କନକ ବ୍ୟୁରୋ: ମୃତ୍ୟୁ କେବେ, କେଉଁ ମୁହୂର୍ତ୍ତରେ, କେମିତି ଆସିବ ତାହା କେହି କହିପାରିବେନି । ଶ୍ମଶାନରେ ଜୁଇ ଜଳୁଥିଲା, ଲୋକଙ୍କ ଆଖିରେ ଥିଲା ଲୁହ । ହେଲେ ଶ୍ବଶୁରଙ୍କ ଶେଷ କୃତ୍ୟ ବେଳେ ପୁଣି ବିଧାତା ଦେଲା ବୋଝ ଉପରେ ନଳିତା ବିଡ଼ା ଭଳି ଦୁଃଖ । ଘରୁ ଉଠିଲା ଆଉ ଗୋଟେ କୋକେଇ । କାରଣ କେହି କିଛି ବୁଝିବା ପୂର୍ବରୁ ହଠାତ୍ ନିରବୀ ଗଲା ଜ୍ବାଇଁଙ୍କ ଜୀବନ ।

Advertisment

ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଗତକାଲି ବିକ୍ରମପୁର ଗ୍ରାମର ସୁବାସ ପାହାନଙ୍କ ମୃତ୍ୟୁ ଘଟିଥିଲା । ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ଚାଲିଥିବାବେଳେ, ମୃତ ସୁବାସଙ୍କ ଜ୍ବାଇଁ ଜଗନ୍ନାଥ ବେହେରା ହଠାତ୍ ଅଚେତ୍ ହୋଇପଡ଼ିଥିଲେ । ଶ୍ମଶାନରେ ହୁହୁ କରି ଜଳୁଥିବା ଜୁଇ, ଆଉ ତାହା ପାଖରେ ଭୁଇଁରେ ପଡ଼ିଥିବା ଜଗନ୍ନାଥ । ଏ ଦୃଶ୍ୟ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ଯୋଗୁଁ ମୃତ୍ୟୁ ଘଟିଥିବା କୁହାଯାଉଛି । ଖଲ୍ଲିକୋଟ ଥାନା ଏସଆଇ ପୂରା ଟିମ୍ ସହ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି ।

ଅଧିକ ପଢ଼ନ୍ତୁ---ଲୋକସେବା ଭବନରେ ରିଲ୍ସ କରିବା ମନା: କଡ଼ା ଚେତାବନୀ ଦେଲେ ଆଇନ ମନ୍ତ୍ରୀ

ମୃତ ଜଗନ୍ନାଥ ବେହେରାଙ୍କ ଘର ଖଲ୍ଲିକୋଟର ଧରାକୋଟ ସାହିରେ ହୋଇଥିବାବେଳେ, ସେ ଛତ୍ରପୁର ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ । ପରିବାର ଗୋଟିଏ ଦୁଃଖରୁ ବାହାରି ନଥିବାବେଳେ ଜ୍ବାଇଁଙ୍କ ଅକସ୍ମାତ ମୃତ୍ୟୁ ପରିବାରକୁ ଗଭୀର ଆଘାତ ଦେଇଛି । ସତରେ ମୃତ୍ୟୁ ଆସେ, ସମୟ ଦେଖେନି, କେବେ କେଉଁଠି ଓ କେମିତି କାହାକୁ ନେଇଯିବ ତାହା କେହି ବି ଜାଣିପାରିବେନି ।