କନକ ବ୍ୟୁରୋ :ଆଖିକୁ ସ୍ପଷ୍ଟ ଦେଖାଯାଉନି ସତ ହେଲେ କେବେ ହାର ମାନିନାହାନ୍ତି କି ପଛ ଘୁଞ୍ଚା ଦେଇନାହାନ୍ତି । ନିଜର ଅକ୍ଷମତାକୁ ଶସ୍ତ୍ର ସଜାଇ ସଫଳତା ହାସଲ କରିଛନ୍ତି ଦୁଇ ଦୃଷ୍ଟିହୀନ ଦମ୍ପତି । ଆଖିର ଅକ୍ଷମତା ପାଇଁ ଯେଉଁ ମାନେ ଦିନେ ତାଙ୍କୁ ଅଲୋଡ଼ା ଭାବୁଥିଲେ ଆଜି ସେମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ନିଜର କଠିନ ପରିଶ୍ରମ, ଦୃଢ ମନୋବଳ ଓ ଅକ୍ଷମତା ପାଇଁ ଜୀବନରେ ଅଟକି ନଯାଇ ଆଗକୁ ବଢିବାର ବିଶ୍ବାସ ଆଜି ତାଙ୍କୁ ସଫଳତା ଆଣିଦେଇଛି । ଦୃଷ୍ଟି ବାଧିତ କ୍ରିକେଟରେ ନିଜ ପାରଦର୍ଶିତା ଦେଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଏହି ଦମ୍ପତ । ଜଣେ ବିଶ୍ବବିଜୟୀ ହୋଇଛନ୍ତି ତ ଅନ୍ୟ ଜଣେ ରାଜ୍ୟ ପାଇଁ ଖେଳି ଗୌରବ ଅର୍ଜନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଦୃଷ୍ଟିବାଧିତ ଦମ୍ପତ୍ତିଙ୍କ କ୍ରିକେଟ କାହାଣୀ ।
ନୀଳଗିରି ବ୍ଲକ ଗରଡିହୀ ପଞ୍ଚାୟତ ଅଧୀନ ଚେକାମରା ଗାଁର ସନାତନ ସିଂ ଓ ଯାତ୍ରୀ ସିଂଙ୍କ ପୁଅ ଅଞ୍ଜନ ସିଂ ଓ ବୋହୂ ଯମୁନାରାଣୀ ଟୁଡୁ ଦୃଷ୍ଟିବାଧିତ କ୍ରିକେଟର ଭାବରେ ଅଞ୍ଚଳରେ ବେଶ ଜଣାଶୁଣା । ନିକଟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଦୃଷ୍ଟିବାଧିତ ମହିଳା ବିଶ୍ବକପରେ ଭାରତ ବିଶ୍ବକପ ବିଜେତା ହୋଇଥିବା ବେଳେ ସେହି ଦଳର ସଦସ୍ୟା ଥିଲେ ନୀଳଗିରିର ବୋହୂ ଯମୁନାରାଣୀ । ଯମୁନା ଜନ୍ମରୁ ଦୃଷ୍ଟିହୀନ । ଯମୁନାଙ୍କ ଜନ୍ମ ପରେ ପରିବାର ଲୋକେ ମନ ଉଣା କରିଥିଲେ । ହେଲେ ଯମୁନା ପିଲାବେଳୁ ପାଠ ଓ ଖେଳ ଉଭୟରେ ବେଶ ସକ୍ଷମ ଥିଲେ । ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ମେଣ୍ଢାଖାଇ ଦୃଷ୍ଟିବାଧିତ ସ୍କୁଲରେ ନିଜର ପାଠ ପଢା ଆରମ୍ଭ କରିଥିଲେ ଯମୁନା । ପରେ ନବମ ଶ୍ରେଣୀରୁ ଭଦ୍ରକରେ ପାଠ ପଢିବା ଆରମ୍ଭ କରିଥିଲେ ଯମୁନା । ସେଠାରୁ ଆରମ୍ଭ ହୋଇଥିଲା ଯମୁନାଙ୍କ କ୍ରିକେଟ କ୍ୟାରିଅର ।
ଅଧିକ ପଢ଼ନ୍ତୁ : ସରକାର ବୁଝୁନାହାନ୍ତି ଡଙ୍ଗରିଆଙ୍କ ଦୁଃଖ ! ପେଟପାଟଣା ପାଇଁ ଦାଦନ ମୁହାଁ ଡଙ୍ଗରିଆ
ସେହିପରି ସ୍ବାମୀ ଅଞ୍ଜନ ମଧ୍ୟ ଚାରି ବର୍ଷ ବୟସରେ ଏକ ଦୁର୍ଘଟଣାରେ ନିଜର ଗୋଟିଏ ଆଖି ହରାଇଥିଲେ । ପରେ ସେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟସ୍ଥ ମେଣ୍ଢାଖାଇ ଦୃଷ୍ଟିବାଧିତ ସ୍କୁଲରେ ୮ମ ପର୍ଯ୍ୟନ୍ତ ପଢିଥିଲେ । ପରେ ସେ ବାଲେଶ୍ବରରେ ହାଇସ୍କୁଲରେ ପଢିବା ସମୟରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ଅନେକ ସମୟରେ ସାଧାରଣ ପିଲାଙ୍କ ଖେଳିବା ଇଚ୍ଛା ଥାଇ ମଧ୍ୟ ନିରାଶ ହୋଇଥିଲେ ଅଞ୍ଜନ । ଆଖି ଖରାପ ପାଇଁ ସମସ୍ତେ ଖେଳେଇବାକୁ ମନା କରିଥିଲେ । ହେଲେ ସେ ହାର ନମାନି ସଂଘର୍ଷ କରିଥିଲେ । ୨୦୧୮ ମସିହାରେ ଦୃଷ୍ଟିବାଧିତ କ୍ରିକେଟ ଖେଳ ଆରମ୍ଭ କରିଥିବା ବେଳେ ୨୦୨୧ ମସିହାଠାରୁ ଅଞ୍ଜନ ଓଡିଶା ଦଳ ପାଇଁ ଖେଳି ଆସୁଛନ୍ତି । ଆଗାମୀ ଦିନରେ ସେ ଭାରତୀୟ ଦଳରେ ଖେଳିବାକୁ ଆଶା ରଖିଛନ୍ତି । ଆଉ ରାଜ୍ୟ ସରକାର ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ଖେଳ ପଡିଆ ଓ ଭିତ୍ତି ଭୂମି ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/09/blind-couple-2025-12-09-18-32-52.jpg)