କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ହେଲା, ସଂସଦରେ ଅଷ୍ଚମଥର ଲାଗି ଲଗାତାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କଲେ । ୨୫-୨୬ ଆର୍ଥିକ ବର୍ଷ ଲାଗି କେତେ କଣ ଖର୍ଚ୍ଚ ହେବ, କି କି ନୂଆ ଯୋଜନା ହେବ ସେନେଇ ବି ଘୋଷଣା କଲେ । ମଧ୍ୟବିତ୍ତଙ୍କ ଲାଗି ବଡ଼ ବଡ଼ ଘୋଷଣା ବି ହେଲା । କିନ୍ତୁ ବଜେଟ୍‌ରେ ଓଡ଼ିଶାକୁ ସେମିତି କିଛି ଘୋଷଣା ହୋଇନଥିବା କୁହାଯାଉଛି । ବିହାରରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେଉଥିବାରୁ କେନ୍ଦ୍ର ସରକାରଙ୍କ ଫୋକସରେ ବିହାର ଫୋକସରେ ଥିବା ପରି ମନେ ହେଉଛି । ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିଛନ୍ତି ନିର୍ମଳା । ଯାହାକୁ ନେଇ ଜାତୀୟ ରାଜନୀତିଠୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି ।

Advertisment

ବିହାର ଲାଗି ପେଡି ଖୋଲିଦେଲେ ନିର୍ମଳା
ଗୋଟିଏ ପରେ ଗୋଟିଏ ଯୋଜନାରେ 
ବିହାର ପାଇବ କୋଟି କୋଟି କୋଟି ଟଙ୍କା

ପୂର୍ବ ଲୋକସଭା ନିର୍ବାଚନରେ ଆନ୍ଧ୍ରକୁ ଢାଳି ଦେଇଥିଲେ, ହେଲେ ଏଥର ବିହାର ପାଳି । ଅର୍ଥାତ୍‌ ବିହାର ପାଇଁ ଅନେକ ବଡ଼ବଡ଼ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ନୀତିଶଙ୍କ ରାଜ୍ୟରେ ପ୍ରତିଷ୍ଠା ହେବ ମଖାନା ବୋର୍ଡ । ଖାଲି ଏତିକି ନୁହେଁ ବରଂ ଏହା ସହ ପ୍ରତିଷ୍ଠା ହେବ ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଔଦ୍ୟୋଗିକତା ଓ ପରିଚାଳନା ପ୍ରତିଷ୍ଠାନ ଆଦି କେତେ କଣ । 

ବିହାରର ମଧୁବନି ଶାଢୀ ପିନ୍ଧିଥିଲେ ନିର୍ମଳା
ବଜେଟ୍‌କୁ ନେଇ ତେଜିଲା ରାଜନୀତି

ସାଧାରଣ ନିର୍ବାଚନ ପରେ ପ୍ରଥମଥର ଲାଗି ସଂସଦରେ ଉପସ୍ଥାପନ ହୋଇଥିଲା ପୂର୍ଣ୍ଣାଙ୍ଗ ବଜେଟ୍‌ । ବିହାର ରାଜନୀତିକୁ ନେଇ ସବୁବେଳେ ଚର୍ଚ୍ଚା ଚାଲେ । ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ନିର୍ମଳାଙ୍କ ବଜେଟ୍‌ । ଅର୍ଥାତ୍‌ ନିର୍ମଳା ବଜେଟ୍‌ ଉପସ୍ଥାପନ କରିବା ବେଳେ ଯେଉଁ ଶାଢୀ ପରିଧାନ କରିଥିଲେ ତାହା ବିହାରର ମିଥିଳା ଅଂଚଳରୁ ଉତ୍ପାଦିତ ହେଉଥିବା ମଧୁବନି ଶାଢୀ ଥିଲା । ଏହି ଶାଢୀକୁ ନିର୍ମଳାଙ୍କୁ ଉପହାର ଦେଇଥିଲେ ପଦ୍ମଶ୍ରୀ ବିଜେତା ଦୁଲାରୀ ଦେବୀ। ଆଉ ବିହାରୀ ଶାଢୀ ପିନ୍ଧି ବିହାରର ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା କରିଥିଲେ ନିର୍ମଳା ।

ଘୋଷଣା ଅନୁସାରେ, ପାଟନା ବିମାନବନ୍ଦରକୁ ସମ୍ପ୍ରସାରଣ କରାଯିବା ପାଇଁ ବଜେଟ୍‌ରେ ବ୍ୟୟ ଅଚକଳ କରାଯାଇଛି । ଏହା ସହ ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଗ୍ରୀନଫିଲ୍ଡ ବିମାନ ବନ୍ଦର, ବିହତାରେ ଏକ ବ୍ରାଉନଫିଲ୍ଡ ବିମାନ ବନ୍ଦର ବି ହେବ । ସେହିପରି ମିଥିଳାଞ୍ଚଳରେ ଥିବା ପଶ୍ଚିମାଞ୍ଚଳ କୋସି କେନାଲ ଇଆରଏମ ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ଘୋଷଣା ହୋଇଛି। ଗତ ୨୦୨୪ ବଜେଟରେ ବି ବିହାର ଲାଗି ୨୬ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ ନିର୍ମଳା। ହେଲେ ଏଥର ଏ ଆକାର ବଢିବ ବୋଲି କୁହାଯାଇଛି ।

ମୋଟ୍‌ ଉପରେ, ବଜେଟ୍‌ରେ ବି ଏଥର ରାଜନୀତିର ଛିଟା ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ହେଉଛି । କାରଣ ବିଧାନସଭା ନିର୍ବାଚନ ଥିବାରୁ ବିହାର ଲାଗି ଘୋଷଣା ହୋଇଛି ମାଳମାଳ ଯୋଜନା । ସେହି ଭିତିରେ ଓଡ଼ିଶାକୁ ଏଥର କେତେ ମିଳୁଛି ତାହା ଖୁବଶୀଘ୍ର ଜଣାପଡ଼ିବ ।