କନକ ବ୍ୟୁରୋ : ସମାଜରେ ସାଧରଣ ଲୋକଟିଏ ସ୍ୱାଭିମାନ ସହ ବଞ୍ଚିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେଥିମଧ୍ୟରୁ ବରିଷ୍ଠ ନାଗରିକଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଏକ ସମ୍ମାନସ୍ପଦ ଯୋଜନା । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଅନେକ ବୃଦ୍ଧ ଓ ବୃଦ୍ଧା ଉପକୃତ ହୋଇ ଆସୁଛନ୍ତି । ହେଲେ ଆଶ୍ଚର୍ଯ୍ୟର ବିଷୟ ଗୋଟିଏ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଜୀବିତ ଥିବା ସତ୍ତ୍ବେ ସରକାରୀ ଖାତାରେ ତାକୁ ମୃତ ଘୋଷିତ କରି ପେନ୍ସନ୍ ବନ୍ଦ କରି ଦିଆଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ଖଲ୍ଲିକୋଟ୍ ବ୍ଲକ ବଧିନୁଆପଲ୍ଲୀ ପଞ୍ଚାୟତ କେନ୍ଦୁବାଡ଼ି ଗାଁର ବଂଶୀଧର ନାହାକ । ବୟସ ୮୦, ପରିବାର କହିଲେ ବଂଶୀଧର ଓ ତାଙ୍କ ଧର୍ମପତ୍ନୀ କୁନ୍ତଳା । ଦୁଇ ବଖରା ଘରେ ୨ ହଜାର ଟଙ୍କା ଭତ୍ତାରେ ଚାଲୁଥିଲା ତେଲ ଲୁଣର ସଂସାର । ହେଲେ ହଠାତ୍ ଗତ ଜୁଲାଇ ମାସରୁ ବଂଶୀଧରଙ୍କ ଭତ୍ତା ବନ୍ଦ ହୋଇଗଲା । ବ୍ୟାଙ୍କକୁ ଯିବାରୁ ଜାଣିବାକୁ ପାଇଥିଲେ ଜୁଲାଇରୁ ତାଙ୍କ ଖାତାକୁ ଭତ୍ତା ଟଙ୍କା ଆସିନାହିଁ । ପରେ ପଞ୍ଚାୟତ କାର୍ଯ୍ୟାଳୟରୁ ଜାଣିଲେ ତାଙ୍କୁ ମୃତ ଘୋଷଣା କରି ଭତ୍ତାରୁ ବାଦ୍ ଦିଆଯାଇଛି ।
ଅଧିକ ପଢ଼ନ୍ତୁ---ଲୋକଙ୍କୁ ଭରସା ବାଉଁଶ ପୋଲ ; ବିପଜ୍ଜନକ ଭାବେ ଚାଲିଛି ଯାତାୟାତ
୬ ମାସ ହେଲାଣି ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି । ୮୦ ବର୍ଷ ବୟସରେ ବଂଶୀଧର ଘର ଚଳାଇବା ପାଇଁ ଗାଁରେ ଥିବା ଏକ ଘରୋଇ ପ୍ରତିଷ୍ଠାନରେ ରୋଷେଇ କରୁଛନ୍ତି । ସେପଟେ ବିଡିଓ କହୁଛନ୍ତି, ଭୁଲବସତ ଯଦି ନାଁ କଟି ଯାଇଥିବ ତାହା ହେଲେ ଆମେ ତଦନ୍ତ କରି ପୁଣି ଭତ୍ତା ପ୍ରଦାନ କରିବୁ । କାହା ଭୁଲ୍, ଭୋଗୁଛି କିଏ ? ଭତ୍ତା କାଟିବା ପୂର୍ବରୁ ତଦନ୍ତ କରିଥିଲେ ନା ମନଇଚ୍ଛା କାଟିଦେଲେ ନାଁ ? ନା ବଂଶୀଧରଙ୍କୁ ମୃତ ଦର୍ଶାଇ ଆଉ କାହାକୁ ସୁବିଧା ଦେଉଛନ୍ତି ସରକାରୀ ବାବୁ ? ଏ ସବୁ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/27/bhatta-2025-12-27-18-03-49.jpg)