କନକ ବ୍ୟୁରୋ : ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କାବୁ କରିଛି । ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଯୁଦ୍ଧ ଜାହାଜ ଯୋଗେ ଆମେରିକା ନିଆଯାଉଛି, ସେଠାରେ ନ୍ୟୁୟର୍କରେ ସେମାନଙ୍କ ବିରୋଧରେ ମାମଲା ଚାଲିବ । ଭେନେଜୁଏଲାର ବିଶାଳ ତୈଳ ଭଣ୍ଡାର ଉପରେ ଆମେରିକା ନଜର ରଖିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ତୈଳ କମ୍ପାନିଗୁଡ଼ିକୁ ଭେନେଜୁଏଲାର ବିଶାଳ ଅଶୋଧିତ ତୈଳ ଭଣ୍ଡାରର ଉପଯୋଗ କରିବା ପାଇଁ ଅନୁମତି ଦିଆଯିବ । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ଭେନେଜୁଏଲାର ତେଲ ଚୀନକୁ ଯୋଗାଇବ ।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ବଡ଼ ବଡ଼ ଶକ୍ତି କମ୍ପାନିଗୁଡ଼ିକ ଭେନେଜୁଏଲାର ନଷ୍ଟ ହୋଇଯାଇଥିବା ତୈଳ ଭିତ୍ତିଭୂମିର ପୁନରୁଦ୍ଧାର କରିବେ । ଏଠାରେ ପୁନର୍ବାର ଉତ୍ପାଦନ ଆରମ୍ଭ କରିବା ପାଇଁ ଅରବ ଅରବ ଡଲାର ନିବେଶ କରିବେ । ଟ୍ରମ୍ପ କହିଛନ୍ତି, "ବିଶ୍ୱର ସବୁଠାରୁ ବଡ଼ ଆମେରିକୀୟ ତୈଳ କମ୍ପାନିଗୁଡ଼ିକ ସେଠାକୁ ଯିବେ, କୋଟି କୋଟି ଡଲାର ଖର୍ଚ୍ଚ କରିବେ ଏବଂ ବହୁତ ଖରାପ ଅବସ୍ଥାରେ ଥିବା ତୈଳ ଭିତ୍ତିଭୂମିକୁ ଠିକ୍ କରି ଦେଶ ପାଇଁ ରୋଜଗାର କରିବା ଆରମ୍ଭ କରିବେ ।" ଟ୍ରମ୍ପ କହିଛନ୍ତି ଯେ ଆମେରିକା ଭେନେଜୁଏଲାର ତେଲରୁ ଏକ "ବଡ଼ ପରିମାଣ" ଅନ୍ୟ ଦେଶଗୁଡ଼ିକୁ ବିକ୍ରି କରିବ ।
ଅଧିକ ପଢ଼ନ୍ତୁ---ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇନେଲା ଆମେରିକା : ଆମେରିକା କବଜାରେ ଥିବା ଫଟୋ ସେୟାର କଲେ ଟ୍ରମ୍ପ..
ଦିନ ଥିଲା ଭେନେଜୁଏଲା ସହିତ ଅଶୋଧିତ ତୈଳକୁ ନେଇ ବଡ଼ ବଡ଼ ଡିଲ୍ କରୁଥିଲା ଆମେରିକା । ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସ୍ୱାଭାବିକ ଥିଲା । କିନ୍ତୁ ଦ୍ୱିତୀୟ ଥର ଟ୍ରମ୍ପ ରାଷ୍ଟ୍ରପତି ହେବାପରେ ବାରମ୍ବାର ଭେନେଜୁଏଲାକୁ ଟାର୍ଗେଟ୍ କରିଥିଲେ । ଏହି ଦେଶ ଆମେରିକାକୁ ଡ୍ରଗ୍ସ ସପ୍ଲାଇ କରୁଥିବା ସେ ଅଭିଯୋଗ ଆଣି ଆସିଥିଲେ । ଏଥିପାଇଁ ଆମେରିକାରେ ଆତଙ୍କବାଦୀ ବୃଦ୍ଧି ପାଉଥିବା ନେଇ ବିଶ୍ୱାସ କରୁଥିଲେ ଟ୍ରମ୍ପ । ଭେନେଜୁଏଲାର କାର୍ଯ୍ୟକଳାପ ଯୋଗୁଁ ଆମେରିକାରେ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶର ଗଣତନ୍ତ୍ର ଦୁର୍ବଳ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ ଆମେରିକା ରାଷ୍ଟ୍ରପତି । ତେଣୁ ଭେନେଜୁଏଲା ତେଲ ଉପରେ ଲୋଭ କରି ଆମେରିକା ଏହି ଏୟାରଷ୍ଟ୍ରାଇକ୍ କରିଥିବା ନେଇ କୁଟନୀତିଜ୍ଞମାନେ ଆକଳନ କରିଛନ୍ତି ।
୨୦୧୮ରେ ପ୍ରତିଦିନ ଭେନେଜୁଏଲାଠାରୁ ପ୍ରତିଦିନ ୫ ଲକ୍ଷ ବ୍ୟାରେଲ୍ ତେଲ କିଣୁଥିଲା ଆମେରିକା । ହେଲେ ୨୦୨୦ ବେଳକୁ ତେଲ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । ଏହାପରେ ଭେନେଜୁଏଲା ଚୀନ ଓ ରୁଷକୁ ତେଲ ବିକିବା ଆରମ୍ଭ କରିଥିଲା । ବାସ୍ ଏଠାରୁ ହିଁ ଆରମ୍ଭ ହୋଇଥିଲା ବିବାଦ । ୨୦୧୯ ମସିହାରୁ ଭେନେଜୁଏଲା ଆମେରିକୀୟ ତୈଳ କଟକଣା ଅଧୀନରେ ରହିଛି । ଭେନେଜୁଏଲା ବର୍ତ୍ତମାନ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ କରୁଛି, ଯାହାର ଅଧିକାଂଶ ଭାଗ ଭାରି ରିହାତିରେ କଳା ବଜାରରେ ବିକ୍ରି କରାଯାଉଛି । ରାଷ୍ଟ୍ରପତି ଟ୍ରମ୍ପ ଭେନେଜୁଏଲାର ତୈଳ କ୍ଷେତ୍ରକୁ ବର୍ଷ ବର୍ଷ ଧରି 'ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଦର୍ଶାଇଛନ୍ତି, ଯଦିଓ ଭେନେଜୁଏଲା ପାଖରେ ବିଶାଳ ଅଶୋଧିତ ତୈଳ ଭଣ୍ଡାର ରହିଛି ।
ଆମେରିକା ତୈଳ ଯୋଗାଣ ପ୍ରକ୍ରିୟାକୁ ଅବ୍ୟାହତ ରଖିବ ଏବଂ ଚୀନକୁ ନେଇ ଉପୁଜିଥିବା ସମସ୍ତ ଚିନ୍ତା ବା ଆଶଙ୍କାକୁ ସେ ଖାରଜ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ସମ୍ପର୍କ ଅତ୍ୟନ୍ତ ଉତ୍ତମ ରହିଛି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ବେଜିଂ ସହିତ କୌଣସି ସମସ୍ୟା ହେବ ନାହିଁ । ସେମାନଙ୍କୁ ତେଲ ମିଳିବ। ଆମେ ଲୋକଙ୍କୁ ତେଲ ନେବା ପାଇଁ ଅନୁମତି ଦେବୁ ।
ଭେନେଜୁଏଲାର ଅଶୋଧିତ ତୈଳ ଭଣ୍ଡାର ଉପରେ ଆମେରିକାର ନିୟନ୍ତ୍ରଣର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖିବାକୁ ମିଳିପାରେ । ଭାରତ ମଧ୍ୟ ଭେନେଜୁଏଲାରୁ ଅଶୋଧିତ ତୈଳ କିଣିଥାଏ । ଯଦିଓ ଅନ୍ୟ ଦେଶମାନଙ୍କ ତୁଳନାରେ ଏହାର ପରିମାଣ ଯଥେଷ୍ଟ କମ୍ ରହିଛି । ଯଦି ଆମେରିକା ଭେନେଜୁଏଲାର ତୈଳ ଭଣ୍ଡାରକୁ ନିଜ ଅକ୍ତିଆରକୁ ନେଇ ଏହାର ପରିଚାଳନା କରେ, ତେବେ ସମ୍ଭବତଃ ଏହା ଭାରତକୁ ମଧ୍ୟ ତୈଳ ଯୋଗାଣ ବୃଦ୍ଧି କରିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/04/us-oil-firms-venezuela-2026-01-04-11-14-06.jpg)