କନକ ବ୍ୟୁରୋ : ଆଉ ୧୦ ବର୍ଷ ଭିତରେ ରାଜ୍ୟବାସୀଙ୍କୁ ବିକଶିତ ଓଡ଼ିଶାର ସ୍ବାଦ ଚଖାଇବାକୁ ସ୍ବପ୍ନ ଦେଖାଉଛନ୍ତି ସରକାର। ହେଲେ ଆଜି ବି ଏମିତି କିଛି ଉପେକ୍ଷିତ, ଅବହେଳିତ ମଣିଷ ଅଛନ୍ତି, ଯେଉଁମାନଙ୍କ ପାଇଁ 'ସ୍ୱାଦ' ଶବ୍ଦର ମାନେ କିଛି ନାହିଁ । ଭାତ ଥାଳିରେ ଡାଲି-ତରକାରୀ ନୁହେଁ ବରଂ ଲୁଣ-ଲଙ୍କା ଆଉ ଜଙ୍ଗଲୀ କନ୍ଦା ହିଁ ସାହା । ନିଇତି ପେଟ ପାଇଁ ଚାଲିଛି ସଂଘର୍ଷ, ଅହରହ ପରିଚୟ ଖୋଜୁଛି ମଣିଷ। ବୌଦ୍ଧ ଜିଲ୍ଲାରୁ ଦେଖନ୍ତୁ ସ୍ୱତନ୍ତ୍ର ରିପୋର୍ଟ ।
ଅଧିକ ପଢ଼ନ୍ତୁ : ବିପଦରେ ବୌଦ୍ଧ କୀର୍ତ୍ତିରାଜି; ଅବହେଳିତ ପଡ଼ିଛି ଲାଙ୍ଗୁଡ଼ି, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
କଂସାରେ ବାସି ଭାତ, ଭୂଇଁରେ ଚିମୁଟାଏ ଲଙ୍କାଗୁଣ୍ଡ । ଆଖିରେ ଲୁହ ଆସିଯିବ । ଡାହାଣ ହାତରେ ମୁଠାଏ ବାସି ଭାତ, ଆଉ ବାଁ ହାତ ଆଙ୍ଗୁଠିରେ ଭୂଇଁରୁ ଲଙ୍କା ଗୁଣ୍ଡ ଚାଟି ଚାଟି ଭୋକ ମେଣ୍ଟାଉଛି ଆଗାମୀ କାଲିର ଭବିଷ୍ୟତ । ତିଅଣ ଏଠି ସାତସପନ । ଜଙ୍ଗଲରୁ କନ୍ଦା ମିଳିଲେ ଏମାନଙ୍କ ପାଇଁ ଛପନଭୋଗ । ଇଏ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତୁକୁଲୁଣ୍ଡା ମୌଜାରେ ଥିବା 'କୋହ୍ଲ ସାହି'। ଦିନେ ନୁହେଁ କି ମାସେ ନୁହେଁ । ବର୍ଷ ବର୍ଷ ଧରି ଏଠି ଏମିତି ଚାଲିଛି ଜୀବନ ସଂଘର୍ଷ । ସରକାରଙ୍କ ପୁଷ୍ଟିକର ଖାଦ୍ୟ ଯୋଜନା ଏଠି କେବଳ କାଗଜ କଲମରେ ସୀମିତ । ଏଇ ଭୋକିଲା ମଣିଷଙ୍କ ଭାତଗୁଣ୍ଡା ପଚାରୁଛି, ସତରେ କ’ଣ ଦଶନ୍ଧି ଭିତରେ ଓଡ଼ିଶା ବନିବ ବିକଶିତ?
ଅଧିକ ପଢ଼ନ୍ତୁ : ଅନ୍ଧାରରେ କାନ୍ଦୁଛି ବୌଦ୍ଧ କୀର୍ତ୍ତିରାଜି କେଶସ୍ତୁପ ; ଆସୁନାହାନ୍ତି ପର୍ଯ୍ୟଟକ
ବୌଦ୍ଧ ହରଭଙ୍ଗା ବ୍ଲକ୍ ସଦର ମହକୁମାଠୁ ମାତ୍ର ୫ କିଲୋମିଟର ଦୂରରେ ଥାଇ ବି, ନିଜ ପରିଚୟ ଖୋଜୁଛି ତୁକୁଲୁଣ୍ଡାର କୋହ୍ଲ ସାହି । ୧୦ଟି ଭୂମିହୀନ ଆଦିବାସୀ ପରିବାର, ୭ଟି ଛୋଟ ଛୋଟ କୁଡ଼ିଆ। ନା ଅଛି ପକ୍କା ଘର, ନା ଅଛି ବିଜୁଳି ଆଲୁଅ । ଆଶ୍ଚର୍ଯ୍ୟର କଥା, ଆଜି ବି ଏମାନଙ୍କର ନାହିଁ ଆଧାର କାର୍ଡ କି ରାସନ କାର୍ଡ । ପିଲାଙ୍କ ଭାଗ୍ୟରେ ନା ଅଛି ଅଙ୍ଗନବାଡ଼ିର ଅଣ୍ଡା, ନା ସ୍କୁଲର ବହିଖାତା । ଭୋଟର କାର୍ଡ ନଥିବାରୁ ଏମାନେ ନେତାଙ୍କ ପାଇଁ ‘ଭୋଟ୍ ବ୍ୟାଙ୍କ’ ନୁହନ୍ତି । ହୁଏତ ସେଥିପାଇଁ କୌଣସି ଜନପ୍ରତିନିଧି କିମ୍ବା ପ୍ରାଶାସନିକ ଅଧିକାରୀଙ୍କ ପାଦ ଏ ମାଟିରେ ପଡ଼େ ନାହିଁ । ଜଙ୍ଗଲରୁ ଝୁଣା, ମହୁ ଆଉ ଚାର ସଂଗ୍ରହ କରି ପେଟ ପୋଷୁଥିବା ଏହି ସରଳ ନିରୀହ ଆଦିବାସୀମାନେ ଆଜି ବି ଅପେକ୍ଷା କରିଛନ୍ତି, କେବେ ସରକାରୀ ଦସ୍ତାବିଜରେ ସେମାନଙ୍କୁ ନାଗରିକର ପରିଚୟ ମିଳିବ, ଗଣତନ୍ତ୍ରରେ ସେମାନେ ବି ଗଣରେ ଗଣାହେବେ । ଯେଉଁଠି ମଣିଷ ପରିଚୟ ପାଇଁ ସଂଘର୍ଷ କରୁଛି, ସେଠି ଶହଶହ ଯୋଜନାର ଅର୍ଥ କ’ଣ? ବିକାଶର ଡେଙ୍ଗୁରା ପିଟୁଥିବା ବ୍ୟବସ୍ଥା ପାଇଁ କୋହ୍ଲ ସାହିର ଏହି ଚିତ୍ର ଏକ ଶକ୍ତ ଚାପୁଡ଼ା ନିଶ୍ଚୟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/21/nagada-2026-01-21-20-57-56.jpg)