କନକ ବ୍ୟୁରୋ : ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ଶିକ୍ଷକଙ୍କର ଟ୍ରେନ୍ ଚକା ତଳେ କଟି ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି ସକାଳେ ଝାରସୁଗୁଡ଼ା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଛତିଶଗଡ଼ ରାୟପୁରର ବି. ଶିବଶଙ୍କର । ସେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ (ଶିକ୍ଷକ) ଭାବରେ କାର୍ଯ୍ୟରତ ଥିଲେ। ପୋଲିସ ସୂଚନା ମୁତାବକ, ଆଜି ଶିବଶଙ୍କର ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ । ସେ ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ଟ୍ରେନ୍‌ଟି ଷ୍ଟେସନ ଛାଡି ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ଟ୍ରେନ୍ ତଳକୁ ଗଳି ପଡ଼ିଥିଲେ ।

Advertisment

ଅଧିକ ପଢନ୍ତୁ... ନୂଆବର୍ଷ ପାଇଁ ଅବକାରୀ ବିଭାଗର ନୂଆ ଯୋଜନା: ଆରମ୍ଭ ହେଲା ଜୋରଦାର ଧରପଗଡ଼

ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ ଏବଂ ଟ୍ରେନ୍ ଚକା ତଳେ କଟି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମସ୍ତ ଦୃଶ୍ୟ ଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇ ଜିଆରପି (GRP) ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।