କନକ ବ୍ୟୁରୋ : ନିୟତିର ଖେଳ ବଡ଼ ବିଚିତ୍ର । ଜନ୍ମ ହେବା ପରଠାରୁ ଯେଉଁ ମାଆର କୋଳରେ ପିଲାଟିଏ ଶାନ୍ତି ପାଏ , ସେହି ମାଆକୁ ହରାଇବା ପରେ ପୁଅ କାନ୍ଦି କାନ୍ଦି ସେଇଠି ଟଳି ପଡ଼ିଛି । କୋରାପୁଟ ଜିଲ୍ଲା ଜୟପୁରରୁ ଆସିଥିବା ଏହି ହୃଦୟବିଦାରକ ଖବର ସଭିଙ୍କ ଆଖିରେ ଲୁହ ଭରିଦେଇଛି । ମୃତ୍ୟୁ ଏଠାରେ ଜିତି ଯାଇଛି ଏବଂ ଶେଷରେ ମାଆ ଓ ପୁଅଙ୍କୁ ଏକାସାଙ୍ଗରେ ନିଜ ସାଥିରେ ନେଇଯାଇଛି ।

Advertisment

ଏ ଦୁନିଆରେ ମାଆ ଆଉ ତା ପିଲାଙ୍କ ସମ୍ପର୍କ ସବୁଠାରୁ ପବିତ୍ର ଓ ନିଆରା । କାରଣ ମାଆ ହିଁ ତା ପିଲାକୁ ପଣତ ଘୋଡ଼େଇ ସବୁ ଦୁଃଖ କଷ୍ଟରୁ ଦୂରେଇ ରଖେ , ନିଜେ ଭୋକିଲା ରହି ତା ଛୁଆର ପେଟକୁ ପୂରା କରେ । ଦୁଃଖ କଷ୍ଟ ସବୁକୁ ନିଜେ ପଥର ପରି ସହିଯାଏ କିନ୍ତୁ ପିଲାକୁ ଖସିରେ ରଖେ । ଆଉ ସେହି ମାଆଟି ଯେତେବେଳେ ତା ପୁଅକୁ ଛାଡ଼ି ଆର ପାରିକୁ ଚାଲିଯିବ ସେ ଦୁଃଖକୁ ତା ପୁଅ କେମିତି ସହିବ, ତାହା କଳ୍ପନା କରିବା କଷ୍ଟକର । 

ଅଧିକ ପଢ଼ନ୍ତୁ---ଏସଆଇ ପରୀକ୍ଷା ଦୁର୍ନୀତି ମାମଲା: CBI ଦାଖଲ କରିଥିବା ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ

ଜୟପୁର ପରିଚ୍ଛା ସାହିରେ ଘଟିଥିବା ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସେହି ପରିବାର କହିଲେ କେବଳ ମାଆ, ପୁଅ ଏବଂ ମାନସିକ ବିକାରଗ୍ରସ୍ତ ୪୦ ବର୍ଷିୟା ଝିଅ । ଏହି ଦୁହିଁଙ୍କର ଦୁନିଆ ଥିଲା ତାଙ୍କ ମାଆ । ପ୍ରତିଦିନ ପରି ସେଦିନ ସକାଳୁ ପୁଅ ନିଜ କାମ ସାରିବା ପାଇଁ ଜମିକୁ ଯାଇଥିଲେ । କାମ ସାରି ଘରକୁ ଫେରିବା ପରେ ସେ ସବୁଦିନ ପରି ନିଜ ମାଆଙ୍କୁ ଖୋଜିଲେ, ବହୁତ ଡାକ ପକାଇଲେ । ହେଲେ ଆଜି କାହିଁକି କେଜାଣି ମାଆଙ୍କ ପାଖରୁ କୌଣସି ଉତ୍ତର ମିଳିଲାନି ।

ସନ୍ଦେହ ହେବାରୁ ପୁଅ ମାଆ ଶୋଇଥିବା ଖଟ ପାଖକୁ ଗଲା । ମାଆଙ୍କୁ ବାରମ୍ବାର ଉଠାଇବାକୁ ଚେଷ୍ଟା କଲା, ହେଲେ ମାଆ ନିଶ୍ଚଳ ହୋଇ ପଡ଼ିରହିଥିଲେ । ଭୟଭୀତ ହୋଇ ସେ ସାହି ପଡ଼ୋଶୀଙ୍କୁ ଡାକିଲା । ଗାଁ ଲୋକେ ଆସି ଯେତେବେଳେ ଦେଖିଲେ କହିଲେ ଯେ ମାଆ ଆଉ ଏ ଦୁନିଆରେ ନାହାନ୍ତି, ସେତେବେଳେ ପୁଅର ପାଦ ତଳୁ ମାଟି ଖସିଗଲା । ମାଆଙ୍କ ମୃତଦେହକୁ କୋଳରେ ଧରି ସେ ପାଗଳଙ୍କ ପରି କାନ୍ଦିବାକୁ ଲାଗିଲା । ବୋଧହୁଏ ମାଆ ବିନା ସଂସାରକୁ ସେ କଳ୍ପନା କରିପାରୁନଥିଲା । ମାଆକୁ ହରାଇବାର ଅସହ୍ୟ ଯନ୍ତ୍ରଣାରେ କିଛି ସମୟ କାନ୍ଦିବା ପରେ ଅଚାନକ ସେଠାରେ ହିଁ ପୁଅ ଟଳିପଡ଼ିଲା ଏବଂ ତାଙ୍କର ପ୍ରାଣବାୟୁ ଉଡ଼ିଗଲା ।

ଏମିତି ବି ଆସେ ମୃତ୍ୟୁ! ମାଆ ପଛେ ପଛେ ପୁଅ ମଧ୍ୟ ଆରପାରିକୁ ଚାଲିଗଲା। ଏହି ଘଟଣା ପରେ ସମଗ୍ର ପରିଚ୍ଛା ସାହିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଯେଉଁ ଘର ମାଆ-ପୁଅଙ୍କ ସ୍ନେହ ଶ୍ରଦ୍ଧାରେ ଭରପୂର ଥିଲା, ଆଜି ସେଠାରେ କେବଳ ନିରବତା ରାଜୁତି କରୁଛି । ସତେ ଯେମିତି ମୃତ୍ୟୁ ମଧ୍ୟ ଏହି ଅନାବିଳ ଭଲପାଇବାକୁ ଅଲଗା କରିବାକୁ ଚାହୁଁନଥିଲା, ତେଣୁ ଦୁହିଁଙ୍କୁ ଏକାଠି ଅଫେରା ରାଇଜକୁ ନେଇଗଲା ।