କନକ ବ୍ୟୁରୋ : ଅଞ୍ଜନୀପୁତ୍ର ପ୍ରଭୁ ଶ୍ରୀ ହନୁମାନଙ୍କୁ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ବଡ଼ ଭକ୍ତ ବୋଲି ଦୁନିଆ ଜାଣେ । ମାନ୍ୟତା ରହିଛି କି ନିୟମିତ ରୂପେ ହନୁମାନଙ୍କୁ ପୂଜା କଲେ ସବୁ ଦୁଃଖ,ସଂକଟରୁ ମୁକ୍ତି ମିଳେ । ପବନସୂତ ହନୁମାନଙ୍କୁ ନେଇ ଏମିତି ଅନେକ ପୌରାଣିକ କାହାଣୀ ରହିଛି । କିନ୍ତୁ ସବୁଠାରୁ ରୋଚକ କାହାଣୀ ହେଉଛି ପ୍ରଭୁଙ୍କ ପଞ୍ଚମୁଖୀ ଅବତାରର । ଯେତେବେଳେ ଶ୍ରୀରାମଭକ୍ତ ହନୁମାନ ପଞ୍ଚମୁଖ ଧାରଣ କରି ସାରା ଜଗତକୁ ଆଶୀର୍ବାଦ ଦେଇଥିଲେ । ଶାସ୍ତ୍ର କହେ ପ୍ରଭୁଙ୍କ ଏହି ସ୍ବରୂପର ପୂଜା କଲେ ଜୀବନର ସବୁ ସଂକଟ,ପୀଡ଼ାରୁ ମଣିଷକୁ ମୁକ୍ତି ମିଳେ । ସଂକଟ ହରିନିଅନ୍ତି ପ୍ରଭୁ ସଂକଟମୋଚନ । ବାସ୍ତ୍ରୁଶାସ୍ତ୍ରରେ ବି ବଜରଙ୍ଗବାଲୀଙ୍କ ଏହି ସ୍ବରୂପକୁ ଘରେ ରଖିଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ପ୍ରଭୁଙ୍କ ଏଭଳି ରୂପ ନେବା ପଛର କାରଣ କ’ଣ ଥିଲା? 

Advertisment

ଆଗକୁ ପଢ଼ନ୍ତୁ : ମାର୍ଚ୍ଚରେ ପଡୁଛି ନବପଞ୍ଚମ ରାଜଯୋଗ : ପଦୋନ୍ନତି , ଟଙ୍କା ଏବଂ ସଫଳତା ! ଏହି ୩ ରାଶିର ଲୋକଙ୍କ ଲାଗିବ ଲଟେରି

ପୌରାଣିକ ମାନ୍ୟତାନୁସାରେ ଯେତେବେଳେ ପ୍ରଭୁ ରାମ ଏବଂ ଲଙ୍କାପତି ରାବଣଙ୍କ ଭିତରେ ଯୁଦ୍ଧ ଚାଲିଥିଲା ସେତେବେଳେ ରାବଣ ସେନା ଯୁଦ୍ଧରେ ହାରୁଥିଲା । ଏପରି ସ୍ଥିତିରେ ନିଜ ସେନାକୁ ପରାସ୍ତ ହେଉଥିବା ଦେଖି ରାବଣ ନିଜ ମାୟାବୀ ଭାଇ ଅହିରାବଣର ସହାୟତା ଲୋଡ଼ିଥିଲେ । ଅହିରାବଣ ମା’ ଭବାନୀଙ୍କ ବହୁତ ବଡ଼ ଭକ୍ତ ଥିଲେ ଏବଂ ତନ୍ତ୍ରବିଦ୍ୟାରେ ତାଙ୍କର ଅଗାଢ଼ ଜ୍ଞାନ ଥିଲା । ନିଜ ଶକ୍ତିର ପ୍ରୟୋଗ କରି ଅହିରାବଣ ପ୍ରତିଦ୍ବନ୍ଦୀ ସେନାକୁ ନିଦ୍ରାରେ ଶୁଆଇଦେଲେ ଏବଂ ରାମ,ଲକ୍ଷ୍ମଣଙ୍କୁ ଅପହରଣ କରି ପାତାଳଲୋକ ନେଇଗଲେ । ଅହିରାବଣକୁ ବରଦାନ ମିଳିଥିଲା ଯେ ତାକୁ ମାରିବାକୁ ହେଲେ ପଞ୍ଚଦିଗରେ ଜଳୁଥିବା ଦୀପକୁ ଏକ ସଙ୍ଗେ ଲିଭାଇବାକୁ ହେବ । ସେତେବେଳେ ନିଜ ଆରାଧ୍ୟ ପ୍ରଭୁ ଶ୍ରୀରାମ ଏବଂ ଅନୁଜ ଲକ୍ଷ୍ମଣଙ୍କୁ ଉଦ୍ଧାର କରିବା ପାଇଁ ବୀର ହନୁମାନ ପଞ୍ଚମୁଖ ଧାରଣ କରିଥିଲେ । ସେତେବେଳେ ପାଞ୍ଚ ଦିଗରୁ ଦୀପ ଲିଭାଇ ଅହିରାବଣର ବଧ କରାଯାଇଥିଲା । 

ଏହି ରୂପର ପ୍ରଥମ ମୁଖ ବାନରର ଯାହା ପୂର୍ବ ଦିଗ ଆଡ଼କୁ ମୁହଁ କରିଛି । ଶାସ୍ତ୍ର କୁହେ ଯେ ଏହି ମୁଖ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିବାକୁ ଦର୍ଶାଏ । ପଞ୍ଚମୁଖୀ ହନୁମାନଙ୍କ ଦ୍ବିତୀୟ ମୁଖ ଗରୁଡ଼ର ଯାହା ପଶ୍ଚିମ ଦିଗ ଆଡ଼କୁ ମୁହଁ କରିଛନ୍ତି । ମାନ୍ୟତା ରହିଛି କି ଗରୁଡ଼ ମୁଖ ଜୀବନରେ ଆସୁଥିବା ସମସ୍ୟା , ଦୁଃଖକୁ ନାଶ କଲେ । ତୃତୀୟ ମୁଖ ବରାହର ଯାହା ଉତ୍ତର ଦିଗ ଆଡ଼କୁ ରହିଛି । ଏହି ମୁଖ ଆୟୁଷ ବଢ଼ାଏ ଏବଂ ସମାଜରେ ମାନ,ସମ୍ମାନ ଦିଏ ବୋଲି କୁହାଯାଏ । ହନୁମାନଙ୍କ ଚତୁର୍ଥ ମୁଖ ଯାହା ଦକ୍ଷିଣ ଦିଗ ଆଡ଼କୁ ରହିଛି ତାହାକୁ ନୃସିଂହ ମୁଖ ବୋଲି କୁହାଯାଏ । ଏହି ମୁଖ ଜୀବନରେ ଡର, ଚିନ୍ତାକୁ କମ୍ କରି ଆତ୍ମବିଶ୍ବାସ ବଢ଼ାଇବାର କାମ କରେ । ପଞ୍ଚ ଏବଂ ଶେଷ ମୁଖ ହେଉଛି ଅଶ୍ବ ଅର୍ଥାତ ଘୋଡ଼ାର ଯାହା ଆକାଶ ଆଡ଼କୁ ମୁହଁ କରି ରହିଛି । ମାନ୍ୟତା ରହିଛି କି ବଜରଙ୍ଗବାଲୀଙ୍କ ଏହି ମୁଖର ଆରାଧନା କଲେ ସବୁ ମନସ୍କାମନା ପୂରଣ ହୁଏ । ତେବେ ଯଦି ଆପଣ ପ୍ରଭୁ ପଞ୍ଚମୁଖୀ ହନୁମାନଙ୍କ ପୂଜା ଘରେ କରିବାକୁ ଚାହାନ୍ତି ତେବେ ମୂର୍ତ୍ତି କିମ୍ବା ଫଟୋକୁ ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ଲଗାନ୍ତୁ । ହନୁମାନଙ୍କ ପୂଜାର ଆରମ୍ଭ ମଙ୍ଗଳବାର କିମ୍ବା ଶନିବାର କରନ୍ତୁ । ପୂଜା ସମୟରେ ଲାଲ୍ ଫୁଲ,ସିନ୍ଦୂର ,ଗୁଡ଼-ଚଣା ଆଦି ଭୋଗ ଅର୍ପଣ କରନ୍ତୁ । ହନୁମାନ ଚାଳିସା ଏବଂ ସୁନ୍ଦରକାଣ୍ଡର ପାଠ କରନ୍ତୁ । ଧାର୍ମିକ ମାନ୍ୟତାନୁସାରେ ପଞ୍ଚମୁଖୀ ହନୁମାନଙ୍କ ପୂଜା ମନରୁ ଡର, ନକରାତ୍ମକ ଶକ୍ତିରୁ ଦୂରକୁ ନେଇଥାଏ । ପଞ୍ଚମୁଖୀ ହନୁମାନ ଫଟୋକୁ ଘରର ମୁଖ୍ୟ ଦ୍ବାରରେ ଲଗାଇଲେ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିପାରନ୍ତି ନାହିଁ ।