କନକ ବ୍ୟୁରୋ : ପୂଜା ପୂର୍ବରୁ ଘଟିଛି ଭୟଙ୍କର ଦୁର୍ଘଟଣା । ଘରକୁ ପହଞ୍ଚିବାର ମାତ୍ର କିଛି ଦୂର ପୂର୍ବରୁ ଚାଲିଯାଇଛି ୬ଜଣଙ୍କ ଜୀବନ । ଆହତ ହୋଇଛନ୍ତି ୨୦ରୁ ଅଧିକ ଯାତ୍ରୀ । କାନ୍ଦବୋବାଳିରେ ଫାଟି ପଡୁଛି ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅଞ୍ଚଳ । ପାର୍ବଣ ବେଳେ ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଯୋଗୁଁ ଚାଲି ଯାଇଛି ଏକାଧିକ ଯାତ୍ରୀଙ୍କ ଜୀବନ । ୨୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ରାସ୍ତା ଜାମ ଯୋଗୁଁ କେ.ବଲାଙ୍ଗ ଥାନା ଛକରୁ ବିପରୀତ ଦିଗରେ ଯାଉଥିଲା ରାଉରକେଲାରୁ ବାହାରିଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ । ସେହି ରାସ୍ତା ଦେଇ ଲୁହାପଥର ଲୋଡ୍ କରି କ୍ଷୀପ୍ର ଗତିରେ ସାମନା ପଟୁ ଆସିଥିଲା ଏକ ଟ୍ରକ୍ ।  କେହି କିଛି ବୁଝିବା ପୂର୍ବରୁ ମୁହାଁମୁହିଁ ହୋଇଥିଲା ଧକ୍କା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ୧୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା ଉଭୟ ଗାଡ଼ି । ଚାପି ହୋଇଯାଇଥିଲେ ବସ୍‌ରେ ଥିବା ଯାତ୍ରୀ । ଚିତ୍କାରରେ ଫାଟି ପଡ଼ିଥିଲା ପୂରା ଅଂଚଳ । ଖବର ପାଇ କେ.ବଲାଙ୍ଗ ପୁଲିସ, ଅଗ୍ନିଶମ ବାହିନୀ, ସ୍ଥାନୀୟ ଲୋକ ବସର ଝରକା ଓ ପଛ କାଚ ଦେଇ ଲୋକଙ୍କୁ ଉଦ୍ଧାର କରିଥିଲେ । 

ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । କାନ୍ଦବୋବାଳିରେ ଫାଟି ପଡୁଛି ଲହୁଣିପଡ଼ା ମେଡିକାଲ ପରିସର । ବଡ଼ କଥା ହେଉଛି କିଛି ଯାତ୍ରୀ ଆଉ ମାତ୍ର କିଛି ଦୂର ଯାଇଥିଲେ ଘରେ ପହଞ୍ଚିଥାନ୍ତେ । ହେଲେ, ସେମାନେ ଘରେ ପହଞ୍ଚିବା ପୂର୍ବରୁ ପହଞ୍ଚିଛି ମୃତ୍ୟୁର ଖବର । ଖଣି ପାଇଁ ରାସ୍ତା ଜାମ ହେଉଛି । ଲୋକେ ହଇରାଣ ହେବାକୁ ବିପରୀତ ଦିଗରେ ଯାଉଛନ୍ତି । ଯାହାର ପରିଣାମ ସ୍ବରୂପ ଆଜି ଏତେ ବଡ଼ ଦୁର୍ଘଟଣା ଘଟିଛି କିନ୍ତୁ ସମାଧାନର ବାଟ ବାହାରୁନି ।