Truck Accident Photograph: (Kanak News)
କନକ ବ୍ୟୁରୋ : ଘରେ ପଶିଗଲା ଟ୍ରକ । ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ କରମୂଳ ହାତିବାରୀ ଗ୍ରାମରେ ଘଟିଛି ଅଘଟଣ । ଗ୍ରାମର ଅସ୍ଥିର ତରାଇଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଗୋଟେ ଅଠର ଚକିଆ ଟ୍ରକ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟରକୁ ଧକ୍କା ଦେବା ପରେ ନିକଟସ୍ଥ ଏକ କୋଠା ଘରେ ପଶି ଯାଇଥିଲା । ଘରର କାନ୍ଥ ଭାଙ୍ଗି ପଶିଯିବାରୁ ଘରେ ଶୋଇଥିବା ଅବସ୍ଥାରେ ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପଟେ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି ।
ମୃତ ଯୁବକ ୨ ଜଣ ହେଲେ ଭାପୁର ବ୍ଲକର ଧାନଚେଙ୍ଗଡା ପଞ୍ଚାୟତ ଅଧୀନ କଳଟାଙ୍ଗୀ ଗ୍ରାମର ମଦନ ଧଳଙ୍କ ପୁଅ ବୀର କିଶୋର ଧଳ(୨୨) ଓ ତାରେଶ୍ଵର ବିଶ୍ଵାଳଙ୍କ ପୁଅ ଶଙ୍କର ବିଶ୍ଵାଳ(୨୭) ବୋଲି ସୂଚନା ମିଳିଛି । ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗ୍ରାମରୁ ବୋଦସା ଦେଇ କଳଟାଙ୍ଗୀ ଗ୍ରାମକୁ ଯାଉଥିବାବେଳେ ବେପରୁଆ ଭାବେ ଦୃତ ଗତିରେ ବାଇକ ଚାଳନା ଯୋଗୁଁ ଭାରସ୍ୟାମ ହରାଇ ରାସ୍ତା ସାଇଟ ଗଛରେ ମାଡ଼ ହୋଇ ଛିଟିକି ପଡ଼ିଥିଲେ ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଅଧିକ ପଢନ୍ତୁ : ଭଦ୍ରକ ଏନଏଚରେ ଟ୍ରକ ବ୍ରେକଡାଉନ୍ , ଗୋଟିଏ ପାଖ ଅଚଳ
ମାତ୍ର ଉଭୟଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ଖବର ପାଇ ପୁଲିସ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Follow Us