Narayana family Photograph: (kanak news)
କନକ ବ୍ୟୁରୋ : ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ଆବାସ ଯୋଜନା ରହିଛି । ହେଲେ ଅନେକ ସମୟରେ ମନରେ ପ୍ରଶ୍ନ ଉଠେ ଏହି ଯୋଜନା ପ୍ରକୃତରେ କାହା ପାଇଁ । କାରଣ ଅନେକ ସମୟରେ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡ଼ୁଛନ୍ତି । ଏଇ ଯେମିତି ନାରାୟଣଙ୍କ ପରିବାର । ଭଙ୍ଗା ଘରେ ବର୍ଷ ବର୍ଷ ଧରି ଜୀବନ କାଟୁଛନ୍ତି । ହେଲେ ଆବାସ ଯୋଜନାରେ ପକ୍କା ଘର ମିଳୁନି । ବିଡିଓ କହୁଛନ୍ତି, ଆଲୋଚନା କରିବୁ ଯୋଗ୍ୟ ହେଲେ ଘର ମିଳିବ ।
ଏ ଖବର ପଢ଼ିଲା ପରେ ଲାଗୁଛି ଯଦି ଏହାକୁ ଜୀବନ କୁହାଯାଏ ତା ହେଲେ ଏହା ହିଁ ଜୀବନ ହୋଇପାରେ । ବାସ୍ତବରେ ଏମତି କଣ ଜୀବନ ଜୀଇଁହେବ । ଏ ଘରେ କଣ ତିନିଜଣ ଜୀନବ ଜୀଇଁପାରିବେ , ହେଲେ ଉପାୟ ବା କଣ । କଣ ବା କରାଯାଇପାରିବ । ଏମିତି ଜୀବନ କାଟିବା ତାଙ୍କ ପାଇଁ ଆବଶ୍ୟକତା ଯେତିକି ବାଧ୍ୟବାଧକତା ତାଠାରୁ ବେଶୀ । ନିଜର ବୋଲି କିଛି ନାହିଁ। ଝିଅ ମୂଲ ଲାଗିଲେ, ଜଙ୍ଗଲରୁ କାଠ ଆଣି ବିକ୍ରି କଲେ ସଂସାର ଚାଲିବ । ବାପା ମା’ଙ୍କ ପେଟ ପୁରିବ । ହେଲେ ସେଥିରେ ବା କୋଉ ପେଟ ପୁରିବ ଯେ । ଗୋଟିଏ ଓଳି ଖାଇଲେ, ଦୁଇ ଓଳି ଉପାସ । ଏ ଅବସ୍ଥାରେ ଘରଟିଏ ବା କେମିତି ତିଆରି କରିବେ । ସେଥିପାଇଁ ତ ଏମିତି ଘରେ ଜୀବନ ଚାଲିଛି । ଚାଳ ଛପର ଘରେ ପାଲ ଟାଣି ଆଶ୍ରୟ ନେବାଛଡା ଆଉ ବାଟ ବା କଣ । ଝାଟି ମାଟିର ଫଟା କାନ୍ଥ । ଯେ କୌଣସି ବେଳେ ଭୁଷୁଡ଼ିବାର ଆଶଙ୍କା । ଡରି ଡରି, ଶଙ୍କା ଆଶଙ୍କା ଭିତରେ ଜୀବନ । ଭଙ୍ଗା ଘରେ ଦିନ କାଟୁଛନ୍ତି ଧରାକୋଟ ବାହାରପୁର ପଞ୍ଚାୟତ କାଠଗଡ଼ା ଗାଁର ନାରାୟଣ ଜେନାଙ୍କ ପରିବାର ।
ଅଧିକ ପଢ଼ନ୍ତୁ---ବସ୍ଷ୍ଟାଣ୍ଡ ପାଇଁ ଗଛବଳି ; କଟାଯାଉଛି ବିରାଟ ବିରାଟ ଗଛ
ପ୍ରକୃତରେ କାହା ପାଇଁ ଆବାସ ? କେମିତି ଅବସ୍ଥା ହେଲେ ପକ୍କା ଘର ପାଇଁ ହୋଇପାରିବୁ ଯୋଗ୍ୟ? ଏ ପ୍ରଶ୍ନ ଆମେ ନୁହେଁ, ଏହି ଅଭାବୀ ପରିବାର ପଚାରୁଛି ବର୍ଷ, ବର୍ଷ ଧରି । ନାରାୟଣଙ୍କୁ ୬୮ ବର୍ଷ ହେଲାଣି, ସ୍ତ୍ରୀଙ୍କ ବୟସ ୬୨ । ଏ ବୟସରେ କାମ ଧନ୍ଦା କରିପାରୁନାହାନ୍ତି । ରାସନ କାର୍ଡରେ ମିଳୁଥିବା ଚାଉଳ ଓ ନାରାୟଣଙ୍କ ହଜାରେ ଟଙ୍କା ଭତ୍ତାରେ କଣ ଘର ଚଳାଇ ହେବ , ନାଁ ସମ୍ଭବ ତ ନୁହେଁ । ହେଲେ ହଁ କରିବା ଛଡା ଯୁ ହିଁ ନାହିଁ । ପକ୍କା ଘର ଖଣ୍ଡିଏ ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ସବୁଠି ଦୌଡ଼ିଛନ୍ତି । ହେଲେ ନିରାଶ, ଆଉ ବାବୁଙ୍କ ଆଖିରେ ଦୁଃଖୀ ପରିବାର ଦୁଃଖ ପଡିବା କଣ ସହଜ ନା କଣ ।
ଖବର କହି ଆମେ ଚୁପ ବସିବୁ ନାହିଁ । ପ୍ରଶାସନର ସମ୍ୱେଦନଶୀଳତା କମ ହୋଇଥାଇପାରେ । ହେଲେ ଆମର ପ୍ରଶ୍ନ ପ୍ରଶାସନକୁ ଆଉ କେତେ ଦିନ ଲାଗିବ ନାରାୟଣଙ୍କୁ ଯୋଗ୍ୟ ଭାବିବା ପାଇଁ? ନାରାୟଣଙ୍କ ଭଳି ଅନେକ ଯୋଗ୍ୟ ହିତାଧିକାରୀ ଆଜି ଆବାସ ପାଇବାରୁ ବଞ୍ଚିତ। ହେଲେ କାହିଁକି? ବାବୁଙ୍କ ଯାଏଁ ଏମାନଙ୍କ ଦୁଃଖ ପହଞ୍ଚିପାରୁନି ନା ଜାଣି ଅଜଣା ପାଲଟିଯାଇଛନ୍ତି ?
Follow Us