କନକ ବ୍ୟୁରୋ: ବାୟୁ ପ୍ରଦୂଷଣ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବାଲେଶ୍ବର ପରେ କଟକ, ଭୁବନେଶ୍ବର, ଅନୁଗୁଳ ଓ ତାଳଚେର ସହରରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି। ସହର ଭିତରେ କୌଣସି ପ୍ରକାର ଭଙ୍ଗା କାର୍ଯ୍ୟ ହୋଇପାରିବ ନାହିଁ। ସ୍ଥାନୀୟ ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୈନିକ ୩ଥର ରାସ୍ତାରେ ପାଣି ସିଞ୍ଚନ କରିବେ। ଆବର୍ଜନା ଖୋଲାରେ ଜାଳିବେ ନାହିଁ କିମ୍ବା ଢାବାରେ କୋଇଲା ଜାଳେଣି ଭାବେ ବ୍ୟବହାର ହେବନାହିଁ। ଏଥିସହ ବିନା ଘୋଡ଼ଣିରେ କୌଣସି ମାଲ ବୋଝେଇ ଟ୍ରକ୍ ସହର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। କଟକଣା ଠିକ୍ ଭାବେ ପାଳନ ହେଉଛି, ଏକଥା ପୁଲିସ, ସ୍ଥାନୀୟ ପ୍ରଶାସନ, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଆର୍ଟିଓ ନିଶ୍ଚିତ କରିବେ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। କଟକ, ଭୁବନେଶ୍ୱରର ପ୍ରଦୂଷଣ ସ୍ଥିତିକୁ ବିଭାଗ ଲଗାତାର ସମୀକ୍ଷା କରୁଛି। ବାୟୁ ପ୍ରଦୂଷଣର ପ୍ରକୃତ କାରଣ ଖୋଜିବା ଏବଂ ଏହାର ସ୍ଥାୟୀ ପ୍ରତିକାର ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ସେକ୍ସନ୍ ୧୬୩ ଅନୁଯାୟୀ ଅନୁଗୁଳ, ବାଲେଶ୍ବର, କଟକ ଜିଲ୍ଲାର ଜିଲ୍ଲାପାଳ ପଦକ୍ଷେପ ନେବାକୁ କୁହାଯାଇଛି।
ଆହୁରି ପଢ଼ନ୍ତୁ : ଅପରେସନ୍ ଚାଲିଥିଲା, ଲାଇନ୍ କଟିଗଲା; ଏମ୍କେସିଜିରେ ଅନ୍ଧାରରେ ରୋଗୀସେବା
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଗତ ତିନି ବର୍ଷ ହେଲା ନଭେମ୍ବରରୁ ଜାନୁଆରି ମଧ୍ୟରେ ବାୟୁ ପ୍ରଦୂଷଣ ଶୀର୍ଷରେ ରହୁଛି। ଅନୁଗୁଳ, ତାଳଚେର, ବାଲେଶ୍ବର ସହରର ବାୟୁର ଗୁଣବତ୍ତା ଗୋଟିଏ ବି ଦିନ ଭଲ ସ୍ଥିତିରେ ନ ଥିଲା। ଭୁବନେଶ୍ବର, କଟକ, ବାରିପଦା ଓ କଳିଙ୍ଗନଗରର ବାୟୁ ଗୁଣବତ୍ତା ଅଧିକାଂଶ ସମୟ ଖରାପ ସ୍ତର ଦେଇ ଗତି କରିଥିଲା। ୨୦୨୩ରେ ଅନୁଗୁଳ ସହରର ବାୟୁ ସର୍ବାଧିକ ୭୩ ଦିନ ଖରାପ, ଅତ୍ୟନ୍ତ ଖରାପ ଓ ସାଂଘାତିକ ସ୍ତରରେ ରହିଥିଲା। ଏଥର ମଧ୍ୟ ସମାନ ସ୍ଥିତି ଲାଗିରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/07/polluction-2026-01-07-08-18-43.jpg)