କନକ ବ୍ୟୁରୋ : ସମସ୍ୟା,ଅସୁବିଧା ହେଉଛି ମଣିଷ ଜୀବନର ଏକ ଅପ୍ରିୟ ସତ । ଦୁନିଆରେ ଏମିତି କେହି ନଥିବେ ଯାହାଙ୍କ ଜୀବନରେ ସମସ୍ୟା ବୋଲି କିଛି ନଥିବ । ଆର୍ଥିକ ସମସ୍ୟା ହିଁ ମଣିଷକୁ ଋଣର ବୋଝକୁ ବୋହିବାକୁ ବାଧ୍ୟ କରିଥାଏ । କରଜରେ ବୁଡ଼ିଥିବା ବ୍ୟକ୍ତି ଉଭୟ ମାନସିକ ଏବଂ ଶାରୀରିକ ପୀଡ଼ା ଦେଇ ଗତି କରିଥା’ନ୍ତି । ଏଥିରୁ ମୁକ୍ତି ପାଇଁ ପରିଶ୍ରମ ସହିତ ଦେବଦେବୀଙ୍କୁ ପୂଜା କରିଥା’ନ୍ତି ଲୋକ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଋଣରୁ ମୁକ୍ତି ପାଇଁ ଭାରତରେ ଏକ ମନ୍ଦିର ମଧ୍ୟ ରହିଛି । ଯେଉଁଠାକୁ ଯାଇ ପୂଜାର୍ଚ୍ଚନା କଲେ ବଡ଼ରୁ ବଡ଼ ଋଣ ମଧ୍ୟ କିଛି ଦିନରେ ପରିଶୋଧ ହୋଇଯାଏ । ଆମେ କହୁଛୁ ମଧ୍ୟପ୍ରଦେଶ ଉଜ୍ଜୟିନୀ ସ୍ଥିତ ଋଣମୁକ୍ତେଶ୍ବର ମହାଦେବ ମନ୍ଦିରଙ୍କ ବିଷୟରେ । ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିରକୁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଭକ୍ତ ଆସିଥା’ନ୍ତି ଏବଂ ଭୋଳାଶଙ୍କରଙ୍କୁ ପୂଜା କରି ଆଶୀର୍ବାଦ ଭିକ୍ଷା କରନ୍ତି । ମାନ୍ୟତା ରହିଛି ଦେବାଧିଦେବ ମହାଦେବଙ୍କ ଏହି ମନ୍ଦିରକୁ ଆସିଲେ ଋଣଭାରରୁ ମୁକ୍ତି ମିଳେ । 

Advertisment

ଆଗକୁ ପଢ଼ନ୍ତୁ : ଶନି ଏବଂ ରବି କାହିଁକି ନୁହେଁ ? କାହିଁକି ସୋମବାରକୁ ହିଁ ଶିବଙ୍କ ବାର ବୋଲି କୁହାଯାଏ ?

ବଟବୃକ୍ଷ ତଳେ ସ୍ଥିତ ଭୋଳାନାଥଙ୍କ ଏହି ମନ୍ଦିର ତ୍ରେତୟା ଯୁଗ ସହ ଜଡ଼ିତ । ଏହି ମନ୍ଦିର ସିପ୍ରା ନଦୀ ତଟ ବାଲ୍ମିକୀ ଧାମ କ୍ଷେତ୍ରରେ ରହିଛି । ଯେଉଁଠି କେବଳ ମହାଦେବ ନୁହେଁ ସମ୍ପୂର୍ଣ୍ଣ ଶିବ ପରିବାରଙ୍କୁ ପୂଜା କରାଯାଉଛି । ଋଣମୁକ୍ତେଶ୍ବର ମହାଦେବଙ୍କ ନିକଟରେ ଶନିବାର ଏବଂ ମଙ୍ଗଳବାର ଦିନ ବିଶେଷ ପୂଜା କରାଯାଏ । ଯାହାକୁ ପିଲି ପୂଜା ବୋଲି ମଧ୍ୟ କୁହାଯାଏ । ଆର୍ଥିକ ସଂକଟ ଏବଂ କରଜରୁ ମୁକ୍ତି ପାଇବା ପାଇଁ ଭକ୍ତ ଚଣାଡ଼ାଲି , ହଳଦୀ , ହଳଦିଆ ଫୁଲ , ଗୁଡ଼ ଆଦି ବାନ୍ଧି ଶିବଶମ୍ଭୁଙ୍କୁ ଅର୍ପଣ କରିଥା’ନ୍ତି । 

ମନ୍ଦିରର ପୂଜକ ଏବଂ ସନ୍ଥଙ୍କ କହିବାନୁସାରେ ଯେଉଁମାନେ ବ୍ୟବସାୟରେ କ୍ଷତି ସହୁଛନ୍ତି , ଚାକିରି ହରାଇଛନ୍ତି ବା ଚାକିରି ମିଳୁନି, ଋଣ ନେବା କିମ୍ବା ଅନ୍ୟାନ୍ୟ କାରଣରୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ନିଶ୍ଚିତ ଭାବରେ ଋଣମୁକ୍ତେଶ୍ୱର ମନ୍ଦିରକୁ ଆସି ପିଲି ପୂଜା କରି ମହାଦେବଙ୍କ ଆଶୀର୍ବାଦ ଲୋଡ଼ନ୍ତୁ । ମନ୍ଦିର ସହ ଜଡ଼ିତ ବିଶ୍ୱାସ ଅନୁସାରେ ସତ୍ୟଯୁଗରେ ଯେତେବେଳେ ରାଜା ହରିଶ୍ଚନ୍ଦ୍ରଙ୍କୁ ଋଷି ବିଶ୍ୱାମିତ୍ରଙ୍କୁ ଦାନ କରିବାକୁ ପଡ଼ିଥିଲା ସେତେବେଳେ ସେ ଋଣମୁକ୍ତେଶ୍ୱର ମନ୍ଦିରରେ ମହାଦେବଙ୍କ ପୂଜା କରିଥିଲେ ଯାହା ପରେ ସେ ଋଣମୁକ୍ତ ହୋଇଥିଲେ । ସେହି ଦିନଠାରୁ ଏହି ମନ୍ଦିରରେ ଋଣ ମୁକ୍ତି ପାଇଁ ଭକ୍ତଙ୍କ ଭିଡ଼ ଜମେ ।