କନକ ବ୍ୟୁରୋ : ଉପକୂଳ ହେଉକି ଦକ୍ଷିଣ ସବୁଠୁ ଆସୁଛି ମଣ୍ଡି ଅବ୍ୟବସ୍ଥାର ଚିତ୍ର । ରାୟଗଡ଼ାରେ ଚାଷୀକୁ ଟୋକନ ମିଳୁନି । ଗଜପତିରେ ସମବାୟ ସମିତି ସମ୍ପାଦକ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଚାଷୀ ପେଶି ହେଉଥିବା ଅଭିଯୋଗ ଆସିଛି । ଆବଶ୍ୟକ ଟୋକନ ମିଳୁନି । ଶୀତ ଓ କାକରରେ ଧାନର ମାନ ଖରାପ ହେଉଥିବା ବେଳେ ସରକାର କି ପ୍ରଶାସନ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।  

Advertisment

କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଧାନ ଖୋଲା ଆକାଶ ତଳେ । କାହାର ଜମିରେ ତ’ ଆଉ କାହାର ରାସ୍ତା ଉପରେ । ଅମଳ ଧାନ ରଖିବାକୁ ନିଜସ୍ୱ ଜାଗା ନାହିଁ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଧାନ କିଣାରେ ଚାଷୀଙ୍କୁ ଟୋକନ ମିଳିପାରିଲାନି । ମାର୍ଚ୍ଚ ୩୧ରେ ତୃତୀୟ ଅର୍ଥାତ୍ ଶେଷ ପର୍ଯ୍ୟାୟରେ ଟୋକନ ମିଳିବ କି ନାହିଁ ତା’ ବି ଜଣାନାହିଁ। ଦୀର୍ଘ ୨ ମାସ ହେଲାଣି ଖୋଲାରେ ନିଜ କଷ୍ଟ ଉପାର୍ଜିତ ଧାନକୁ ପକାଇରଖିଛି ଚାଷୀ । ଏ ଖବର ରାୟଗଡ଼ାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଓ ଜେମାଦେଇପେଣ୍ଠ ଗାଁର। ଖୋଲାରେ ଧାନ ପଡ଼ି ପଡି ନଷ୍ଟ ହବା ଅପେକ୍ଷା କମ୍ ଦାମରେ ଦଲାଲଙ୍କୁ ବିକିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଚାଷୀ ।

ଅଧିକ ପଢ଼ନ୍ତୁ---୨୨ଜଣ ସୈନ୍ୟଙ୍କ ହତ୍ୟାକାରୀ ମାଓ କମାଣ୍ଡର ନିହତ, ସେନା ଏନକାଉଣ୍ଟରରେ ଗଲା ଜୀବନ

ଗଜପତି ଜିଲ୍ଲାରୁ ବି ଆସିଛି ମଣ୍ଡି ଅବ୍ୟବସ୍ଥାରେ ଚିତ୍ର । ଚାଷୀଙ୍କୁ ମିଲର୍ସଙ୍କୁ ବିକି ସମବାୟ ସମିତି ସମ୍ପାଦକ ମାଲେମାଲ ହେଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏକର ପିଛା ୧୯ କ୍ବିଣ୍ଟାଲ ଧାନ କିଣିବା ନେଇ ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ତାହା ୧୬ କ୍ବିଣ୍ଟାଲ ରହିଛି । ଯୋଗ୍ୟ ଚାଷୀଙ୍କୁ ଟୋକନ ମିଳୁନି । ବଳକା ଧାନକୁ କୁଆଡ଼େ ନେବୁ ବୋଲି ଚିନ୍ତାରେ ଚାଷୀ । ଅନ୍ୟପଟେ ମୋଟ ୧୫ ହଜାର ୬୦୦ ଚାଷୀ ପଞ୍ଜୀକରଣ କରିଥିଲେ । ସେଥିରୁ ବାଦ୍‌ ପଡ଼ିଛନ୍ତି ୧୩୨ ଜଣ । କାହିଁକି ବାଦ ପଡିଲେ, ତାର ଉତ୍ତର କାହା ପାଖରେ ନାହିଁ ।