କନକ ବ୍ୟୁରୋ : ରାଜ୍ୟର ମୁଖ୍ୟ ପ୍ରାଶାସନିକ କେନ୍ଦ୍ର 'ଲୋକସେବା ଭବନ' ପରିସରରେ ଏଣିକି ଆଉ ରିଲ୍ସ କିମ୍ବା ମନୋରଞ୍ଜନଧର୍ମୀ ଭିଡିଓ ପ୍ରସ୍ତୁତ କରାଯାଇ ପାରିବ ନାହିଁ । ସଚିବାଳୟ ଭିତରେ କିଛି କର୍ମଚାରୀ ଓ ବାହାର ଲୋକଙ୍କ ଦ୍ୱାରା କରାଯାଉଥିବା ମାଳ ମାଳ ରିଲ୍ସକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ମନ୍ତ୍ରୀ ଏକ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଲୋକସେବା ଭବନ କାମ କରିବା ପାଇଁ ଉଦ୍ଦିଷ୍ଟ, ରିଲ୍ସ କରି ମନୋରଞ୍ଜନ କରିବା ପାଇଁ ନୁହେଁ ।
ମନ୍ତ୍ରୀ କହିଛନ୍ତି , କୌଣସି କର୍ମଚାରୀ ହୁଅନ୍ତୁ କିମ୍ବା ବାହାରୁ ଆସୁଥିବା ବ୍ୟକ୍ତି, ସଚିବାଳୟ ପରିସରରେ ଭିଡିଓ ସୁଟିଂ କରିବାର କୌଣସି ଅବକାଶ ନାହିଁ । ଯଦି କେହି ଏହାର ଉଲ୍ଲଂଘନ କରି ମନୋରଞ୍ଜନଧର୍ମୀ ଭିଡିଓ କିମ୍ବା ରିଲ୍ସ ପ୍ରସ୍ତୁତ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟାଳୟର ଗରିମା ଓ ଶୃଙ୍ଖଳା ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।
ଅଧିକ ପଢ଼ନ୍ତୁ---ଦେଶରେ ଗଡ଼ିବ ପ୍ରଥମ ବୁଲେଟ୍ ଟ୍ରେନ୍ ; ଜାଣନ୍ତୁ କେଉଁ ରୁଟ୍ ଦେଇ ଗତି କରିବ
ଅନ୍ୟପଟେ, ଏହି ଘଟଣାକୁ ନେଇ ସଚିବାଳୟ ସେବା ସଂଘ ନିଜର ପ୍ରତିକ୍ରିୟା ରଖିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଗଣମାଧ୍ୟମରେ ଯେଉଁ ସବୁ ଭିଡିଓ ପ୍ରସାରିତ ହେଉଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଗତ ବର୍ଷର ପୁରୁଣା ଭିଡିଓ । ତଥାପି, ଯଦି ଚଳିତ ବର୍ଷ କେହି ଏଭଳି ଅନୁଶାସନହୀନ କାର୍ଯ୍ୟ କରିଥାନ୍ତି, ତେବେ ତାହା ଅତ୍ୟନ୍ତ ନିନ୍ଦନୀୟ । ସଂଘ ସ୍ପଷ୍ଟ କରିଛି ଯେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି ଏବଂ କୌଣସି ନିୟମର ଉଲ୍ଲଂଘନ କରାଯାଇ ନାହିଁ । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଲୋକସେବା ଭବନ ଭିତରର କିଛି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏହି କଟକଣା ପରେ ସଚିବାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ କଡ଼ାକଡ଼ି କରାଯିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/02/pruthwiraj-harichandan-2026-01-02-15-43-42.jpg)