କନକ ବ୍ୟୁରୋ : ରାତି ପାହିଲେ ଲୋକଙ୍କର ସମାନ ସମସ୍ୟା । କେଉଁଠି ପ୍ରଦୁଷଣ ନିୟନ୍ତ୍ରଣ ଯାଞ୍ଚ କରାଇବେ ତ କେଉଁଠି ପୈଠ କରିବେ ଜରିମାନା । ପ୍ରଥମେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଆଉ ଏବେ ଫାଷ୍ଟ ଟ୍ୟାଗିଂ ଘଟଣା ଲୋକଙ୍କର ନିଦ ହଜାଇଦେଲାଣି ।

Advertisment

ବୀମା, ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଫାସ୍‌ଟ୍ୟାଗ୍ ଆକ୍ଟିଭେଟ୍ ହେବନି । ଏସବୁ ତଥ୍ୟ ନଥିଲେ, ଟୋଲଗେଟ୍‌ରେ ଦେବାକୁ ହେବ ମୋଟା ଅଙ୍କର ଜରିମାନା । ବୀମା, ପ୍ରଦୂଷଣ ସାର୍ଟିଫିକେଟ୍‌ ପୈଠ ବାଧ୍ୟତାମୂଳକ ହୋଇଛି । ଫେବ୍ରୁଆରି ୧ ତାରିଖରୁ ଲାଗୁ ହେବ ନୂଆ ନିୟମ । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାତି ପାହିଲେ ଯୋଡି ହେଉଛି ଏଭଳି ଗୋଟିଏ ପରେ ଗୋଟିଏ ନିୟମ । ସବୁ ତଥ୍ୟ ଯୋଗାଡ କରିବାରେ ଲାଗିପଡିଛନ୍ତି ଗାଡ଼ି ମାଲିକ । ଜରିମାନା ଦେବା ପାଇଁ ବିଭିନ୍ନ କେନ୍ଦ୍ରରେ ଲାଗୁଛି ଭିଡ଼ । ଜରିମାନା ଆଦାୟ ପାଇଁ ଭିତ୍ତିଭୁମିର ଅଭାବ ଥିବାରୁ ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ । ଭୁବନେଶ୍ୱର ଟ୍ରାଫିକ ଥାନାରେ ଥିବା ଜରିମାନା ଆଦାୟ କେନ୍ଦ୍ର ବାହାରେ ଦିନ ସାରା ଜମିଥିଲା ଏଭଳି ଭିଡ଼ । ଦୁଇ ଚକିଆ ଗାଡିରେ ୩ ଜଣ ବସିଥିବା କାରଣରୁ ଜରିମାନା ଚାଲାଣ ଆସିଛି, କିନ୍ତୁ ଚାଲାଣରେ କୌଣସି ଚିତ୍ର ନଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗାଡ଼ି ମାଲିକ ।

ଅଧିକ ପଢ଼ନ୍ତୁ : ବାୟୁ ପ୍ରଦୂଷଣ ପାଇଁ ୫ ସହରରେ କଟକଣା, ବାହାରେ ନିଆଁ ଜାଳିବା ମନା

ପ୍ରଦୁଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ମିଳିବନି । ପ୍ରଥମେ ଏଭଳି କହି ଲୋକଙ୍କୁ ଛାନିଆ କରିଥିଲା ପରିବହନ ବିଭାଗ । ଏହାପରେ ପ୍ରତ୍ୟେକ ଦିନ ଆସୁଛି ନୂଆ ନୂଆ ନିୟମ । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପରିବହନ ବିଭାଗ ମୋଟର ଯାନ ଆଇନକୁ ଦଳିମକଚି ନିଜ ମନମୁତାବକ ନିୟମ ଆଣୁଛି ।

ରାଜ୍ୟର ୩୫ଲକ୍ଷ ଗାଡ଼ି ଉପରେ ୧୩୦୦ କୋଟି ଟଙ୍କାର ଜରିମାନା ବାକି ରହିଛି । ରାଜସ୍ୱ ଆଦାୟ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ ଫନ୍ଦି କରାଯାଉଥିବା ଅଭିଯୋଗ ହୋଇଛି । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ରହିଛି । ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଗାଡ଼ିରେ ତେଲ ଦେବାକୁ ମନା କରିବାର କ୍ଷମତା ପରିବହନ ବିଭାଗର ନଥିଲେ ବି କିଭଳି ଏତେ ବଡ଼ ନିଷ୍ପତ୍ତି ନେଲା ବୋଲି ଅନେକ ପ୍ରଶ୍ନ କଲେଣି । ତେବେ ସରକାର ନିଜେ ସବୁ ନିୟମ ପାଳନ କରନ୍ତୁ ବୋଲି କହିଲେଣି ସାଧାଣ ଲୋକ ।