afghanistan Photograph: (Google)
କନକ ବ୍ୟୁରୋ: ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ପରିସ୍ଥିତି ଖରାପ ହେବାରେ ଲାଗିଛି । ଶାସକ ତାଲିବାନ ଏକ ନୂତନ ଆଇନ କାର୍ଯ୍ୟକାରୀ କରିଛି ଯାହା ମହିଳାମାନଙ୍କ ଉପରେ ଘରୋଇ ହିଂସାକୁ ଆଇନଗତ ଭାବରେ ସ୍ୱୀକୃତି ଦେଉଛି। ଏହି ଆଇନ ଅନୁଯାୟୀ, ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଶାରୀରିକ ଭାବରେ ଦଣ୍ଡ ଦେଇପାରିବେ। ଯେପର୍ଯ୍ୟନ୍ତ ମାଡ଼ରେ ହାଡ଼ ନ ଭାଙ୍ଗିଛି କିମ୍ବା କ୍ଷତ ସୃଷ୍ଟି ନହୋଇଛି ଏହା ଏକ ଅପରାଧ ଭାବେ ପରିଗଣିତ ହେବ ନାହିଁ । ଏହାର ଅର୍ଥ ହେଉଛି ଯଦି ମାଡ଼ରେ ହାଡ଼ ଭାଙ୍ଗି ନଥାଏ ତେବେ ଏହା ଭୁଲ୍ ନୁହେଁ। ରିପୋର୍ଟ ଅନୁଯାୟୀ, ଏହି ଦଣ୍ଡ ସଂହିତା ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କ ସ୍ୱାକ୍ଷର ସହିତ କାର୍ଯ୍ୟକାରୀ କରାଯାଇଛି। ଏହି ଆଇନ ଏକ ନୂତନ ଜାତି ବ୍ୟବସ୍ଥା ସୃଷ୍ଟି କରିଛି। ଯେଉଁଥିରେ ଦଣ୍ଡାଦେଶ ଦୋଷୀ ସ୍ୱାଧୀନ କି ଦାସ ତାହା ଉପରେ ନିର୍ଭର କରିବ ।
ଯଦି ଜଣେ ସ୍ୱାମୀ ଅତ୍ୟଧିକ ବଳ ପ୍ରୟୋଗ କରନ୍ତି ଓ ତାଙ୍କ ସ୍ତ୍ରୀଙ୍କ ଶରୀରରେ କ୍ଷତ ଦୃଶ୍ୟମାନ ହୋଇଥିବ କିମ୍ବା ହାଡ଼ ଭାଙ୍ଗି ଯାଇଥିବ, ତେବେ ସ୍ବମୀଙ୍କୁ କେବଳ ୧୫ ଦିନ ଜେଲ୍ ହୋଇପାରେ। ଏହା ସହିତ, ଯଦି ମହିଳା କୋର୍ଟରେ ହିଂସା ହୋଇଥିବାର ପ୍ରମାଣ କରିପାରିବେ ତେବେ ହିଁ ଦଣ୍ଡ ଦିଆଯିବ। ମହିଳା ନିଜକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖି ବିଚାରପତିଙ୍କୁ ତାଙ୍କର କ୍ଷତ ଦେଖାଇବାକୁ ପଡିବ। ତାଙ୍କ ସହିତ ତାଙ୍କ ସ୍ୱାମୀ କିମ୍ବା ପୁରୁଷ ଅଭିଭାବକଙ୍କୁ ମଧ୍ୟ କୋର୍ଟକୁ ଯିବାକୁ ପଡିବ। ଅନ୍ୟପକ୍ଷରେ, ଯଦି ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀଙ୍କ ଅନୁମତି ବିନା ତାଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଆନ୍ତି, ତେବେ ତାଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ ।
ଅଧିକ ପଢନ୍ତୁ: ପାକିସ୍ତାନ-ଆଫଗାନିସ୍ତାନ ଅସ୍ତ୍ରବିରତି, କତାରରେ ବସିଥିବା ବୈଠକ ସଫଳ ହୋଇଥିବା ସୂଚନା
ଗମ୍ଭୀର ଅପରାଧ ପାଇଁ ଇସଲାମିକ ଧର୍ମଗୁରୁମାନେ ଶାରୀରିକ ଦଣ୍ଡ ପ୍ରଦାନ କରିବେ । ଏହି ନୂତନ ୯୦ ପୃଷ୍ଠାର ଦଣ୍ଡ ସଂହିତା ୨୦୦୯ ମସିହାର ମହିଳା ବିରୋଧୀ ହିଂସା ଆଇନକୁ ରଦ୍ଦ କରିଛି। ଯାହା ପୂର୍ବ ଆମେରିକା ସମର୍ଥିତ ସରକାରଙ୍କ ସମୟରେ ପ୍ରଣୀତ ହୋଇଥିଲା । ମାନବାଧିକାର ସଂଗଠନଗୁଡ଼ିକ କହିଛନ୍ତି, ଲୋକେ ଏହି ଆଇନ ବିରୋଧରେ କହିବାକୁ ଭୟ କରୁଛନ୍ତି । କାରଣ ତାଲିବାନ ଏହି ଆଇନ ବିଷୟରେ ଆଲୋଚନା କରିବାକୁ ଅପରାଧ ବୋଲି ସୂଚିତ କରି ଏକ ନୂତନ ନିର୍ଦ୍ଦେଶ ଜାରି କରିଛି ।
Follow Us