ଟ୍ୟାପ୍‌ ଅଛି ହେଲେ ପାଣି ନାହିଁ ; ଗାଁ ଲୋକଙ୍କୁ ମିଳୁନି ପିଇବା ପାଣି

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡା ଗ୍ରାମପଞ୍ଚାୟତ କୋତମେର ଗ୍ରାମରେ ଏସବୁ ସରକାରୀ ଯୋଜନା ଯେମିତି ଫେଲ୍‌ ମାରିଛି । ଏଠାକାର ଲୋକଙ୍କୁ ପିଇବାକୁ ମିଳୁନି ବିଶୁଦ୍ଧ ଜଳ ।

Water Problem

Water Problem Photograph: (Kanak News)

କନକ ବ୍ୟୁରୋ: ଓଡ଼ିଶା ସରକାରଙ୍କ ବସୁଧା ଯୋଜନା ଓ ଜଳ ଜୀବନ ମିସନରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଓଭରହେଡ୍‌ ଟ୍ୟାଙ୍କ ନିର୍ମାଣ କରି ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଉଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡା ଗ୍ରାମପଞ୍ଚାୟତ କୋତମେର ଗ୍ରାମରେ ଏସବୁ ସରକାରୀ ଯୋଜନା ଯେମିତି ଫେଲ୍‌ ମାରିଛି । ଏଠାକାର ଲୋକଙ୍କୁ ପିଇବାକୁ ମିଳୁନି ବିଶୁଦ୍ଧ ଜଳ । ପାନୀୟ ଜଳ ଯୋଗାଇବାକୁ ଗତ ୨୦୨୦ ମସିହାରେ ଓଭର ହେଡ ଟ୍ୟାଙ୍କ କାମ ଆରମ୍ଭ ହୋଇ ୨୦୨୪ରେ ସରିଥିଲା। ଗାଁରେ ପାଣି ପାଇପ ବିଛାଯାଇ ଘରମାନଙ୍କରେ ଟ୍ୟାପ ମଧ୍ୟ ଲଗାଯାଇଛି । ଲୋକ ଭାବିଥିଲେ ଟ୍ୟାପ୍‌ ଲାଗିଲାଣି ମାନେ ଏବେ ନିଶ୍ଚୟ ପିଇବାକୁ ପାଣି ମୁନ୍ଦେ ମିଳିବ ହେଲେ ସେ ଆଶା ଆଶାରେ ରହିଯାଇଛି । 

ଟ୍ୟାପ୍‌ ସିନା ଅଛି ହେଲେ ପାନୀୟ ଜଳର ଦେଖାନାହିଁ । ବିଶୁଦ୍ଧ ପାନୀୟ ଜଳ କେବେ ପାଇବେ ସେ ନେଇ ଆଶା ଆଶଙ୍କାରେ ଗ୍ରାମବାସୀ । କୋତମେର ଗାଁରେ ବିଭିନ୍ନ ସମ୍ପ୍ରଦାୟର ୩ ହଜାରରୁ ଅଧିକ ଲୋକ ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି , ଗାଁରେ ୫ ଟି ନଳକୂପ ରହିଛି । ସେଥିମଧ୍ୟରୁ ଗୋଟିଏ ଅଚଳ ପଡ଼ିଛି । ଦୁଇଟି ନଳକୂପ ପାଣି ପିଇବା ଯୋଗ୍ୟ ହୋଇ ନ ଥିବା ବେଳେ ବାକି ଦୁଇଟି ନଳକୂପରୁ ଫ୍ଲୋରାଇଡ ମିଶା ପାଣି ବାହାରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ଅଧିକ ପଢ଼ନ୍ତୁ--ଜାତୀୟ ରାଜପଥରେ ୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌ ; କେହି ଦେଉନାହାନ୍ତି ଗୁରୁତ୍ବ

ପାନୀୟ ଜଳରୁ ବଞ୍ଚିତ ହୋଇ ବାଧ୍ୟ ହୋଇ କୂଅ ଓ ପୋଖରୀ ପାଣି ବ୍ୟବହାର କରୁଛନ୍ତି ଏଠାକାର ଲୋକ । ସେପଟେ ଫ୍ଲୋରାଇଡ ଯୁକ୍ତ ପାଣି ପିଇବା ଯୋଗୁଁ ଗାଁର ୫ରୁ ଅଧିକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ପାଣି ଟ୍ୟାଙ୍କ ନିର୍ମାଣ ହେବାକୁ ବର୍ଷେ ବିତିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି । ଆଜି ପର୍ଯ୍ୟନ୍ତ ଫ୍ଲୋରାଇଡ ଯୁକ୍ତ ପାଣି ଉପରେ ନିର୍ଭର କରୁଛନ୍ତି, ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିପାଇଁ ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ବାରମ୍ବାର ମଟର, ପାଇପ ଓ ତାର ଚୋରି ଲାଗି ଏହି ସମସ୍ୟା ଲାଗି ରହିଛି ବୋଲି ଜଳ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ପ୍ରଶ୍ନ ଉଠୁଛି ଯୋଜନା ଚାଲୁ ହେବା ପରେ ବି ଏମିତି ଅବହେଳା କାହିଁକି ?କେବେ ଦୂର ହେବ ଏହି ଲୋକଙ୍କ ସମସ୍ୟା ? କେବେ ପିଇବାକୁ ଭଲ ପାଣି ଟୋପେ ପାଇବେ ଏଠାକାର ବାସିନ୍ଦା ?

ଅଧିକ ପଢ଼ନ୍ତୁ--ଛାଡ଼ପତ୍ରର ଛାତିଥରା କାହାଣୀ :ଚିକିତ୍ସା ଅବହେଳାରୁ ଆଖିବୁଜିଲା ପୁଅ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe