କନକ ବ୍ୟୁରୋ : ମଦ ଉଜାଡି ଦେଲା ସଂସାର। ଜଣେ କି ୨ ଜଣ ନୁହଁ ଗୋଟିଏ ଗାଁ ରେ ୪୦୦ ରୁ ଉର୍ଦ୍ଧ ମହିଳା ବିଧବା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିବାକୁ କେହି ନାହିଁ। ମଦରୁ ବିପୁଳ ପରିମାଣରେ ରାଜସ୍ବ ଆଦାୟ କରି ଚୁପ୍ ବସିଛନ୍ତି ସରକାର। ବ୍ୟବସ୍ଥା ଉପରୁ ଭରସା ହରାଇବା ପରେ ଗାଁକୁ ମଦମୁକ୍ତ କରିବା ପାଇଁ ଚେତାବନୀ ଦେଇଛନ୍ତି ଶତାଧିକ ମହିଳା। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ସାନକାଉଡି ଗାଁରୁ  ଆସିଛି ଏହି ଖବର ।

Advertisment

ଅଧିକ ପଢ଼ନ୍ତୁ :  ସରସ୍ବତୀ ପୂଜାରେ ଅନୁଶାସନ ଭଙ୍ଗ : ମଦ ପିଇ ବଜାରରେ ଗଡ଼ିଲେ ନବମ ଶ୍ରେଣୀ ଛାତ୍ର

ମା କୋଳରେ ବସିଛନ୍ତି କୁନି କୁନି ଶିଶୁ। ଯାହାର ବାପାଙ୍କୁ ଦୁନିଆରୁ ଛଡେଇ ନେଇଛି ମଦ। ମାଆର ସିନ୍ଥିରୁ ପୋଛି ଦେଇଛି ସିନ୍ଦୂର। ଏ କେବଳ ଗୋଟିଏ ପରିବାରର କାହାଣୀ ନୁହେଁ। ପୂରା ଗାଁର କରୁଣ କାହାଣୀ। ଏଇ କିଛି ବର୍ଷ ଭିତରେ ଜୟପୁର ସଦର ଅଂଚଳର ସାନକାଉଡି ଗାଁର ୪୦୦ରୁ ଅଧିକ ମହିଳା ବିଧବା ହୋଇଛନ୍ତି।  କିଏ ବିବାହ କରିବାର ୨ବର୍ଷ ହୋଇଛି  ତ  ଆଉ କିଏ ୫ବର୍ଷ ହେଲା ସଂସାର ଗଢ଼ିଛି। କିନ୍ତୁ ଏମାନଙ୍କ ସୁନାର ସଂସାରକୁ ଭାଙ୍ଗି ଚୁର୍‌ମାର୍‌ କରି ଦେଇଛି ମଦ। ସ୍ଥିତି ଏମିତି ଯେ ଗାଁରେ ପ୍ରତି ମାସରେ ଜଣେ ମହିଳା ବିଧବା ହେଉଛନ୍ତି। କିଏ ନିଜ ଭେଣ୍ଡିଆ ପୁଅକୁ ହରାଇଛି ତ ଆଉ କିଏ ସ୍ବାମୀଙ୍କୁ ହରାଇ ଆଖିରୁ ଲୁହ ଗଡ଼ାଉଛି। ପ୍ରଶ୍ନ କରୁଛନ୍ତି, କାହା ଭରସାରେ ସଂସାର ଚଳାଇବେ? ଏହି କୋହଭରା ଚିତ୍ର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ :  ଖବର ବାଜିବା ପରେ ନିଦରୁ ଉଠିଲା ପ୍ରଶାସନ, ମଦ ପାଇଁ ଗାଁ ପୁରୁଷ ଶୂନ୍ୟ ହେବା ପୂର୍ବରୁ ଆରମ୍ଭ କଲା କାର୍ଯ୍ୟାନୁଷ୍ଠାନ

 ପ୍ରଶାସନିକ ହୁଗୁଳା ବ୍ୟବସ୍ଥାର ଫାଇଦା ଉଠାଇ ଗାଁରେ ବେଧଡକ ଚାଲିଛି ମଦ ବିକ୍ରି । ରାତି ଦିନ ମଦ ବେପାର ବନ୍ଦ ନାହିଁ। ଏହାକୁ ବନ୍ଦ କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ବେ ଫଳ ଶୂନ। ମଦ ବେପାରୀଙ୍କୁ ହାତବାରିସି ସାଜିଛି ଅବକାରୀ ବିଭାଗ ଓ ପୁଲିସ। ଚାରିଆଡୁ ହତାଶ ହେବା ପରେ ମଦ ବନ୍ଦ କରିବାକୁ ଏକଜୁଟ୍ ହୋଇଛନ୍ତି ଗାଁ ମହିଳା। ଏବେ ବିଧବାଙ୍କ ପାଇଁ ଲଢ଼େଇ କରିବାକୁ ପଣ କରିଛନ୍ତି ସଧବା ମହିଳା।