Palalahada Photograph: (kanak news)
କନକ ବ୍ୟୁରୋ : ସ୍ବାଧୀନତାର ବର୍ଷ ବର୍ଷ ପରେ ବି ଯେଉଁ ଗାଁ ବିକାଶ ଦେଖିନି । ମୌଳିକ ସୁବିଧା ଯେଉଁଠି ସାତ ସପନ । ଆଜି ଡିଜିଟାଲ୍ ଯୁଗରେ ଯେଁଠି ବିଜୁଳି କ’ଣ ଲୋକ ଜାଣିନାହାନ୍ତି । ଏବେ ସେ ଗାଁ ମୌଳିକ ସୁବିଧା ପାଇବ , ବିକାଶ ଦେଖିବ । ସମ୍ବାଦରେ ଖବର ପ୍ରକାଶ ପରେ ଅନୁଗୁଳ ପାଳଲହଡ଼ାର କୁଳଡିହ ଗାଁକୁ ମିଳିଛି ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି । ପକ୍କା ରାସ୍ତା ଯେଉଁ ଗାଁ ଦେଖିନି । ଯେଉଁଠି ସ୍କୁଲ୍ ନାହିଁ କି ଅଙ୍ଗନବାଡ଼ି ନାହିଁ । ପାଠ ପଢ଼ିବାକୁ ଗାଁ ଠାରୁ ୨ କିମି ଦୂର କେନ୍ଦୁଝରର ବାଉଁଶପାଳର କାଦଡ଼ିହା ପ୍ରାଥମିକ ବିଦ୍ୟାଳୟ ଯିବାକୁ ପଡ଼େ । ବର୍ଷସାରା ଗାଁରେ ବହି ଯାଉଥିବା ଦୂଷିତ ନାଳ ନହେଲେ ପାହାଡ଼ ଝରଣାରୁ ଚୁଆ ଖୋଳିଲେ ଶୋଷ ମେଣ୍ଟୁଛି । ଆଜ୍ଞା ହଁ, ଆମ ବିକଶିତ ଓଡ଼ିଶାର ସ୍ବପ୍ନ ଭିତରେ ଏମିତି ଏକ ଅବହେଳିତ ଗାଁ ହେଉଛି ଅନୁଗୁଳ ଜିଲ୍ଲା ପାଳଲହଡ଼ା ନଗିରା ପଞ୍ଚାୟତର ସୀମାନ୍ତ ଗାଁ କୁଲଡିହ । ଯେଉଁଠି ମୌଳିକ ସୁବିଧା ମିଳୁନି, ସେଠି ବିକାଶ ଭଳି ଶଦ୍ଦର ବ୍ୟବହାର ବୋଧ ହୁଏ ଠିକ ଲାଗିବନି ।
ପାବୁଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ଅଧିନରେ ଥିଲେ ବି ଗଣତନ୍ତ୍ରର ସ୍ବାଦ ଚାଖିନି କୁଲଡିହ । ଗାଁକୁ ଆଜିଯାଏଁ ବିଜୁଳି ଆସିପାରିନି। ଗାଁ ମଝିରେ ମନରେଗା ଯୋଜନାରେ ୫ ଲକ୍ଷ ଟଙ୍କାର ରାସ୍ତା କାମ ହୋଇଛି, ଯାହା ଅତ୍ୟନ୍ତ ନିମ୍ନମାନର । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ। ନିର୍ବାଚନ ଆସିଲେ ନେତା ଆସନ୍ତି, ପ୍ରତିଶ୍ରୁତିର ପାହାଡ଼ରେ ଲଦି ଦିଅନ୍ତି। ଆଉ ନିର୍ବାଚନ ପରେ ନିରବି ଯାଆନ୍ତି ନେତା ।
ଅଧିକ ପଢ଼ନ୍ତୁ---ଅସହ୍ୟ ହେଉଛି ମଣ୍ଡି ଯନ୍ତ୍ରଣା ; ରାୟଗଡ଼ାରେ ଚାଷୀକୁ ମିଳୁନି ଟୋକନ୍
ଲୋକଙ୍କ ସମସ୍ୟା ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ସରକାରୀ ପ୍ରତିନିଧି ଦଳ ଗାଁକୁ ଗସ୍ତ କରିଥିଲେ। ଗାଁର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି କାର୍ଯ୍ୟରେ ଲାଗିବ ନା କେବଳ ଆଶ୍ବସନା ହୋଇ ରହିଯିବ ତାକୁ ଅପେକ୍ଷା କରିଛନ୍ତି କୁଲଡିହର ୩ଶହ ଲୋକ ।
Follow Us