କନକ ବ୍ୟୁରୋ : ସରକାରୀ ଯୋଜନାରୁ ବଞ୍ଚିତ ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ । ସରକାରୀ ସହାୟତା ବାବଦକୁ କେବଳ ପିଡିଏସ୍ ଚାଉଳ ଓ ହାତଗଣତି ହିତାଧିକାରୀ ଭତ୍ତା ପାଉଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଏବେ ବି ଏଠାରେ ଅପହଞ୍ଚ । ଫଳରେ ପେଟପାଟଣା ପାଇଁ ଡଙ୍ଗରିଆ ଏବେ ଦାଦନ ମୁହାଁ ।
ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ । ଦୁର୍ଗମ ଅଞ୍ଚଳର ଏହି ମଣିଷ ପାଖରେ ସରକାରୀ ଯୋଜନା ଅପହଞ୍ଚ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏମାନଙ୍କ ପାଇଁ ସାତ ସପନ । ପିଡିଏସ୍ ଚାଉଳ ପାଇଁ ମାଇଲ ମାଇଲ ଦୂର ଚାଲିବାକୁ ପଡ଼ୁଛି । ସମସ୍ତଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ଆସିଛି । ୨୦୧୭-୧୮ରେ ଡଙ୍ଗରିଆଙ୍କ ଆର୍ଥିକ ଉନ୍ନତି ଓ ଯୁବକ ଯୁବତୀଙ୍କୁ କୌଶଳଭିତ୍ତିକ ତାଲିମ ପାଇଁ ଆରମ୍ଭ ହୋଇଥିଲା ଓପିଲିପି । ହେଲେ ୨୦୨୪ରେ ଏହା ବନ୍ଦ ହୋଇଗଲା । ଯାହାର ପ୍ରଭାବ ପଡ଼ିଛି ଡଙ୍ଗରିଆଙ୍କ ଉପରେ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିବା କହିଛନ୍ତି ଆଦିମ ମଣିଷ ।
ଅଧିକ ପଢ଼ନ୍ତୁ : ନୂଆପଡ଼ାରେ ଆଉ ନାହିଁ କୋଳାହଳ; ନିର୍ବାଚନ ସରିବା ପରେ ସଜବାଜ ହେଲେଣି ଦାଦନ
ରାୟଗଡ଼ା ଜିଲ୍ଲାର ବିଷମକଟକ, ମୁନିଗୁଡ଼ା ଓ କଲ୍ୟାଣସିଂହପୁର ବ୍ଲକର ୯୯ଟି ଗାଁରେ ୧୦ ହଜାରରୁ ଅଧିକ ଡଙ୍ଗରିଆ ବସବାସ କରନ୍ତି । ପେଟ ପୋଷିବା ପାଇଁ ସପୁରି, ଅଦା, ହଳଦୀ, ପଣସ, କମଳା, ଆମ୍ବ, ମାଣ୍ଡିଆ ଚାଷ ସହ ଛେଳି ଓ କୁକୁଡ଼ା ପାଳନ କରିଥାନ୍ତି । ହେଲେ ବର୍ଷ ବର୍ଷ ଧରି ଏମାନଙ୍କୁ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁନି । ଯାହା ଡଙ୍ଗରିଆଙ୍କୁ ଦାଦନ ମୁହାଁ କରିବାର ଆଉ ଏକ କାରଣ । ଅନ୍ୟପଟେ ୩ଟି ବ୍ଲକ୍ରୁ କେତେଜଣ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି, ତାର ତଥ୍ୟ ଶ୍ରମ ବିଭାଗ ପାଖେ ନାହିଁ ।
ସରକାର ପରେ ସରକାର ବଦଳୁଛନ୍ତି ହେଲେ ଡଙ୍ଗରିଆଙ୍କ ଦୁଃଖ ଓ ଦୁର୍ଦ୍ଧଶା ବଦଳୁନି । ସମସ୍ତ ସରକାରୀ ଯୋଜନା ଡଙ୍ଗରିଆଙ୍କ ପାଖରେ କିପରି ପହଞ୍ଚିବ ଓ ଏମାନଙ୍କ ପାଇଁ ରୋଜଗାର ସୃଷ୍ଟି ହେବା ଦିଗରେ ଧ୍ୟାନ ଦେବା ଜରୁରି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/08/dangaria-kondh-2025-12-08-18-49-15.jpg)