କନକ ବ୍ୟୁରୋ : ପରିତ୍ୟକ୍ତ ଶୌଚାଳୟ, ଆଉ ଶୌଚାଳୟ ଘରେ ଶୋଇଛନ୍ତି ଜଣେ ୬୫ ବର୍ଷୀୟ ବୃଦ୍ଧ । ପ୍ରବଳ ଶୀତରେ ପାଲ ଜରି ପକାଇ ତଳେ ଶୋଇଛନ୍ତି । ଦେହରେ ଦୁଇଟି ଗାମୁଛା, ଘୋଡ଼ାଇବାକୁ ମଇଳା କମ୍ବଳଟିଏ । ପାଖରେ ଅଛି ୬ ରୁ ୭ ଟି ଡ଼ବା । କେଉଁଥିରେ ବିସ୍କୁଟ ଯୋଡ଼ିଏ, କେଉଁଥିରେ ଚାଉଳ ମୁଠାରେ ପଡ଼ିଛି । ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୩ ବର୍ଷ ହେଲାଣି ଏହି ପରିତ୍ୟକ୍ତ ଘରେ ଆଶ୍ରୟ ନେଇଛନ୍ତି ବୃଦ୍ଧ ମୁରଲୀ ସାମଲ ।
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ପଞ୍ଚାୟତର ବିଲି ତେନ୍ତୁଳିଆ ଗାଁର ମୁରଲୀ ସାମଲ । ଆଜିକୁ ୩ ବର୍ଷ ବିତିଗଲାଣି ଗାଁ ମୁଣ୍ଡରେ ଥିବା ସରକାରୀ ବିଦ୍ୟାଳୟର ଏହି ପରିତ୍ୟକ୍ତ ଶୌଚାଳୟରେ ଜୀବନ ଅତିବାହିତ କରୁଛନ୍ତି । ବୟସ ୬୫ ହୋଇଥିଲେ ବି ସେ ଏପର୍ଯ୍ୟନ୍ତ କୌଣସି ଭତ୍ତା କିମ୍ବା ରାସନ ଭଳି ସରକାରୀ ସହାୟତା ପାଇ ନାହାନ୍ତି । ପେଟ ପୋଷିବା ପାଇଁ ସ୍କୁଲ୍ ଉପରେ ନିର୍ଭର ମୁରଲୀ । ସ୍କୁଲରେ ଯାହା ମଧ୍ୟାହ୍ନ ଭୋଜନ ରୋଷେଇ ହୁଏ ସେଥିରୁ ଖାଇ ଭୋକ ମେଣ୍ଟାନ୍ତି । ଆଉ ଯେଉଁଦିନ ବିଦ୍ୟାଳୟ ଛୁଟି ରହୁଛି ସେହିଦିନ ମୁରଲୀ କେବେ ଭୋକ ଉପାସରେ ରହିଯାଉଛନ୍ତି ତ ଗାଁର କୌଣସି ଲୋକଙ୍କ ଦୟାରେ ସେଦିନର ଖାଇବା ଗଣ୍ଡାକ ମିଳିଯାଏ ।
ଅଧିକ ପଢ଼ନ୍ତୁ : ଲୋକଙ୍କ ଜୀବନ ସହ ଖେଳ ; ପୋଲ ନାଁରେ ସରକାରୀ ଅର୍ଥ ହରିଲୁଟ୍
ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ମୁରଲୀ । ଖରା ବର୍ଷା ଶୀତ କାକରରେ ଭଙ୍ଗା ଦଦରା ଶୌଚାଳୟ ଘରେ ମୁରଲୀଙ୍କ ଜୀବନ କଟୁଛି । ବ୍ରହ୍ମପୁରା ଗାଁରେ ଜନ୍ମ ନେଇଥିବା ମୁରଲୀ ୨୩ ବର୍ଷରେ ଭିଟାମାଟିକୁ ବିକି ସନ୍ନ୍ୟାସୀ ଜୀବନ କାଟିବାକୁ ବାହାରକୁ ଚାଲି ଯାଇଥିଲେ । ଦୀର୍ଘ ୪୦ ବର୍ଷ ପରେ ପୁଣିଥରେ ସେ ଗାଁକୁ ଫେରିଛନ୍ତି । କିନ୍ତୁ ନିଜର ସମ୍ବଳ ବାସସ୍ଥାନକୁ ବିକି ଦେଇଥିବାରୁ ତାଙ୍କ ପାଖରେ ଏବେ ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟସ୍ଥଳ ନାହିଁ । ତେଣୁ ବାଧ୍ୟ ହୋଇ ପରିତ୍ୟକ୍ତ ଶୌଚାଳୟ ହିଁ ତାଙ୍କ ପାଇଁ ସାଜିଛି ଏକମାତ୍ର ସାହାରା । ବୟସର ଅପରାହ୍ନରେ ମୁରଲୀ ବେସାହାରା ହୋଇପଡ଼ିଥିବା ବେଳେ ଏବେ ସରକାରୀ ସହାୟତାକୁ ଚାହିଁ ବସିଛି ତାଙ୍କର ଦୁଇ ଆଖି ।
ଅନେକ ଅଭିଯୋଗ ପରେ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀମାନେ ମୁରଲୀଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସରକାରୀ ସହାୟତା ମିଳିପାରିନାହିଁ । ସତେ ଯେପରି ସରକାରୀ ଯୋଜନା ମୁରଲୀଙ୍କ ପାଇଁ ଉପହାସ ପାଲଟି ଯାଇଛି । ସରକାର ଯଦି ମୁରଲୀଙ୍କ ଉପରେ ଟିକେ ସହାୟ ହୁଅନ୍ତେ ତା’ହେଲେ ବଳକା ଜୀବନ ଶାନ୍ତିରେ କଟିଯାଆନ୍ତା ବୋଲି କୁହନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/10/old-man-2025-12-10-18-08-07.jpg)