କନକ ବ୍ୟୁରୋ : ତଳେ ନଦୀର ପାଣି ସୁଅ ଆଉ ତାହାରି ଉପରେ ଥିବା ବାଉଁଶ ପୋଲ ଉପରେ ଚାଲି ଚାଲି ଯାଉଛନ୍ତି ଛୋଟ ପିଲା ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ । କେତେବେଳେ କଣ ଅଘଟଣ ଘଟିବ କହିବା ମୁସ୍କିଲ । ହେଲେ ଏହି ରାସ୍ତାରେ ହିଁ ଯିବାକୁ ପଡିବ, କାହିଁକି ନା ଏହି ରାସ୍ତାରେ ନ ଗଲେ ୨୫ କିଲୋମିଟର ବୁଲି ଯିବାକୁ ପଡିବ । ଯେଉଁଥିପାଇଁ ଭୋଗିବାକୁ ପଡିବ ଅନେକ ଦୁର୍ଦ୍ଦଶା । ଏଭଳି ଅବସ୍ଥାରେ ଯାତାୟାତ କରୁଛନ୍ତି ୪ଟି ପଞ୍ଚାୟତର ହଜାର ହଜାର ଲୋକ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକ ମଧ୍ୟରେ ବାଧକ ସାଜିଛି ସୋନ ନଦୀ ।
ଉଦଳା ବ୍ଲକ କୋଚିଳାଡିହା ପଞ୍ଚାୟତରୁ ଗୋପବନ୍ଧୁନଗର ବ୍ଲକ ଜୟପୁର, ବରଡ଼ିହି, କୁଶଳଦା ପଞ୍ଚାୟତକୁ ଯିବା ପାଇଁ ହେଲେ ବୈରାଟପୁର, ଧୂଳିନ୍ଦା, କୋଚିଳାଡିହା, କଳାପାହାଡ଼ ଗ୍ରାମବାସୀଙ୍କ ପାଇଁ ସୋନ ନଦୀ ଉପରେ ଥିବା ବାଉଁଶ ପୋଲ ସାହାରା । ବାଉଁଶ ପୋଲରେ ନଗଲେ ଗ୍ରାମବାସୀ ମାନଙ୍କୁ ୨୫ କିଲୋମିଟର ବୁଲି ଯିବାକୁ ପଡିବ, ଯାହା କଷ୍ଟଦାୟକ ଏବଂ ସମୟ ସାପେକ୍ଷ । ଏହି ନଦୀ ଉପରେ ପୋଲଟିଏ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସିଥିବା ବେଳେ, ୨୦୧୯ ମସିହାରେ ଯଇଦା ନିକଟରେ ବ୍ୟାରେଜ ହେବା ସହିତ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା । ହେଲେ ତାହାର କାଣିଚାଏ କାମ ଆଜି ପର୍ଯ୍ୟନ୍ତ ହୋଇ ନାହିଁ । ବାରମ୍ବାର ବିଭାଗୀୟ ଅଧିକାରୀ ଆସି ମାପଚୁପ କରୁଥିବା ବେଳେ ସେତୁ କାମ ଆଗେଇ ପାରୁନି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ, ନିଜ ପାଇଁ ନିଜ ଖର୍ଚ୍ଚରେ ବାଉଁଶ ପୋଲ ତିଆରି କରିଛନ୍ତି । ବିପଦସଙ୍କୁଳ ହେଲେ ବି, ତାହାରି ଉପରେ ଯାଆସ କରିବାକୁ ବାଧ୍ୟ ହେଉଛନ୍ତି ।
ଅଧିକ ପଢ଼ନ୍ତୁ---ଖବର ବାଜିବା ପରେ ଚେତିଲା ପ୍ରଶାସନ ; ସମାରୀଙ୍କୁ ମିଳିଲା ସାହାରା
ଖରା ଏବଂ ଅନ୍ୟ ଦିନରେ ଏହି ବାଉଁଶ ପୋଲକୁ ଭରସା କରି ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ବର୍ଷା ଦିନେ ଦୁଃଖ ଦୁଇଗୁଣ ବଢ଼ିଯାଏ । ବର୍ଷା ଦିନେ ବାଉଁଶ ପୋଲ ଭାସିଯାଏ, ନଦୀରେ ପାଣି ବଢ଼ିଯାଏ । ତେଣୁ ୨୫ କିଲୋମିଟର ବୁଲି ଉଦଳା, ଖୁଣ୍ଟା ମେଡିକାଲ ଠାରୁ ଆରମ୍ଭ କରି ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ । ବାରମ୍ବାର ଦାବି ପରେ ବି ପୋଲଟିଏ ନିର୍ମାଣ ହେଉ ନ ଥିବାରୁ, ଏହାକୁ ନେଇ ଅସନ୍ତୋଷ ତେଜୁଛି । ବାଉଁଶ ପୋଲ ସାହାରାରେ ପଞ୍ଚାୟତବାସି ଯାତାୟାତ କରୁଥିବା ବେଳେ ବୋଧ ହୁଏ ଏକ ବଡ଼ ଦୁର୍ଘଟଣାକୁ ଜଗିଛନ୍ତି ପ୍ରାଶାସନିକ ଅଧିକାରୀ, ଜନ ପ୍ରତିନିଧି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/27/mayurbhanj-2025-12-27-17-32-52.jpg)