କନକ ବ୍ୟୁରୋ : ମୃତ୍ୟୁର ଅପେକ୍ଷାରେ ଏକ ମନ୍ଥର ଓ ଯନ୍ତ୍ରଣାଦାୟକ ଜୀବନ । ଦୁନିଆର ଯେକୌଣସି ଅଦାଲତ ପାଇଁ ଏହି ନିଷ୍ପତ୍ତି ନେବା ଅନ୍ୟ ସମସ୍ତ ନିଷ୍ପତ୍ତି ଅପେକ୍ଷା ଅତି କଷ୍ଟକର । କିନ୍ତୁ ପରିସ୍ଥିତି ଏବେ ଏହି କଠିନ ନିଷ୍ପତ୍ତିକୁ ଆଉ ଅଧିକ ଘୁଞ୍ଚାଇବାକୁ ଅନୁମତି ଦେଉନାହିଁ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅର୍ଥାତ୍ ସୁପ୍ରିମକୋର୍ଟଙ୍କୁ ଜାନୁଆରୀ ୧୩ ତାରିଖ ଅପରାହ୍ନ ୩ଟାରେ ଏକ ନିଷ୍ପତ୍ତି ନେବାକୁ ପଡ଼ିବ । ନିଷ୍ପତ୍ତିଟି ହେଲା - ମୃତ୍ୟୁକୁ ଅପେକ୍ଷା କରି ଏକ ଯନ୍ତ୍ରଣାଦାୟକ ଜୀବନ ଅତିବାହିତ କରୁଥିବା ଜଣେ ଯୁବକଙ୍କଠାରୁ ତାଙ୍କର ନିଶ୍ୱାସ ଛଡ଼ାଇ ନେଇ ତାଙ୍କୁ ଏକ ଶାନ୍ତିପୂର୍ଣ୍ଣ ମୃତ୍ୟୁ ଦିଆଯିବ କି ନାହିଁ ।
ହୃଦୟକୁ ବିଦାରି ଦେଉଥିବା ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସୁପ୍ରିମକୋର୍ଟଙ୍କୁ ହିଁ ନେବାକୁ ହେବ, କିନ୍ତୁ ସେହି ଯୁବକଙ୍କ ପିତାମାତାଙ୍କୁ ପଚାରିବା ପରେ । ସେଥିପାଇଁ ସୁପ୍ରିମକୋର୍ଟ ଜାନୁଆରୀ ୧୩ ତାରିଖ ଅପରାହ୍ନ ୩ଟାରେ ସେହି ଯୁବକଙ୍କ ପିତାମାତାଙ୍କୁ ଶେଷଥର ପାଇଁ ତାଙ୍କର ଇଚ୍ଛା ପଚାରିବାକୁ ଅଦାଲତକୁ ଡକାଇଛନ୍ତି । ମୃତ୍ୟୁର ଆକାଂକ୍ଷା ଏବଂ ମୃତ୍ୟୁର ଅପେକ୍ଷା ଉପରେ ଜାନୁଆରୀ ୧୩ ତାରିଖ ଅପରାହ୍ନ ୩ଟାରେ ଶେଷ ମୋହର ବାଜିବାକୁ ଯାଉଛି ।
ଅଧିକ ପଢ଼ନ୍ତୁ---ମୃତ୍ୟୁ ସହ ସଂଘର୍ଷ କରୁଥିବା ସରପଞ୍ଚ : ଜନତାଙ୍କ ଗୁହାରି ଆମ ସରପଞ୍ଚଙ୍କୁ ବଞ୍ଚାଇ ଦିଅ
ଏ କି ପ୍ରକାର ଆକାଂକ୍ଷା ଏବଂ କେମିତିକା ଏହି ଅପେକ୍ଷା! ଆକାଂକ୍ଷା ହେଉଛି ମୃତ୍ୟୁ ଆସିଯାଉ, କିନ୍ତୁ ମୃତ୍ୟୁ କହୁଛି ଅପେକ୍ଷା କର । ଅର୍ଥାତ୍ ମୃତ୍ୟୁ ପାଇଁ ଆଶା ଏବଂ ମୃତ୍ୟୁ ପାଇଁ ହିଁ ଅପେକ୍ଷା । ଜଣେ ମା’ର ଆକାଂକ୍ଷା ଯେ ମୃତ୍ୟୁ ତା’ ପୁଅକୁ କୋଳେଇ ନେଉ । ଏହି ଆକାଂକ୍ଷା ସହିତ ମା’ ପଣତ କାନି ବିଛାଇ ନିଜ ପୁଅ ପାଇଁ ଭଗବାନଙ୍କ ନିକଟରେ ପ୍ରତିଦିନ ମୃତ୍ୟୁ ଭିକ୍ଷା କରୁଛି । କିନ୍ତୁ ଭଗବାନ ତାଙ୍କ କଥା ଶୁଣୁନାହାନ୍ତି । ଭଗବାନଙ୍କ ପାଖରୁ ନିରାଶ ହୋଇ ସେହି ମା’ ଏବେ ସେହି ସମାନ ଆକାଂକ୍ଷା ନେଇ ଅଦାଲତଙ୍କ ନିକଟରେ ଗୁହାରି କରୁଛନ୍ତି । ମାତ୍ର ଅଦାଲତ ମଧ୍ୟ ସେହି ମା’ର ଆଶା ପୂରଣ କରିବା ପରିବର୍ତ୍ତେ ତାଙ୍କୁ ଅପେକ୍ଷା କରିବାକୁ କହୁଛନ୍ତି । ଅପେକ୍ଷା... ମୃତ୍ୟୁର ।
୧୨ ବର୍ଷ ହେବ ସେ ନିଶବ୍ଦ ଅଛନ୍ତି, ଆଉ ବାସ୍ ସେହି ଅଭିଳାଷ ଏବଂ ଅପେକ୍ଷା ମଧ୍ୟରେ ଏହି ଘରର ଛାତ ତଳେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏମିତି ଏକ ସଂଘର୍ଷ ଯେଉଁଠି ପ୍ରତିଦିନ ଜୀବନ ଓ ମୃତ୍ୟୁ ମଧ୍ୟରେ ଯୁଦ୍ଧ ହୁଏ ଏବଂ ପ୍ରତିଦିନ ଜୀବନ ଜିତିକି ମଧ୍ୟ ଏହି ଯୁଦ୍ଧ ହାରିଯାଏ । କାରଣ ଏହି ଘରେ ରହୁଥିବା ଲୋକମାନେ ଜୀବନ ପାଇଁ ନୁହେଁ, ବରଂ ମୃତ୍ୟୁ ପାଇଁ ପ୍ରାର୍ଥନା କରନ୍ତି ।
ଦିଲ୍ଲୀ ସମୀପସ୍ଥ ଗାଜିଆବାଦର ଏକ ଆପାର୍ଟମେଣ୍ଟ ଏବଂ ସେହି ଆପାର୍ଟମେଣ୍ଟର ଏକ ମହଲାରେ ଅଛି ସେହି ଘର । ତିନୋଟି କୋଠରୀ ବିଶିଷ୍ଟ ସେହି ଘରେ ଚାରିଜଣ ଲୋକ ରୁହନ୍ତି । ଘରର ମୁଖ୍ୟ ଅଶୋକ ରାଣା, ତାଙ୍କ ପତ୍ନୀ ନିର୍ମଳା ଦେବୀ ଏବଂ ସାନ ପୁଅ ଆଶିଷ । ଘରର ବାକି ସମସ୍ତ କୋଠରୀ ସାଧାରଣ ଘର ପରି, କିନ୍ତୁ ଗୋଟିଏ କୋଠରୀ ଏମିତି ଅଛି ଯାହା ଏହି ଘରକୁ ଅନ୍ୟ ସମସ୍ତ ଘରଠାରୁ ଅଲଗା କରିଦିଏ । ସେହି କୋଠରୀରେ ବିଛଣାରେ ଶୋଇଥିବା ଜଣେ ଯୁବକ, ଯାହାଙ୍କ ନାମ ହେଉଛି ହରିଶ ରାଣା । ବୟସ ପାଖାପାଖି ୩୨-୩୩ ବର୍ଷ । ଯଦି ମୁଁ କିଛି ନ କହେ, ତଥାପି ହରିଶଙ୍କୁ ଏହି ଅବସ୍ଥାରେ ଶୋଇଥିବାର ଦେଖି ଆପଣ ଅନେକ କିଛି ଅନୁମାନ କରିପାରିବେ । କିନ୍ତୁ ତଥାପି ଆପଣ ସେହି ଯନ୍ତ୍ରଣାର ଚରମ ସୀମାକୁ ଅନୁଭବ କରିପାରିବେ ନାହିଁ, ଯାହାକୁ ହରିଶଙ୍କ ସହିତ ତାଙ୍କର ପୂରା ପରିବାର ଗତ ୧୨ ବର୍ଷ ହେବ ସହୁଛନ୍ତି ।
ଅଧିକ ପଢ଼ନ୍ତୁ---ନୂଆବର୍ଷରୁ ସ୍ପିଡରେ ଲାଗିବ ଲଗାମ ; ଆପେ ଆପେ କଟିବ ଗାଡ଼ି ଚାଲାଣ
କଥାଟି ୧୨ ବର୍ଷ ତଳର , ସେତେବେଳେ ହରିଶ ଏବଂ ତାଙ୍କ ପରିବାର ଲୋକଙ୍କ ଜୀବନ ବେଶ୍ ହସଖୁସିରେ କଟୁଥିଲା । ହରିଶ ଜଣେ ଇଞ୍ଜିନିୟର ହେବାକୁ ଚାହୁଥିଲେ । ନିଜର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ୨୦୧୩ ମସିହାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । ଇଞ୍ଜିନିୟରିଂ ପାଠପଢ଼ା ଆରମ୍ଭ ହୋଇଯାଇଥିଲା । ହରିଶ ବିଶ୍ୱବିଦ୍ୟାଳୟ ନିକଟସ୍ଥ ମୋହାଲିରେ ଏକ ପିଜିରେ ରହୁଥିଲେ ।
ପିଜିରେ ତାଙ୍କ ରୁମ୍ ଚତୁର୍ଥ ମହଲାରେ ଥିଲା । କଲେଜରୁ ଫେରିବା ପରେ ଦିନେ ହରିଶ ନିଜ ପିଜିର ବାଲକୋନିରେ ଠିଆ ହୋଇଥିଲେ ଏବଂ ହଠାତ୍ ସେ ସେହି ବାଲକୋନିରୁ ତଳକୁ ଖସିପଡ଼ିଲେ । ହରିଶଙ୍କୁ ତୁରନ୍ତ ପିଜିଆଇ ଚଣ୍ଡିଗଡ଼ ନିଆଗଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ନିଶ୍ୱାସ ଚାଲୁଥିଲା, କିନ୍ତୁ ସେ ହୋସ୍ରେ ନଥିଲେ । ପୁଅର ଚିକିତ୍ସା ପାଇଁ ବାପା ମା ଅନେକ ହସ୍ପିଟାଲ ଗଲେ ହେଲେ ଡାକ୍ତର ହାତ ଟେକିଦେଲେ । ତଥାପି ହାର ମନିନଥିଲେ ପରିବାର । ପୁଅର ଚିକିତ୍ସାରେ ସର୍ବସ୍ୱ ହରାଇ ସାରିଲେଣି । ଏହା ଭିତରେ ୧୨ ବର୍ଷ ବିତିଗଲାଣି । ଏବେ କେବଳ ମୃତ୍ୟୁକୁ ଅପେକ୍ଷା....
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/21/harish-rana-2025-12-21-15-12-59.jpg)