଦ୍ଧାରିତ ସମୟ, ଆରାମ ଦାୟକ ଯାତ୍ରା ଲାଗି ରେଳଯାତ୍ରୀଙ୍କ ବିଶ୍ବାସ ଭାଜନ ହୋଇପାରିଛି । ତେଣୁ ଏହି ଟ୍ରେନ୍ରେ ପ୍ରତିଦିନ ଲକ୍ଷାଧିକ ଲୋକ ଯାତ୍ରା କରୁଛନ୍ତି । ଏମିତିରେ ଭାରତୀୟ ରେଲୱେ ନେଟୱର୍କ ଏମିତି ଏକ ନେଟୱର୍କ ଯେଉଁଥିରେ ପ୍ରତିଦିନ ଅଢେଇ କୋଟିରୁ ଉର୍ଦ୍ଧ୍ବ ଲୋକ ଯାତ୍ରା କରନ୍ତି । ସେଇଥି ଲାଗି କୁହାଯାଏ ପୃଥିବୀର ସର୍ବାଧିକ ଲୋକ ଭାରତର ରେଳରେ ହିଁ ଯାତ୍ରା କରନ୍ତି । କିନ୍ତୁ ରେଳରେ ଲଗାତାର ବିକାଶ କରିବା ଲାଗି ମୋଦି ସରକାର ଅନେକ ପ୍ରକାର ବ୍ୟବସ୍ଥା କରିଛନ୍ତି । ନୂଆ ନୂଆ ଟ୍ରେନ୍ ବି ଚଳାଚଳ କରୁଛି । ଅବଶ୍ୟ ବଜେଟ୍ରେ ରେଳକୁ ନେଇ ସେମିତି କିଛି ବିଶେଷ କଥା କହିନାହାନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏଥର ବଜେଟ୍ରେ ରେଳ ମନ୍ତ୍ରଣାଳୟକୁ ପ୍ରାୟ ୨.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର ସରକାର ରେଳୱେର ବିକାଶ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଯେତିକି ବଜେଟ୍ ବ୍ୟୟବରାଦ ହୋଇଛି ତାହା ରେଳର ବିକାଶ କରିବା ଦିଗରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଚାଲିବ ୨୦୦ ନୂଆ ଟ୍ରେନ୍
ବଜେଟ୍ ପରେ ରେଳମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଦେଶରେ ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍, ୧୦୦ ଅମୃତ ଭାରତ ଟ୍ରେନ୍, ୫୦ ନମୋ ଭାରତ ସହ ୧୭ ହଜାରରୁ ଅଧିକ ଜେନେରାଲ କ୍ଲାସ୍ ବଗି ଟ୍ରେନ୍ରେ ସାମିଲ ହେବ । ଏମିତି ହେଲେ ଭାରତର ରେଳନେଟୱର୍କ ଆହୁରି ମଜବୁତ ହେବା ସହିତ ଯାତ୍ରୀ ପରିବହନ ବ୍ୟବସ୍ଥାରେ ଅଧିକ ସୁଧାର ଆସିବ । ଏଥର ରେଳ ବଜେଟ୍ ପୂର୍ବବର୍ଷ ପରି ରହିଛି । ଏଥର ବଜେଟ୍ରେ ରେଳ ମନ୍ତ୍ରଣାଳୟକୁ ପ୍ରାୟ ୨.୪୨ ଲକ୍ଷ କୋଟି ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି । ଖାଲି ଏତିକି ନୁହେଁ ବରଂ ୧୦ ହଜାର କୋଟି ଅତିରିକ୍ତ ଅର୍ଥ ମିଳିଛି, ଯାହାଦ୍ବାର ରେଳର ପୁନଃନିର୍ମାଣ ଓ ସଶକ୍ତିକରଣ ଦିଗରେ ବଡ଼ ଭୂମିକା ନେବ । ପୁରା ରେଲୱେ ବଜେଟ୍କୁ ଯଦି ବିଶ୍ଲେଷଣ କରାଯାଏ ତାହାଲେ ୨.୬୨ ଲକ୍ଷ କୋଟି ହେବ ବୋଲି କୁହାଯାଉଛି ।
ଶତପ୍ରତିଶତ ବିଦ୍ୟୁତକରଣ
ବଜେଟ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି, ଭାରତୀୟ ରେଳ ମନ୍ତ୍ରଣାଳୟ ଅନେକ ମହତ୍ବକ୍ଷାଂଖି ସ୍ବପ୍ନ ରହିଛି । ଯାହାକୁ ପୂରଣ କରିବା ଦିଗରେ ଆମେ କାମ କରୁଛୁ । ଏମିତି ସ୍ଥିତିରେ ରେଲୱେକୁ ମିଳିଥିବା ବଜେଟ୍ ବୁଷ୍ଟର ଡୋଜ୍ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଏହାସହ ଏହି ଆର୍ଥିକ ବର୍ଷରେ ରେଳରେ ୧୬୦ କୋଟି ଟନ୍ ମାଲପରିବହନ ହେବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି । ସେପଟେ, ୨୫-୨୬ ସୁଦ୍ଧା ଭାରତୀୟ ରେଳରେ ୧୦୦ ପ୍ରତିଶତ ବୈଦ୍ୟୁତିକରଣ କରାଯିବ ଏବଂ ୧୭ ହଜାର ୫୦୦ ଜେନେରାଲ ବଗି ବି ସାମିଲ ହେବ । ଯାହାଦ୍ବାରା ଶସ୍ତାରେ ଯାତ୍ରୀମାନେ ଯାତ୍ରା କରିପାରିବେ ।
ତିଆରି ହେବ ଅଧିକ ଜେନେରାଲ ବଗି
ରେଳରେ ଅଧିକ ସଂଖ୍ୟାରେ ଯାତ୍ରୀ ପରିବହନ ହେଉଥିବା କାରଣରୁ ଦୁର୍ଘଟଣାହେଲେ ବହୁସଂଖ୍ୟାରେ ଯାତ୍ରୀଙ୍କ ଜୀବନ ଯାଉଥିବା ନଜର ରହିଛି । ତେଣୁ ଦୁର୍ଘଟଣାକୁ ଏଡ଼ାଇବା ଲାଗି ଅନେକ ଯୋଜନା ବି ହେଉଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ଟ୍ରେନ୍ର ବଗି ନିର୍ମାଣ କରିବା ଲାଗି ଯୋଜନା ରହିଛି, ଯାହାଦ୍ବାରା ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲେ ବି ଅନେକଙ୍କ ଜୀବନ ବଞ୍ଚିଯାଇପାରିବ । ସେପଟେ ଏସି ଟ୍ରେନ୍ ସଂଖ୍ୟା ବଢାଯିବା ନେଇ ମନ୍ତ୍ରଣାଳୟ ଚିନ୍ତା କରୁଛି । ତେଣୁ ଆଗାମୀ ଦିନରେ ଟ୍ରେନ୍ ଯାତ୍ରା ସୁରକ୍ଷିତ ହେବ ବୋଲି ଆଶା କରାଯାଉଛି ।
Follow Us