କନକ ବ୍ୟୁରୋ : ନିଆରା ଶିକ୍ଷକ । ଆଦିବାସୀ ଇଲାକାକୁ ଶିକ୍ଷିତ କରିବାକୁ ଆସି ନିଜ ଜୀବନ ସଜାଡିବାକୁ ଭୁଲି ଗଲେ । ପିଲାଙ୍କ ପାଠପଢା ପାଇଁ ବିବାହ କଲେନି । ନିଜ ପିଲା ଭଳି ମଣିଷ କରି ଅନେକଙ୍କ ଭବିଷ୍ୟତ ଗଢିଥିଲେ । ତାଙ୍କ ଚାକିରି ଜୀବନର ଶେଷ ଦିନରେ ଶୋଭାଯାତ୍ରା ଓ ସହର ବୁଲାଇ ନାଚଗୀତରେ ବିଦାୟ ଉତ୍ସବ ମନାଇଛନ୍ତି ସମସ୍ତେ ।

Advertisment

ଶୋଭାଯାତ୍ରା, ବାଜା ବାଣ, ନାଚ ଗୀତ । କୌଣସି ବିବାହ ଉତ୍ସବ ପାଇଁ ନୁହେଁ, ବରଂ ଜଣେ ଶିକ୍ଷକଙ୍କ ବିଦାୟ ଉତ୍ସବକୁ ଏମିତି ନିଆରା ଢଙ୍ଗରେ ପାଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଏମିତି ଜଣେ ଶିକ୍ଷକ ଯିଏ ନିଜ ଜୀବନ ଶିକ୍ଷା ପାଇଁ ଉତ୍ସର୍ଗୀକୃତ କରିଦେଇଛନ୍ତି । ନା ବିବାହ କରିଛନ୍ତି ନା ପରିବାର ମୋହରେ ପଡ଼ିଛନ୍ତି । କେବଳ ଗୋଟିଏ ମାତ୍ର ଲକ୍ଷ୍ୟ ନେଇ ସେ ଆଗକୁ ବଢ଼ିଛନ୍ତି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କୁ ମଣିଷ କରିବା । ସେମିତି ଜଣେ ମହାନ ଗୁରୁ ହେଉଛନ୍ତି ମାଥିଲି ବ୍ଲକ ପାଙ୍ଗାମ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ରାୟ । ତାଙ୍କ ଚାକିରିର ଶେଷ ଦିନରେ ନିଆରା ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ପୁରାତନ, ନୂତନ ଛାତ୍ରଛାତ୍ରୀ, ସହକର୍ମୀ ।

ଅଧିକ ପଢ଼ନ୍ତୁ: ଆଜିଠୁ ମିଶନ୍ ଅଲିଭ ରିଡ୍‌ଲେ; ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଅସ୍ତରଙ୍ଗରେ ଲାଗିଲା କଟକଣା

ଯାଜପୁର ଜିଲା ଦଶରଥପୁର ବ୍ଲକ ସୁସୁଆ ଗାଁର ପ୍ରତାପ କୁମାର ରାୟ । ୧୯୯୩ରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ପ୍ରତାପ ମାଲକାନଗିରିର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିଛନ୍ତି । ଗରିବ ଏବଂ ଅସହାୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ତାଙ୍କ ଅବଦାନ ଅତୁଳନୀୟ ।

ଅଭାବ ଭିତରେ ରହିଥିବା ଆଦିବାସୀ ଇଲାକାର ଛାତ୍ରଛାତ୍ରୀଙ୍କୁ ଧୈର୍ଯ୍ୟ ଧରି ଆଗକୁ ବଢ଼ିବାର ସାହାସ ଦେଉଥିଲେ ରାୟ ସାର । ଏପରି ଜଣେ ଶିକ୍ଷକଙ୍କୁ ବିଦାୟ ଦେବା ସମୟରେ ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ ।