କନକ ବ୍ୟୁରୋ :ସୁନ୍ଦର ଜଳପ୍ରପାତ ଦେଖି ଆକର୍ଷିତ ହୋଇଥିଲେ ସେଥିପାଇଁ ସାଙ୍ଗସାଥୀ ହୋଇ ଗାଧୋଇବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଏ ସୌନ୍ଦର୍ଯ୍ୟଭରା ଖୁସି ସ୍ବଳ୍ପ ସମୟ ପାଇଁ । ହାତ ଧରାଧରି ହୋଇ ଜଳପ୍ରପାତର ମଜା ନେଉଥିବା ବେଳେ ହଠାତ ଘଟିଲା ଅଘଟଣ । ଆଉ ବୁଡ଼ିଗଲେ ୪ ଜଣଙ୍କ ଭିତରୁ ଦୁଇ ଜଣ ସାଙ୍ଗ । 

Advertisment

ସୌନ୍ଦର୍ଯ୍ୟଭରା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ କିନ୍ତୁ ଖୁବ୍ ବିପଦପୂର୍ଣ୍ଣ । ପାହାଡ଼ , ଝରଣାର କୁଳୁକୁଳୁ ଶବ୍ଧ ସମସ୍ତଙ୍କୁ ମୋହିତ କରୁଥିଲା । ହେଲେ ଏହି ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ଚାଲିଗଲା ୨ ଛାତ୍ରଙ୍କ ଜୀବନ ।  ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମାଥିଲି ଥାନା ଅନ୍ତର୍ଗତ ଗୁମ୍ମାଝରଣରେ ମୃତ୍ୟୁସଂଖ୍ୟା ବଢ଼ିବା ପରେ ସୃଷ୍ଟି ହୋଇଛି ଆଲୋଡ଼ନ । ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟରୁ ୫ ଜଣ ସାଙ୍ଗ ଭୋଜି କରିବାକୁ ଆସିଥିଲେ । ୪ ଜଣ ଗାଧୋଇବାବେଳେ ହଠାତ ଖସିପଡ଼ିଥିଲା ଗୋଡ଼ । କୌଶଳକ୍ରମେ ୨ ଜଣ ବର୍ତ୍ତି ଯାଇଥିଲେ କିନ୍ତୁ ପାଣିର ସ୍ରୋତ ଭସାଇ ନେଇଥିଲା ଅନ୍ୟ ୨ ଜଣ ସାଙ୍ଗଙ୍କୁ । ଜୟପୁର ଅଞ୍ଚଳ ନୂଆସାହିର ଲିଙ୍ଗରାଜ ମହାପାତ୍ର ଏବଂ ନାରାୟଣପାଟନାର ଏସ୍ ଶିକର ଚାହୁଁ ଚାହୁଁ ପାଣିର ସ୍ରୋତରେ ଭାସିଗଲେ । ଘଟଣାସ୍ଥଳରୁ ୨ ଛାତ୍ରଙ୍କୁ ତନ୍ନ ତନ୍ନ କରି ଖୋଜିଥିଲେ କୋରାପୁଟ ଓଡ୍ରାଫ୍ ଏବଂ ମାଥିଲି ଦମକଳ ବାହିନୀ ଟିମ୍ । ଖୋଜାଖୋଜି କରି ସନ୍ଧ୍ୟା ସୁଦ୍ଧା ଛାତ୍ର ଏସ୍ ଶିକରଙ୍କ ମୃତଦେହ ଠାବ ହୋଇଥିଲା । 

ଅଧିକ ପଢ଼ନ୍ତୁ--ମାଲକାନଗିରିରେ ଅନରକିଲିଂ! ଝିଅର ପ୍ରେମିକଙ୍କ ହତ୍ୟା ପଛରେ ବାପା

ବିପଦର ଜଳପ୍ରପାତ , ମୃତ୍ୟୁର ଜାଲ ଗୁମ୍ମାଝରଣ । ୨ ବର୍ଷରେ ନେଲାଣି ୪ ଜଣଙ୍କ ଜୀବନ । ନା’ ସୁରକ୍ଷା ପାଇଁ ପ୍ରଶାସନ ଚେତୁଛି ନା’ ସଚେତନତା ପାଇଁ ପର୍ଯ୍ୟଟକ ବିଭାଗ । ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସି ଜଳପ୍ରପାତରେ ପ୍ରାଣ ହରାଉଛନ୍ତି ପର୍ଯ୍ୟଟକ । ଯାହାକୁ ନେଇ ପୂର୍ବରୁ ଅସନ୍ତୋଷ ହେଉଥିଲେ ପର୍ଯ୍ୟଟକ ଏବଂ ଲୋକେ । ପୁଣି ୨ କଲେଜ ଛାତ୍ର ଗୁମ୍ମାଝରଣରେ ବୁଡ଼ିଯିବା ଘଟଣାକୁ ନେଇ ଫେର୍ ଉଠିଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ--୩୪ ବର୍ଷ ଧରି ଆତଙ୍କ ଖେଳାଇଥିଲା ହିଡମା; ମାଓ କ୍ୟାରିୟରେ କରିଛି ୩୬୭ ହତ୍ୟା

ଗତ ୨୦୨୪ ଜୁନ ୧୫ ତାରିଖରେ ଭୋଜି କରିବାକୁ ଆସିଥିଲେ ଜୟପୁର ଅଞ୍ଚଳର ଏକ ପରିବାର । ଗାଧୋଇବା ବେଳେ ୨ ଭାଇ ପ୍ରଦୀପ ସାହୁ ଏବଂ ସନ୍ଦୀପ ସାହୁ ବୁଡ଼ି ପ୍ରାଣ ହରାଇଥିଲେ । ସେହି ସମାନ ବର୍ଷ ଜଣେ ନାବାଳିକା ସେଲ୍ଫି ନେବାବେଳେ ଖସିପଡ଼ିଥିଲେ ହେଲେ ଅଳ୍ପକେ ବଞ୍ଚିଯାଇଥିଲେ । ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ମୋବାଇଲ ରିଲ୍ସ ଏବଂ ଗାଧୋଇବା ବେଳେ ସତର୍କତା ଅଭାବରୁ ଗୁମ୍ମାଝରଣରେ ପ୍ରାଣ ଯାଉଛି । ଏପଟେ ପର୍ଯ୍ୟଟନ ବିଭାଗ ଏବଂ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ପାଇଁ ସଚେତନତା କି ସଙ୍କେତ ଦେଉନଥିବାରୁ ଏପରି ବିପଦ ପର୍ଯ୍ୟଟକ ମୁଣ୍ତାଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଉଠୁଛି ।