କନକ ବ୍ୟୁରୋ : ଗୋଟିଏ ଶ୍ରେଣୀରେ ବସିଛନ୍ତି ୩ଟି ଶ୍ରେଣୀର ପିଲା । ଆଉ ପାଠ ପଢାଉଛନ୍ତି ୨ ଶିକ୍ଷକ। କିଏ କାହା କଥା ଶୁଣିବେ, କେଉଁ ଶିକ୍ଷକ କ’ଣ ପଢାଉଥିବେ, କିଛି ଜଣାନାହିଁ । ଏମିତି ୯ଟି ଶ୍ରେଣୀର ପିଲା ୩ଟି କୋଠରୀରେ ଭାଗବାଣ୍ଟି ବସୁଛନ୍ତି । ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଗତ ଗୁରୁଦିବସରେ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ରଣା ଜାତୀୟ ଶିକ୍ଷକ ପୁରସ୍କାର ପାଇଥିଲେ । ହେଲେ ବିଦ୍ୟାଳୟର ଭିତ୍ତିଭୂମି ଅତ୍ୟନ୍ତ ବିପର୍ଯ୍ୟସ୍ତ । କୋଣ୍ଡଲ ସମେତ ସୋମନାଥପୁର ପଞ୍ଚାୟତର ୧୪ଟି ଗାଁର ପିଲା ଏଠାରେ ପାଠ ପଢୁଛନ୍ତି । ହେଲେ ଶ୍ରେଣୀଗୃହର ଅଭାବ ପାଇଁ ରନ୍ଧାଶାଳକୁ ପଢ଼ା ଘର ଭାବେ ବ୍ୟବହାର କରାଯାଉଛି ।

Advertisment

ମାଲକାନଗିରି ଜିଲ୍ଲାରେ ମୋଟ୍‌ ୧୨୪୦ ସରକାରୀ ବିଦ୍ୟାଳୟ ରହିଛି । ସେଥିରୁ ପ୍ରାୟ ୮୦୦ ପ୍ରାଥମିକ ଓ ୩୫୦ ପ୍ରାଥମିକ ବିଦ୍ୟାଳୟ ରହିଛି । ସେଥିରୁ ୩୦୦ ପ୍ରାଥମିକ ଓ ୧୦୦ରୁ ଅଧିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ରହିଛି ଅଭାବ । ଏଥିସହ ବାଲବାଟିକାର ବୋଝ । ଶିକ୍ଷକ ଅଭାବ କଥା ତ’ ନ କହିବା ଭଲ । ଆଉ ୩୦୦ ଅଭାବ ସ୍ଥାନରେ ପ୍ରତି ବର୍ଷ ୨୦ ରୁ ୩୦ ଶ୍ରେଣୀ ଗୃହ ବିଭିନ୍ନ ଯୋଜନାରେ ନିର୍ମାଣ ହେଉଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।